ସମାନ ନାଗରିକ ଆଇନ ପ୍ରସଙ୍ଗକୁ ନେଇ ବିଜେଡ଼ିରେ କନ୍ଦଳ : ମୁହାଁମୁହିଁ ହେଲେ କଟକର ଦୁଇ ଶୀର୍ଷ ନେତା ଭର୍ତ୍ତୃହରି ଓ ଦେବାଶିଷ

ଆଇନ ଲାଗୁ କରିବା ସପକ୍ଷରେ ମତ ଦେଇଥିଲେ ଭର୍ତ୍ତୃହରି; ଦେବାଶିଷ କହିଲେ, ଏହା ବିଜେପିର ନୀତି , ବିଜେଡ଼ିର ନୁହେଁ

104

କନକ ବ୍ୟୁରୋ : ସମାନ ନାଗରିକ ଆଇନ ପ୍ରସଙ୍ଗରେ ବିଜେଡ଼ି ଭିତରେ କନ୍ଦଳ ଦେଖିବାକୁ ମିଳିଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଲୋକସଭାରେ ସମାନ ନାଗରିକ ଆଇନ ଲାଗୁ କରିବା ସପକ୍ଷରେ ଭର୍ତ୍ତୃହରି ଯେଉଁ ମନ୍ତବ୍ୟ ଦେଇଥିଲେ, ତାହାକୁ ସମାଲୋଚନା କରିଛନ୍ତି ଦେବାଶିଷ । ଦେବାଶିଷଙ୍କ ମନ୍ତବ୍ୟ ଉପରେ ବି ପ୍ରତିକ୍ରୟା ରଖିଛନ୍ତି ଭର୍ତ୍ତୃହରି ।

ଦୁଇ ବିଜେଡ଼ି ନେତାଙ୍କ ମଧ୍ୟରେ ବାକ୍ ବିନିମୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ଲୋକସଭାର ଶୁନ୍ୟକାଳରେ ଭତୃହରି ସମାନ ନାଗରିକ ସଂହିତା ପ୍ରସଙ୍ଗରେ ଉତଥାପନ କରି ନିଜର ମତ ରଖିଥିଲେ । ଭର୍ତ୍ତୃହରି କହିଥିଲେ ଏକ ପ୍ରକାର ଆଇନର ଅର୍ଥ ନୁହେଁ ଯେ, ସବୁ ଧର୍ମ ଉପରେ ହିନ୍ଦୁ ଧର୍ମର ନିୟମ ଲଦି ଦିଆଯିବ । ବରଂ ସବୁ ଧର୍ମର ନିୟମରୁ ଭଲ କଥା ଆଣି ଗୋଟିଏ ନିୟମରେ ଏକାଠି କରାଯିବ । ସମ୍ବିଧାନ ପ୍ରସ୍ତୁତ କରାଯିବା ସମୟରେ ଏ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ସେତେବେଳେ ଦେଶ ବିଭାଜନର ବିଷମ ପରିସ୍ଥିତି ଦେଇ ଗତି କରୁଥିଲା ।

ତେଣୁ ଯେଉଁ ପ୍ରକାରର ସାମାଜିକ ଓ ଧାର୍ମିକ ନିୟମ ସେ ସମୟରେ ଚଳି ଆସୁଥିଲା ତାହାକୁ ଜାରି ରଖିବାକୁ ଉଚିତ୍ ମନେକରାଗଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଯାଇଥିବା ବେଳେ ବର୍ତମାନ ଏ ପ୍ରସଙ୍ଗରେ ଚର୍ଚ୍ଚା କରି ସରକାର ସମାନ ନାଗରିକ ଆଇନ ଲାଗୁ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ । ନିକଟରେ ଦିଲ୍ଲୀ ଓ ଆହ୍ଲାବାଦ ହାଇକୋର୍ଟ ସମାନ ନାଗରିକ ଆଇନର ଆବଶ୍ୟକତା ଉପରେ ମତ ରଖିଛନ୍ତି ବୋଲି ଭର୍ତ୍ତୃହରି କହିଥିଲେ ।