ଜୋର ଧରିଲା ରାସନ ରାଜନୀତି । ଦୁଆର ମୁହଁରେ ରାସନ ପହଂଚାଇବା ନେଇ ବିଜେପି ଆପ୍ ମୁହାଁମୁହିଁ । ସିସୋଦିଆ କହିଲେ ରାଜ୍ୟ ସରକାରଙ୍କ ସହ ଝଗଡ଼ା କରିବା ପାଲଟିଛି ବିଜେପିର କାମ ।

362

କନକ ବ୍ୟୁରୋ : ଜୋର ଧରୁଛି ରାସନ ରାଜନୀତି । ଯାହକୁ ନେଇ ଏବେ ପରସ୍ପରକୁ ଆରୋପ-ଦୋଷାରୋପ କରୁଛନ୍ତି ଦିଲ୍ଲୀ ଓ କେନ୍ଦ୍ର ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘରେ ଘରେ ରାସନ ଯୋଜନା ଘୋଷଣା କରିବା ପରେ ଆରମ୍ଭ ହୋଇଯାଇଛି ବିଜେପି ଓ ଆମ୍ ଆଦମୀ ପାର୍ଟି ଭିତରେ ତୁତୁ ମେମେ । ବିଜେପି କେଜ୍ରିୱାଲଙ୍କୁ ସମାଲୋଚନା କରି କହିଛି, ଯେଉଁ ସରକାର ଅକ୍ସିଜେନ, ମେଡିସିନ୍ ଯୋଗାଇ ପାରୁନି ସେ ରାସନ କିପରି ଯୋଗାଇବ । ସେପଟେ ଜବାବରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ବିଜେପିର ନାମ ଭାରତୀୟ ଜନତା ପାର୍ଟି ନୁହେଁ, ଭାରତୀୟ ଝଗଡା ପାର୍ଟି ରହିବା କଥା ।

ଦିଲ୍ଲୀରେ ରାସନ ରାଜନୀତି । ମୁହାଁମୁହିଁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର । ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଘରେ ଘରେ ରାସନ ଯୋଜନା ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଏନେଇ ସମାଲୋଚନା କରିବା ପରେ ସାମ୍ନାକୁ ଆସି ଜବାବ ରଖିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ କହିଛନ୍ତି ବିଜେପିର ନାମ ଭାରତୀୟ ଜନତା ପାର୍ଟି ନହୋଇ ଭାରତୀୟ ଝଗଡା ପାର୍ଟି ହେବା ଉଚିତ୍ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସିସୋଦିଆ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ମନ୍ତବ୍ୟର କଡ୍ଡା ଜବାବ ଦେଇଛନ୍ତି । ତାଙ୍କ ନାମ ନନେଇ ସିସୋଦିଆ କହିଛନ୍ତି ଆଜିକାଲି କେନ୍ଦ୍ରମନ୍ତ୍ରୀ ମାନଙ୍କର ଗୋଟିଏ କାମ ରହିଛି କେବଳ ଅରବିନ୍ଦ କେଜ୍ରିୱାଲଙ୍କୁ ଗାଳି ଦେବା ।

ପୂର୍ବରୁ ଦିଲ୍ଲୀ ସରକାରଙ୍କ ଘର ଘର ରାସନ ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଯେ ଆପ ସରକାରର ଏହି ଯୋଜନା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସନ ଘୋଟାଲା କରିବା । ଯେଉଁ ସରକାର ଲୋକଙ୍କୁ ଅକ୍ସିଜେନ୍, ମେଡିସିନ୍ ଯୋଗାଇ ପାରୁନାହିଁ ସେ ଲୋକଙ୍କୁ ରାସନ୍ କଣ ଯୋଗାଇବ ? ସାମ୍ବାଦିକ ସମ୍ମିଳନୀ ଜରିଆରେ ରବିଶଙ୍କର ପ୍ରସାଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି । ସେ ପଚାରିଛନ୍ତି ୱାନ ନେଶନ୍ ୱାନ ରାଶନ୍ କାର୍ଡ ଯୋଜନା ଦିଲ୍ଲୀରେ କାହିଁ ଲାଗୁ ହୋଇନାହିଁ ?

ସେପଟେ ଦିଲ୍ଲୀ ସରକାର ଘୋଷଣା କରିଥିବା ଘର ଘର ରାସନ ଯୋଜନାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି । ହିତାଧିକାରୀଙ୍କୁ ଶୁକ୍ରବାର ଠାରୁ ସରକାରୀ ରାସନ ଦୋକାନରୁ ରାସନ ସାମଗ୍ରୀ ନେଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ, ଦିଲ୍ଲୀର ପ୍ରତ୍ୟେକ ହିତାଧିକାରୀଙ୍କୁ ମାଗଣାରେ ୪ କେଜି ଅଟା, ୧ କେଜି ଚାଉଳ ଏବଂ ୫କେଜିର ଅନ୍ୟ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦିଲ୍ଲୀ ସରକାର ।