କନକ ବ୍ୟୁରୋ: ବ୍ୟାଙ୍କମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ ପ୍ରସଙ୍ଗ । ଏନଏଚଆରସିକୁ ଗଲା ଭାରତୀ ସିଂଙ୍କ ମାମଲା । ବିନା କାରଣ ଓ ନୋଟିସରେ ନିଲମ୍ବନକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ଏନେଇ ମାନବାଧିକାର ଉଲ୍ଲଂଘନ କରାଯାଥିବା ନେଇ ହୋଇଥିଲା ଅଭିଯୋଗ । ତେଣୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏନଏଚଆରସିକୁ ଯାଇଛି ମାମଲା । ତେବେ ଏହି ମାମଲାରେ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ତେବେ ପୂର୍ବରୁ ଭଲ କାମ ପାଇଁ ପୁରସ୍କୃତ ହୋଇଥିଲେ ବ୍ୟାଙ୍କମିତ୍ର ଭାରତୀ ସିଂ । କୋଭିଡ୍ ସମୟରେ ନିଜ ସ୍ବଳ୍ପ ଦରମା ଟଙ୍କା ରେଡକ୍ରସ୍ ପାଣ୍ଠିକୁ ଦାନ କରି ବିଭିନ୍ନ ମହଲରେ ପ୍ରଶଂସା ବି ସାଉଁଟିଥିଲେ। ହେଲେ ନିଜର ହକ୍ ପାଇଁ ବ୍ୟବସ୍ଥା ବିରୋଧରେ ଯେବେ ମୁହଁ ଖୋଲିଲେ, ତାଙ୍କୁ ଚାକିରିରୁ ନିଲମ୍ବନ କରିଦିଆଗଲା। ମୟୂଭରଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ର ଆଦିବାସୀ ମହିଳା ଭାରତୀ ସିଂ। ବ୍ୟାଙ୍କମିତ୍ର ଭାବେ ୪ ବର୍ଷ ହେଲା କାମ କରୁଥିଲେ । ପରିବାର ସମ୍ଭାଳିବା ସହ ସୂଚାରୁ ଭାବେ ନିଜ କାମ କରି ବ୍ଲକ୍ସ୍ତରରେ ୨ ଥର ଓ ଜିଲ୍ଲାସ୍ତରରେ ଥରେ ପୁରସ୍କୃତ ହୋଇଥିଲେ। କୋଭିଡ୍ ମହାମାରୀ ସମୟରେ ଦରମା ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଥିଲେ ଭାରତୀ। ଗତ ୧୧ ତାରିଖରେ ଭୁବନେଶ୍ୱରରେ ଚାଲିଥିବା ସ୍ୱୟଂସହାୟିକା ମହିଳାମାନଙ୍କ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ଦାବି ବାବଦରେ ସେ ଗଣମାଧ୍ୟମ ସମ୍ମୁଖରେ ନିଜ ମତ ରଖିଥିଲେ।
Follow Us