କନକ ବ୍ୟୁରୋ : ବିଜେଡି ପ୍ରତିଷ୍ଠା ଦିବସରୁ ଦୂରେଇ ରହିଥିବା କଟକ ସାଂସଦଙ୍କ ବୟାନ ବଢାଇଲା ଚର୍ଚ୍ଚା । କାହିଁକି ସାମିଲ ହେଲେନି ଏ ନେଇ ଗଣମାଧ୍ୟମ ପ୍ରଶ୍ନରେ ସେ ସିଧାସଳଖ ଉତ୍ତର ନଦେଇ ବୁଲାଇ ବଙ୍କାଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଗାମୀ ଦିନରେ ୪ଟି ପ୍ରସଙ୍ଗରେ ନିଜର ମତ ରଖିବେ । ହେଲେ କଣ କହିବେ, ଓ କାହାକୁ କହିବେ ଭର୍ତୃହରି ମହତାବ ତାକୁ ନେଇ ବଢିଛି ଚର୍ଚ୍ଚା ।
ଡିସେମ୍ବର ୨୬ ତାରିଖରେ ପୁରୀରେ ଆୟୋଜିତ ହୋଇଥିଲା ବିଜେଡି ପ୍ରତିଷ୍ଠାର ୨୫ ବର୍ଷ ଅର୍ଥାତ ରୌପ୍ୟ ଜୟନ୍ତୀ । ବିଜୁ ଜନତା ଦଳ ଆଗାମୀ ୧୦୦ ବର୍ଷ ଯାଏଁ ରାଜ୍ୟବାସୀଙ୍କ ସେବା କରିବାକୁ ସଂକଳ୍ପ ନେଉଥିବାବେଳେ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ କଟକ ସାଂସଦ ଭର୍ତୃହରି ମହତାବ । ଏନେଇ ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାବେଳେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଥା ଉଠାଇଛନ୍ତି ଭର୍ତୃହରି । ଯଦିଓ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ପିନାକୀ ମିଶ୍ର କାର୍ଯ୍ୟକ୍ରମରେ ସାମିଲ ହୋଇନଥିବା ସଭାରେ କୁହାଯାଇଥିଲା । କିନ୍ତୁ ପିନାକୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରି ବିବାଦ ସୃଷ୍ଟି କରିଛନ୍ତି ଭର୍ତୃହରି ।
ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁହଁ ଖୋଲିଛନ୍ତି ସାଂସଦ ଭର୍ତୃହରି ମହତାବ । ଯଦିଓ କିଛି ସ୍ପଷ୍ଟ କରିନାହାନ୍ତି, କିନ୍ତୁ ୪ଟି ବିଷୟରେ ତାଙ୍କର କହିବାର ଅଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାହା ପୁଣି ଦେଖାହେଲେ କହିବେ ବୋଲି ଇସାରା ଦେଇଛନ୍ତି ।
କେଉଁ ୪ଟି ବିଷୟରେ କହିବେ ଭର୍ତୃହରି?
କାହାକୁ ଦେଖା କରି କହିବେ ମନର କ୍ଷୋଭ?
ବିଜେଡିଠାରୁ ଦୂରେଇ ଯାଉଛନ୍ତି କି ସାଂସଦ?
ପ୍ରତିଷ୍ଠା ଦିବସରେ କାହିଁକି ସାମିଲ ହୋଇନଥିଲେ?
ଏସବୁ ଭିତରେ ୨୦୨୪ ନିର୍ବାଚନ ଲଢିବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ କହିଥିଲେ ୪ଟି ବିଷୟରୁ ତାହା ମଧ୍ୟ ଗୋଟିଏ ବିଷୟ । କିଛିଦିନ ହେଲା କଟକ ସାଂସଦ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି । ନିଜ ଖବରକାଗଜରେ ଲେଖା ମାଧ୍ୟମରେ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣୁଛନ୍ତି । ଏପରିକି କେନ୍ଦ୍ରୀୟ ବିଜେପିର ଶୀର୍ଷ ନେତାଙ୍କ ସହ ବି ନଜର ଆସୁଛନ୍ତି । ପୁଣି ୨୦୧୯ରେ ବିଜେପି କଟକ ଲୋକସଭା ଆସନରୁ ୪ ଲକ୍ଷ ଭୋଟ ପାଇଥିବା କଥା କହି କି ଇସାରା ଦେଉଛନ୍ତି ତାକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ବିଜେଡି ଠାରୁ ଦୂରେଇ ରହିବା, ବିଜେପି ନେତାଙ୍କ ସହ ନଜର ଆସିବା ଓ ବିଜେପି କଟକରେ ଭଲ ପ୍ରଦର୍ଶନ କରିଥିବା କଥା କହିବା ପରେ ଭର୍ତୃହରି ବିଜେପି ଆଡକୁ ଢଳୁଥିବାନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
Follow Us