ପୁଣି ଭର୍ତ୍ତୁହରିଙ୍କୁ ଭରସିଲେ ନବୀନ ! କଟକ ଲୋକସଭା ଆସନ ପାଇଁ ଭର୍ତ୍ତୁହରି ମହତାବଙ୍କୁ ପ୍ରାର୍ଥୀ କଲା ବିଜେଡି । 

351

କନକ ବ୍ୟୁରୋ : ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ନବୀନ ନିବାସରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କଟକ ଲୋକସଭା ଆସନରେ କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଅନେକ ଦିନରୁ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ତେବେ ସବୁ ଚର୍ଚ୍ଚା ଆଲୋଚନାର ଅନ୍ତ ଘଟାଇ କଟକ କାର୍ଡ ଖୋଲିଛନ୍ତି ନବୀନ । କଟକ ଲୋକସଭା ଆସନ ପାଇଁ ପୁଣି ଥରେ ଭର୍ତ୍ତୁହରି ମହତାବଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭରସା ଜିଣିଛନ୍ତି ଭର୍ତ୍ତୁହରି ମହତାବ । ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ଟିକେଟରୁ ଲଢି ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଏପରିକି ୨୦୧୭ ବର୍ଷରେ ତାଙ୍କୁ ଶ୍ରେଷ୍ଠ ସାଂସଦ ଉପାଧି ମଧ୍ୟ ମିଳିଥିଲା । ତେବେ ଚଳିତ ନିର୍ବାଚନରେ କଟକ ଲୋକସଭା ଆସନ ପାଇଁ ବିଜେପି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆଣିନାହିଁ । କଟକରେ ଏଥର କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।