ଯୌତୁକ ନିର୍ଯାତନାର ଅଭିଯୋଗ ଉପରେ ଭର୍ତୃହରିଙ୍କ ପ୍ରତିକ୍ରିୟା । କହିଲେ, ଦିଲ୍ଲୀ କୋର୍ଟରେ ଦୁଇ ବର୍ଷ ଧରି ଚାଲିଛି ପୁଅ-ବୋହୂଙ୍କ ବିବାହ ବିଚ୍ଛେଦ ମାମଲା, ୪ ବର୍ଷ ହେଲା ଭୋପାଳରେ ରହୁଛନ୍ତି ବୋହୂ ସାକ୍ଷୀ ।

342

କନକ ବ୍ୟୁରୋ : ଭର୍ତୃହରି ମହତାବ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ । ବୋହୂ ସାକ୍ଷୀ ମହତାବ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶ ଭୋପାଳ ମହିଳା ଥାନାରେ ଏଫଆଇଆର ଦାୟର କରିଛନ୍ତି ସାକ୍ଷୀ । ଶ୍ୱଶୁର ଭର୍ତୃହରି ମହତାବ ଓ ଶାଶୁ ମହାଶ୍ୱେତା ମହତାବଙ୍କ ନାଁରେ ଅଭିଯୋଗ ହୋଇଛି । ସ୍ୱାମୀ ଲୋକରଂଜନ ମହତାବଙ୍କ ନାଁରେ ମଧ୍ୟ ସାକ୍ଷୀ ମହତାବ ଅଭିଯୋଗ ଆଣିଛନ୍ତି । ଯୌତୁକ ଦାବିରେ ଶାଶୁ, ଶ୍ୱଶୁର ଓ ପତି ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ସାକ୍ଷୀ । ଏପରିକି ନିର୍ଯାତନା ଦିଆଯିବାରୁ ବାଧ୍ୟ ହୋଇ ସେ ଭୋପାଳରେ ଆସି ରହୁଥିବା ଏଫଆଇଆର କପିରେ ଉଲ୍ଲେଖ କରିଛନ୍ତି ସାକ୍ଷୀ ।

୧୭ ଅଗଷ୍ଟ ଅପରାହ୍ଣରେ ଥାନାରେ ଏଫ୍ଆଇଆର ହୋଇଛି । ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ନରେନ୍ଦ୍ର ସିଂହ ତୋମାରଙ୍କ ଝିଆରି ସାକ୍ଷୀଙ୍କୁ ଭର୍ତୃହରି ମହତାବଙ୍କ ପୁଅ ଲୋକରଂଜନ ୨୦୧୬ ଡିସେମ୍ବରରେ ବିବାହ କରିଥିଲେ । ବିବାହର ମାତ୍ର ୪ଦିନ ପରେ ତାଙ୍କ ବାପା, ମାଙ୍କୁ ସାକ୍ଷୀଙ୍କୁ ନେଇ ଯିବା ପାଇଁ ଲୋକରଂଜନଙ୍କ ମା କହିଥିବା ସାକ୍ଷୀ କହିଛନ୍ତି । ତେବେ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ସାକ୍ଷୀଙ୍କ ବାପା, ମା, ଲୋକରଂଜନଙ୍କ ମାଙ୍କ ସହ କଥା ହୋଇଥିଲେ କିନ୍ତୁ ସେ ନିଜ ଜିଦରେ ଅଡି ରହିଥିବା ଏଫଆଇଆରରେ ଲେଖିଛନ୍ତି ସାକ୍ଷୀ । ଏହାପରେ ଡିସେମ୍ବର ୧୭ ତାରିଖରେ ଲୋକରଂଜନ ତାଙ୍କୁ କଟକ ଘରେ ଛାଡି ଆସିଥିଲେ ।

ସାକ୍ଷୀ ଅଭିଯୋଗ କରିଛନ୍ତି, ଘରେ ତାଙ୍କୁ ଚାକରାଣୀ ଭଳି ବ୍ୟବହାର କରାଯାଇଥିଲା । ଘର ସିଡି ତଳେ ଏକ ଛୋଟ ଘର ଦିଆଯାଇଥିଲା । ଯେଉଁଥିରେ ରହିବା ଭଳି ପରିସ୍ଥିତି ନଥିଲା । ବାଥରୁମ୍ ସାୱାର କାମ କରୁନଥିଲା, କି ଆଲୁଅ ଠିକ୍ ଭାବେ ଆସୁନଥିଲା । ଘର ଭିତରେ ନିଜକୁ ଏକୁଟିଆ ଅନୁଭବ କରିବା ସହ ଭୟଭୀତ ଥିବା ଅଭିଯୋଗ କରିଛନ୍ତି ସାକ୍ଷୀ । ଶ୍ୱଶୁର ମଧ୍ୟ ଭଲ ବ୍ୟବହାର କରିନଥିଲେ । ପୂଜା କରିବା ପାଇଁ ଠାକୁର ଘରକୁ ଯିବା ପାଇଁ ଦିଆଯାଉନଥିଲା । ଏହିଭଳି ଅଭିଯୋଗ ନେଇ ଭୋପାଳ ମହିଳ ଥାନାରେ ମାମଲା ରୁଜୁ ହୋଇଛି ।

ସେପଟେ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଭର୍ତୃହରି ମହାତାବ । ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସକୁ ପ୍ରତିକ୍ରିୟା ଦେଇ ଭର୍ତୃହରି ମହତାବ କହିଛନ୍ତି, ପୁଅ ବୋହୂଙ୍କ ବିବାହ ବିଚ୍ଛେଦ ମାମଲା ଦିଲ୍ଲୀ କୋର୍ଟରେ ଚାଲିଛି । ୨ ବର୍ଷ ଧରି କୋର୍ଟରେ ଏହି ମାମଲାର ଶୁଣାଣୀ ଚାଲିଛି । ଉଭୟଙ୍କ ମଧ୍ୟରେ ବୁଝାମଣା ବିଫଳ ପରେ ମାମଲା କୋର୍ଟରେ ପହଞ୍ଚିଛି । ଉଭୟ ସ୍ୱାମୀ-ସ୍ତ୍ରୀ ୪-୫ ଦିନ ଏକାଠି ରହିଛନ୍ତି । ହେଲେ ୪ ବର୍ଷ ହେଲା ବୋହୂ ଭୋପାଳରେ ଏକାକି ରହିଆସୁଛନ୍ତି । ଯୌତୁକ ନିର୍ଯ୍ୟାତନା ନେଇ ଅଭିଯୋଗର କୌଣସି ସତ୍ୟତା ନଥିବା ସେ କହିଛନ୍ତି ।