ବିଜେଡି ସାଂସଦଙ୍କ ସମ୍ପାଦୀକୟ ବଢ଼ାଇଲା ବିବାଦ । ନାଁ ନନେଇ ନେତାଙ୍କୁ ଟାର୍ଗେଟ୍ କଲେ ଭର୍ତ୍ତୃହରି ମହତାବ ।

ପିପିଲିକୁ ଜଗିଛନ୍ତି ବାହାର ଲୋକ, ମନେଇବାକୁ ଯାଉଛନ୍ତି ପିକନିକ୍

777

କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନରେ ଗାଁକୁ ଗାଁ ଜଗିଛନ୍ତି ବାହାର ଲୋକ । ପିପିଲି ନିର୍ବାଚନ ମଣ୍ଡଳୀର ବାସିନ୍ଦା ନହୋଇ ମଧ୍ୟ ଦଳକୁ ଦଳ ବାହାର ଲୋକ ସେଠାକୁ ପିକନିକ ମନେଇବାକୁ ଯାଉଛନ୍ତି । ଯାହା ଦଳୀୟ ନେତୃତ୍ୱ ପାଇଁ ନିଶ୍ଚିତ ଏକ ଆହ୍ୱାନ । ନିଜ ମାଲିକାନାରେ ଥିବା ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ରେ ‘ନିର୍ବାଚନରେ ଗୁଣ୍ଡାଙ୍କ ଉତ୍ପାତ ଓ ନେତୃତ’୍ୱ ଶୀର୍ଷକ ସମ୍ପାଦକୀୟରେ ଏମତିି କିଛି ଲେଖିଛନ୍ତି ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଏହାସହ ବ୍ୟକ୍ତିତ୍ୱ ବଦଳରେ ଲୋକେ ଏବେ ନାଲି ଆଖି ଓ ଠେଙ୍ଗା ଦ୍ୱାରା ଶାସିତ ହେବେ କି ବୋଲି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ତେବେ ଭର୍ତୃହରି କାହାକୁ ଇଙ୍ଗିତ କରି ଏହା ଲେଖିଛନ୍ତି ତାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

କିଛି ଦିନ ପୂର୍ବରୁ ଡଃ ହରେକୃଷ୍ଣ ମହତାବଙ୍କ ପୁସ୍ତକ ‘ଓଡିଶା ଇତିହାସ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ । ଏହାର ଠିକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଭର୍ତ୍ତୃହରିଙ୍କ ବୁଦ୍ଧି ଓ ଅଭିଜ୍ଞତାକୁ ସଦୁପଯୋଗ କରିପାରୁନାହିଁ ବୋଲି ଟୁଇଟ କରିଥିଲେ । ଆଉ ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କୁ କଲମ୍ବସ ବୋଲି ସମ୍ବୋଧନ କରି ବିଜେପି ନିଜ ଦଳର ବରିଷ୍ଠ ନେତା ଆଡଭାଣୀ ଓ ମୁରଲୀ ମନୋହରଙ୍କୁ ଅଣଦେଖା କରୁଥିବା କହିଥିଲେ । ଏପରିକି ରାଜ୍ୟ ରାଜନୀତିରେ ଭର୍ତ୍ତୃହରି ବିଜେପି ଆଡକୁ ଢଳୁଥିବା ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଥିଲା ।

ପୂର୍ବରୁ ବିଭିନ୍ନ ସମୟରେ ମୋଦି ସରକାରକୁ ପ୍ରଶଂସା କରି ଏଡିଟୋରିଆଲ ଲେଖିଛନ୍ତି ବିଜେଡିର ଏହି ବରିଷ୍ଠ ସାଂସଦ । ଏପରିକି ବିରୋଧୀଙ୍କ ପ୍ରଶଂସା କରିଥିବାରୁ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଛି । ଏବେ ଦେଖିବା କଥା, ଭର୍ତ୍ତୃହରିଙ୍କ ଏହି ଆଲେଖ୍ୟକୁ ବିଜେଡି କେଉଁ ନଜରରେ ଦେଖୁଛି ।