ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି ଓ ସିଦ୍ଧାନ୍ତ ମହାପାତ୍ର । ଦିଲ୍ଲୀରେ ଧରିଲେ ପଦ୍ମ । କେଉଁଠୁ ଲଢିବେ ବଢିଲା ଚର୍ଚ୍ଚା ?

1,001

କନକ ବ୍ୟୁରୋ : ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେହିଭଳି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପଦ୍ମ ଧରିଛନ୍ତି । ସିଦ୍ଧାନ୍ତ ଏହାପୂର୍ବରୁ ୨ ଥର ବ୍ରହ୍ମପୁରରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ବ୍ୟତୀତ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଭର୍ତ୍ତୃହରି ବିଜେଡି ଛାଡିବା ପରେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭର୍ତ୍ତୃହରି । ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସେହିଭଳି ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେବେ ବୋଲି ଗତ ୨ ଦିନ ହେବ ଚର୍ଚ୍ଚା ହେଉଥିଲା । ସିଦ୍ଧାନ୍ତ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ୨୦୧୯ରେ ସିଦ୍ଧାନ୍ତଙ୍କୁ ଦଳ ଟିକେଟ ଦେଇନଥିଲା । ଏପରିକି ଏହାପରେ ସିଦ୍ଧାନ୍ତଙ୍କ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । କିନ୍ତୁ କିଛି ମାସ ପୂର୍ବରୁ ସିଦ୍ଧାନ୍ତ ପୁଣିଥରେ ନିର୍ବାଚନ ମଣ୍ଡଳୀ ବୁଲିବା ଆରମ୍ଭ କରିବାରୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ବଢିଥିଲା । ଆଜି ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସିଦ୍ଧାନ୍ତ । ଭର୍ତ୍ତୃହରିଙ୍କୁ ଦଳ କଟକ ଲୋକସଭାରୁ ପ୍ରାର୍ଥୀ କରିପାରେ । ସେହିଭଳି ସିଦ୍ଧାନ୍ତଙ୍କୁ ଦଳ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ।