କଟକ ଲୋକସଭା ପାଇଁ ବିଜେଡି-ବିଜେପିର ଯୋଦ୍ଧା ଘୋଷଣା । ବିଜେପିରୁ ଭର୍ତ୍ତୃହରି, ବିଜେଡିରୁ ସଂତୃପ୍ତ ମିଶ୍ର । କିଏ ଉଡାଇବ ବିଜୟ ବାନା?

444

କନକ ବ୍ୟୁରୋ: ଦୀର୍ଘ ଦିନର ଚର୍ଚ୍ଚା ଆଉ ଆଲୋଚନା ଶେଷରେ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବାକି ଥିବା ଯାଜପୁର, କନ୍ଧମାଳ ଆସନ ସହିତ କଟକ ଲୋକସଭା ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ନିକଟରେ ବିଜେଡିକୁ ବାଏ ବାଏ କହି ପଦ୍ମ ଧରିଥିବା ନେତା ତଥା କଟକର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦଳ ଏଥର ଲୋକସଭା ନିର୍ବାଚନ ଲଢିବାକୁ ପ୍ରାର୍ଥୀ କରିଛି । ଯାହା ପରେ ଏବେ ସେଠାରେ ସଂତୃପ୍ତ ବନାମ ଭର୍ତ୍ତୃହରି ଲଢେଇ ଦେଖିବାକୁ ମିଳିବ ।

ବଡମ୍ବା, ବାଙ୍କୀ, ଆଠଗଡ, ବାରବାଟୀ-କଟକ, ଚୌଦାର-କଟକ, କଟକ ସଦର ସହ ଖଣ୍ଡପଡା ବିଧାନସଭା କ୍ଷେତ୍ରକୁ ନେଇ ଗଠନ ହେଇଥିବା କଟକ ଲୋକସଭା ଆସନ ପାଇଁ ବିଜେଡି ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । ଭର୍ତ୍ତୃହରି ମହତାବଙ୍କ ବଦଳରେ ଏଥର କଟକରୁ ବିଜେଡି ପ୍ରାର୍ଥୀ ହେଇଛନ୍ତି ସଂତୃପ୍ତ ମିଶ୍ର । ତେବେ ସଂତୃପ୍ତ ନିକଟରେ ବିଜେଡିରେ ସାମିଲ ହେଇଥିବାବେଳେ, ଦଳ ତାଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଆଉ ଅନ୍ୟପଟେ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଭର୍ତ୍ତୃହରିଙ୍କୁ ପଦ୍ମ ଶିବିରରେ ମିଳିଛି ପୁଣି ଲୋକସଭା ଟିକେଟ୍ । ତେଣୁ ଦେଖିବା ବାକି ରହିଲା, ଏଥର କଟକ ଲଢେଇ କେତେ ଜୋରଦାର ହେଉଛି ?

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଟକ ଲୋକସଭା ଆସନରୁ ୬-୬ ଥର ସାଂସଦ ହେଇଛନ୍ତି ଭର୍ତ୍ତୃହରି ମହତାବ । ଅନ୍ୟପଟେ ତାଙ୍କ ଆଗରେ ସଂତୃପ୍ତ ମିଶ୍ର ରାଜନୀତିରେ ଜଣେ ନୂଆ ମୁହଁ । ତେଣୁ କଟକରେ ଏଥର ଅଭିଜ୍ଞ ବନାମ ନୂଆ ମୁହଁ ଭିତରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରେ ମୁହାଁମୁହିଁ ହେଇଥିଲେ ଭର୍ତ୍ତୃହରି ମହତାବ ଏବଂ ପ୍ରକାଶ ମିଶ୍ର । ତେବେ ସେତେବେଳେ କିନ୍ତୁ ମହତାବ ବିଜେଡି ଟିକେଟରୁ ନିର୍ବାଚନ ଲଢୁଥିବାବେଳେ, ପ୍ରକାଶ ମିଶ୍ର ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ହେଲେ ଏଥର କିନ୍ତୁ କଟକ ରାଜନୀତିର ଦିଗ ପରିବର୍ତ୍ତନ ହେଇଛି । ଆଉ ବିଜେଡି ବଦଳରେ ଏଥର ପଦ୍ମ ଶିବିରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ଭର୍ତ୍ତୃହରି ମହତାବ ।