ଚର୍ଚ୍ଚାରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟ । କମ୍ପନ ସୃଷ୍ଟି କଲା ‘ଧ୍ୱନିପ୍ରତିଧ୍ୱନି’

1,095

କନକ ବ୍ୟୁରୋ: ଦୁଇଦିନ ତଳେ ବୁଲେଇ ବଙ୍କେଇ ମତ ରଖିଥିଲେ, ଆଉ ଏବେ ପୁଣି ସମାନ ଢଙ୍ଗରେ ଆଲେଖ୍ୟ ଲେଖି ରାଜ୍ୟ ରାଜନୀତିରେ କ’ଣ ଚାଲିଛି ତାକୁ ସମାଲୋଚନା କରିଛନ୍ତି ଭର୍ତୃହରି ମହତାବ । ଆଜି ପ୍ରଜାତନ୍ତ୍ରର ସଂପାଦକୀୟ ସ୍ତମ୍ଭ ଧ୍ୱନି ପ୍ରତିଧ୍ୱନିରେ ‘ଲୋକେ କ’ଣ ଭୁଲିଗଲେ ସେବେଳ କିଭଳି ଥିଲା’ ନାଁରେ ଏକ ଆଲେଖ୍ୟ ଲେଖିଛନ୍ତି । ୧୯୭୫ ମସିହାର ଜରୁରିକାଳୀନ ପରିସ୍ଥିତିି କଥା ଉଠାଇ ସାଂପ୍ରତିକ ରାଜନୀତି ଓ ରାଜନେତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଲେଖ୍ୟରେ ଲେଖିଛନ୍ତି ‘ଏକଛତ୍ରବାଦୀ ସାମନ୍ତମାନେ ଏକାୟତ ବିଚାର ପୋଷଣ କରୁଥିବା ନେତା ଓ ବାବୁମାନେ ଏବେ ବି ଆମ ଗହଣରେ ବିଚରଣ କରୁଛନ୍ତି । ମଂଚ ବାନ୍ଧି ସଂଗୃହିତ ଲୋକଙ୍କ ସାମ୍ନାରେ ନିଜର ବଦାନ୍ୟତା ଓ ଲୋକପ୍ରିୟତାକୁ ପ୍ରଦର୍ଶିତ କରିବା ପାଇଁ ଯୋଜନା କେବଳ ଘୋଷଣା କରୁନାହାନ୍ତି ଅର୍ଥ ମଂଜୁର ହେଲା ବୋଲି କହୁଛନ୍ତି’ ।

ତେଣୁ ପ୍ରଶ୍ନ ଉଠୁଛି
କାହା ଉଦ୍ଦେଶ୍ୟରେ ଏଭଳି ଶାଣିତ କଟାକ୍ଷ କରିଛନ୍ତି କଟକ ସାଂସଦ?
କେଉଁ ନେତା ଓ ବାବୁମାନେ ଏକଛତ୍ରବାଦୀ?
କିଏ ସରକାରୀ ଯୋଜନା ଘୋଷଣା ଓ ଅର୍ଥ ମଂଜୁର କରୁଛନ୍ତି?
କାହାକୁ ଇସାରା କରୁଛନ୍ତି ଭର୍ତ୍ତୃହରି ମହତାବ?

ଗତ ଶୁକ୍ରବାର ମଧ୍ୟ ଠିକ ଏହିଭଲି ବୁଲେଇ ବଙ୍କେଇ ମତ ରଖିଥିଲେ କଟକ ସାଂସଦ । ଫାଇଭ-ଟି ସଚିବଙ୍କୁ ନେଇ ସରକାରଙ୍କୁ ଘନଘନ ଆକ୍ରମଣ କରୁଥିବା ବିରୋଧୀଙ୍କୁ ବିଜେଡି ସାଂସଦଙ୍କ ଏଭଳି ତେରେଛା ବାଣ ବେଶ ସୁହାଇଛି । ବିଜେପି ନେତାଙ୍କ ଯୁକ୍ତି- ଜଣେ ସରକାରୀ ଅଧିକାରୀ ନିଜ ସୀମା ଭିତରେ ରହିବା କଥା । ସରକାରଙ୍କ ନିଷ୍ପତ୍ତିକୁ ସରକାରୀ ଅଧିକାରୀ କାର୍ଯ୍ୟକାରୀ କରିବେ । ନୀତି ପ୍ରଣୟନ, ଯୋଜନା ଘୋଷଣା ସହ ଲୋକଙ୍କ ପାଖକୁ ଯାଇ ରାଜନୈତିକ ବ୍ୟବସ୍ଥା ତିଆରି କରିବା ସରକାରୀ ଅଧିକାରୀଙ୍କ ଦାୟିତ୍ୱ ନୁହେଁ । କଂଗ୍ରେସ ନେତା କିନ୍ତୁ ଭର୍ତୃହରିଙ୍କ ତେରେଛା କଥାକୁ ନାପସନ୍ଦ କରିଛନ୍ତି । ଭର୍ତ୍ତୃହରି ଯାହା କହୁଛନ୍ତି ସିଧା କହିବା କଥା । ବୁଲେଇ ବଙ୍କେଇ କହିବା ଠିକ ନୁହେଁ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମତ ରଖିଛନ୍ତି । ବିଜେଡି କହିଛି ବିରୋଧୀ ମାନସିକ ଭାବେ ଦେବାଳିଆ ହୋଇଯାଇଛନ୍ତି । ଜଣେ ସଚିବ ସାଧାରଣ ଲୋକଙ୍କ କଥା ବୁଝିପାରିବେ ନାହିଁ ବୋଲି କେଉଁଠି ଲେଖାଯାଇ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।

ଭର୍ତୃହରିଙ୍କ ଆଲେଖ୍ୟରୁ ସବୁଠାରୁ କଡା କଥାଟି ହେଉଛି- ‘ଗଣତନ୍ତ୍ରର ଏ ନବୀନ ରୂପାନ୍ତରଣରେ ଲୋକେ ଆଜି ଯଦିଓ ଖୁସି ଅଛନ୍ତି ବୋଲି ଜଣା ଯାଉଛି ତଥାପି ମୁଁ କହିବି ସେ ବରାଦିଆ ମଞ୍ଚ ବାହାରେ ଆହୁରି ଅସଂଖ୍ୟ ଲୋକ ଅଛନ୍ତି, ଯେଉଁମାନେ ସୁଯୋଗ ପାଇଲେ ଏ ବ୍ୟବସ୍ଥାକୁ ଉପାଡି ଫୋପାଡି ଦେବେ ।’