ବିଜେଡି ଛାଡିଲେ ଭର୍ତ୍ତୃହରି: ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫାପତ୍ର

106

କନକ ବ୍ୟୁରୋ: ବିଜେଡି ଛାଡ଼ିଛନ୍ତି ହେଭିୱେଟ ଭର୍ତ୍ତୃହରି ମହତାବ । ଯଦିଓ ତାଙ୍କ ପରବର୍ତୀ ରାଜନୈତିକ ପଦକ୍ଷେପ କଣ ହେବ ସେ ନେଇ ସୂଚନା ଦେଇନାହାନ୍ତି । କିନ୍ତୁ ନିର୍ବାଚନର ଠିକ୍ ପୂର୍ବରୁ ବିଜୁ ଜନତା ଦଳର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଭର୍ତ୍ତୃହରି ଦଳ ଛାଡ଼ିବା ବଡ଼ ରାଜନୈତିକ ହଟଚମଟ ସୃଷ୍ଟି କରିଛି । ଗତକାଲି ତାଙ୍କ ବିରୋଧରେ ୧୩ବର୍ଷ ତଳର ଏକ ମାମଲାରେ ଚାର୍ଜଫ୍ରେମ କରିଛନ୍ତି ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟ ।

ପ୍ରିୟ ନବୀନ ବାବୁ
ଯେଉଁ ବିଜୁ ଜନତା ଦଳ ଗଠନ ଆରମ୍ଭରୁ ମୁଁ ସମ୍ପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନ ହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି ।
ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଏହାକୁ ତୁରନ୍ତ ଗ୍ରହଣ କରିବାକୁ ଅନୁରୋଧ ।

ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏଭଳି ଏକ ଚିଠି ଲେଖି ଦଳରୁ ଇସ୍ତଫା ଦେଇଛନ୍ତି ଦଳର ପ୍ରତିଷ୍ଠାତା ସଦସ୍ୟ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ । ଆଉ ଚିଠି ଦେବାର କିଛି ସମୟ ପରେ ସାମ୍ବାଦିକ ସମ୍ମିିଳନୀ କରି ବିଜେଡି ଛାଡିବା ନେଇ ଘୋଷଣା କରିଛନ୍ତି । କାହିଁକି ଛାଡିଲେ ତାହା କ୍ଷୋଭର ସହ ପ୍ରକାଶ କରିଛନ୍ତି । ରାମାୟଣ ଓ ପ୍ରଭୁ ଶ୍ରୀରାମଙ୍କ ଉଦାହରଣ ଦେଇ, ତାଙ୍କର ଧର୍ଯ୍ୟ ସୀମା ଟପିଯାଇଥିବାରୁ ସେ ଦଳ ଛାଡୁଛନ୍ତି ବୋଲି କହିଛନ୍ତି ।

ଗତ କିଛି ମାସ ହେଲାଣି ଭର୍ତ୍ତୃହରିଙ୍କୁ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । ଏପରିକି କଟକରେ ବିଜେଡିରେ କାର୍ଯ୍ୟକ୍ରମ ହେଉଥିଲେ ବି ସେ ଉପସ୍ଥିତ ରହୁନଥିଲେ । ଅନ୍ୟପଟେ ଦିଲ୍ଲୀ ଠାରୁ ଆରମ୍ଭ କରି ଓଡିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିିଲେ । ଯାହାକୁ ନେଇ ଭର୍ତ୍ତୃହରି ବିଜେପି ଆଡକୁ ଢ଼ଳୁଥିବା ଚର୍ଚ୍ଚା ହେଉଥିଲା । ଏସବୁ ଭିତରେ ଭର୍ତ୍ତୃହରିଙ୍କ ବିରୋଧରେ ଥିବା ଏକ ପୁରୁଣାମାମଲାରେ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛି ପୋଲିସ । ହେଲେ, ସେ ବିଜେଡି ଛାଡିବା ପରେ ଅନ୍ୟ କୌଣସି ଦଳରେ ଯୋଗ ଦେବେ କି ନାହିଁ ସେ ନେଇ ସ୍ପଷ୍ଟ କରି ନାହାନ୍ତି ।

ଭର୍ତ୍ତୃହରି କଟକ ଲୋକସଭା ନିର୍ବାଚନ କ୍ଷେତ୍ରରୁ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ୬ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । ୨୦୧୭ରେ ସେ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହୋଇଥିଲେ । ଏଥିସହ ସଂସଦରେ ଭଲ ପ୍ରଦର୍ଶନ ପାଇଁ ଭର୍ତ୍ତୃହରି ୪ଥର ସଂସଦ ରତ୍ନ ପୁରସ୍କାର ପାଇଥିଲେ । ହେଲେ ନିର୍ବାଚନ ପୂର୍ବରୁ ଭର୍ତୃହରି ଦଳ ଛାଡିବା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।