କୃଷକ ଆନ୍ଦୋଳନ : ୨୨ ତାରିଖରୁ ସଂସଦ ଭବନ ଆଗରେ କୃଷକଙ୍କ ‘କିଷାନ ପଞ୍ଚାୟତ’ । ଦୈନିକ ୨୦୦ କୃଷକଙ୍କୁ ନେଇ ପଞ୍ଚାୟତ

95

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଦେଶରେ ଚାଲିଥିବା ଆନ୍ଦୋଳନ ଏବେ ନୂଆ ରୂପ ନେବାକୁ ଯାଉଛି । ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ କୃଷକ ମାନେ ୨୨ ତାରିଖରୁ ସଂସଦ ଭବନ ଆଗରେ ‘କିଷାନ ପଞ୍ଚାୟତ’ କରିବେ ବୋଲି ଜଣାପଡିଛି । ଏନେଇ ଭାରତୀୟ କିଷାନ ମୋର୍ଚ୍ଚା ସ୍ପଷ୍ଟ କରିଛି କି ସଂସଦ ଭବନ ଘେରାଓ କରିବାରେ ତାଙ୍କର କିଛି ଉର୍ଦ୍ଦେଶ୍ୟ ନାହିଁ । ସେମାନେ ସଂସଦ ଭବନ ନିକଟ ଜନ୍ତରମନ୍ତର ଠାରେ କିଷାନ ପଞ୍ଚାୟତ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ କରିବେ ।

ଭାରତୀୟ କୃଷକ ସଂଘର ଗଣମାଧ୍ୟମ ପ୍ରଭାରୀ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି କି ଜୁଲାଇ ୨୨ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା କିଷାନ ପଞ୍ଚାୟତକୁ ଯାଉଥିବା ସଂଗଠନ ଗୁଡିକର ଏକ ରୋଷ୍ଟର ଲିଭର ପ୍ରସ୍ତୁତ କରାଯାଇଛି । ଏହି କିଷାନ ମହାପଞ୍ଚାୟତରେ ସାମିଲ ହେବାକୁ ସାରା ଦେଶର ୨୦୦ ଟି କୃଷକ ସଂଗଠନ ମାନଙ୍କୁ ଚିହ୍ନଟ କରାଯାଇଛି । ପ୍ରତିଦିନ ପ୍ରତିଟି ସଂଗଠନର ୫ ଜଣ ଲେଖାଏଁ କୃଷକ କିଷାନ ମହା ପଞ୍ଚାୟତରେ ଯୋଗ ଦେବେ । ଏହି କୃଷକମାନେ ଜନ୍ତର-ମନ୍ତର ଯିବାକୁ ଟ୍ରାକ୍ଟର ବ୍ୟବହାର ନକରି ବସରେ ଯିବେ ।

ଅନ୍ୟପଟେ କିଷାନ ମହାପଞ୍ଚାୟତରେ ଯୋଗ ଦେବାକୁ ଥିବା କୃଷକ ମାନଙ୍କ ପାଖରେ ଆଧାର କାର୍ଡ ରହିବ । ଏହାସହ ଭାରତୀୟ କିଷାନ ୟୁନିୟନ ବି ସେମାନଙ୍କୁ ପରିଚୟପତ୍ର ଜାରି କରିବ । ଏହାସହ ସଂସଦ ଚାଲୁଥିବା ପର୍ଯ୍ୟନ୍ତ ମହାପଞ୍ଚାୟତ ବସିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
କହିରଖୁ କି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂଆ କୃଷିନୀତିକୁ କୃଷକ ସଂଗଠନମାନେ ବିରୋଧ କରି ୮ ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ଅନେକ ଥର ବୈଠକ ହୋଇଥିଲେ ବି କିଛି ସୁଫଳ ମିଳିପାରି ନାହିଁ ।