ତେରେଛା ବାଣ ମାରିଲେ ଭର୍ତ୍ତୃହରି ମହତାବ । ଭୁବନେଶ୍ୱରରେ ବିଜେପିର ଆନ୍ଦୋଳନ ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ କଲେ କଟାକ୍ଷ । ସମର୍ଥନ କଲେ ବିଜେପି ନେତା
କନକ ବ୍ୟୁରୋ: ଭର୍ତ୍ତୃହରିଙ୍କ ତେରଛା ବାଣ । ନିଜ ମାଲିକାନାରେ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରରେ ଗତ ୫ ତାରିଖରେ ଭର୍ତ୍ତୃହରିଙ୍କ ଆଲେଖ୍ୟ ଏବେ ରାଜନୈତିକ ମହଲରେ ଆଲୋଚନାକୁ ଖୋରାକ ଯୋଗାଇଛି । ରାଜ୍ୟ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ଲଗାତର ଭାବେ ପ୍ରଶ୍ନ ଉଠାଇ ଆସୁଥିବା ବେଳେ ଭର୍ତ୍ତୃହରି ମଧ୍ୟ ରାଜ୍ୟ ପୋଲିସକୁ ଟାର୍ଗେଟ କରିଛନ୍ତି ।
- ପୋଲିସ ଉପରେ ନାହିଁ ଭର୍ତ୍ତୃହରିଙ୍କ ଭରସା
- ଉଚ୍ଚାରଣ, ଆଚରଣକୁ ନେଇ ନିଜ ଦଳକୁ ଦେଲେ ଉପଦେଶ
ମାର୍ଜିତ ଉଚ୍ଚାରଣ ଓ ଆଚରଣ ଯୋଗୁ ବିଜେଡି ଏତେ ଦିନ ଧରି ରାଜ୍ୟରେ ଶାସନ କରୁଛି । ଆଉ ଏବେ ଏହାର ପ୍ରତିପାଳନ ଉପରେ ଗୁରୁତ୍ୱ ଦେବା ଦରକାର । ସମ୍ପାଦକୀୟ ସ୍ତମ୍ଭରେ ଏମିତି କିଛି ଲେଖି ପୁଣି ଥରେ ନିଜ ଦଳକୁ ତେରେଛା ବାଣ ମାରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ନିଜ ମାଲିକାନାରେ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରରେ ଗତ ୫ ତାରିଖରେ ଭର୍ତ୍ତୃହରିଙ୍କ ଏହି ଆଲେଖ୍ୟ ଏବେ ରାଜନୈତିକ ମହଲରେ ଆଲୋଚନାକୁ ଖୋରାକ ଯୋଗାଇଛି । ଆଉ ଭର୍ତୃହରିଙ୍କ ଏହି ଲେଖାକୁ ବିରୋଧୀ ବିଜେପି ସମର୍ଥନ କରିଥିବା ବେଳେ, ବର୍ଷିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜଧାନୀ ଭୁବନେଶ୍ୱରରେ ବିରୋଧୀ ବିଜେପିର ଆନ୍ଦୋଳନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏମିତି କଟାକ୍ଷ କରିଛନ୍ତି ଏହି ବର୍ଷିୀୟାନ ରାଜନେତା । ରାଜ୍ୟ ପୋଲିସ ବିଭାଗକୁ କାଠଗଡାକୁ ଟାଣିବା ସହ ପ୍ରଶ୍ନ କରିଛନ୍ତି…
- ମାଡ଼ ମାରୁଥିବା ସାଧା ପୋଷାକଧାରୀ କିଏ?
- ଯଦି ସେମାନେ ପୋଲିସ, ବିଭାଗ ସ୍ପଷ୍ଟ କରୁନି କାହିଁକି?
- ସେମାନଙ୍କୁ କିଏ ଦାୟିତ୍ୱ ଦେଇଥିଲା?
- ପୋଲିସ ମାନୁଆଲରେ ଏମିତି ବ୍ୟବସ୍ଥା ଅଛି କି?
- ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?
ବିଜୁ ପଟ୍ଟନାୟକଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଭୁବନେଶ୍ୱରରେ ହୋଇଥିବା ଆକ୍ରମଣକୁ ମନେପକାଇ ଓଡିଶା ପୋଲିସକୁ ଭତ୍ସନା କରିବା ସହ ଉଭୟ ପୋଲିସ ଓ ପ୍ରଶାସନକୁ ଟାର୍ଗେଟ କରିଛନ୍ତି ଭର୍ତ୍ତୃହରି ।