କନକ ଟ୍ରେଣ୍ଡିଂ : ଭାରତ ଯୋଡ଼ ଯାତ୍ରା , କଂଗ୍ରେସ ପାଇଁ ବେଟିଂ ନା ରାହୁଲଙ୍କ ରିଲଞ୍ଚିଙ୍ଗ 

533

କନକ ଟ୍ରେଣ୍ଡିଂ : ପାର୍ଟି ନୁହେଁ ପ୍ରାଇଭେଟ ଲିମିଟେଡ କମ୍ପାନି, ଚାଲିଛି ରାଜାରାଜୁଡା ଶାସନ… ଜାତୀୟ ସ୍ତରରେ ଗୃହରେ ଯୁଦ୍ଧ ପରିସ୍ଥିତି ଆଉ ଲିଜଡରସିପକୁ ନେଇ କ୍ରାଇସେସ । ବିବାଦ, ବିଦ୍ରୋହ ଓ ନେତୃତ୍ବକୁ ନେଇ ଦ୍ବନ୍ଦ ମଧ୍ୟରେ ଭାରତୀୟ ରାଜନୀତିର ପୃଷ୍ଟଭୂମିରେ ଆଜିର ଦିନରେ ସବୁଠୁ ବଡ ପୁରାତନ ରାଜନୈତିକ ଦଳ ବାହାରି ପଡିଛି ଦେଶରେ ନିଜର ଅସ୍ଥିତ୍ବ ଖୋଜିବା ପାଇଁ…ଖାସ ସେଥି ପାଇଁ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା- ଭାରତ ଯୋଡ଼ ଯାତ୍ରା । ହଁ ଆମେ ଏଠାରେ କହୁଛୁ କଂଗ୍ରେସର ଭାରତ ଯୋଡ ଯାତ୍ରା କଥା । ଭାରତ ଯୋଡ ଯାତ୍ରା ଏଭଳି ସମୟରେ ହୋଇଛି ଯେତେବେଳେ ଗୋଟିଏ ପଟେ କଂଗ୍ରେସରେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳୀୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି, ଅନ୍ୟପଟେ ଦଳ ମଧ୍ୟରେ ରାହୁଲଙ୍କ ନେତୃତ୍ବ ଓ ଜନଗଣରେ ତାଙ୍କ ରାଜନୈତିକ ସ୍ଥିତିକୁ ପୁନଃଅବସ୍ଥାପିତ କରିବାକୁ ଦଳ ଓ ନେତୃତ୍ବ ଉଭୟ ସଂଘର୍ଷ ଆରମ୍ଭ କରୁଛନ୍ତି ।

କଂଗ୍ରେସରେ ନେତୃତ୍ବକୁ ନେଇ ଦ୍ବନ୍ଦ

୨୦୧୪ ଲୋକସଭା ନିର୍ବାଚନ ପରେ ଏକ ବଡ ରାଜନୈତିକ ବିପର୍ଯ୍ୟୟରେ ସମ୍ମୁଖିନ ହୋଇଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ୨-୨ଟି ଲୋକସଭା ନିର୍ବାଚନ ହାରିଛି । ୨୦୧୪ ରୁ ୨୦୨୨ ମଧ୍ୟରେ ୪୯ ଟି ବିଧାନସଭା ନିର୍ବାଚନ ମଧ୍ୟରୁ ୩୯ ଟିରେ କଂଗ୍ରେସ ପରାଜୟ ବରଣ କରିଛି । ଗାନ୍ଧୀ ଲିଗାସି ଦିନେ ନେତୃତ୍ବ କରିଷ୍ମା ଦେଖାଇବ ଭାବି କିଛି ନେତା ଆଜି ମଧ୍ୟ ରାହୁଲଙ୍କୁ ଦଳର ସର୍ବୋଚ୍ଚ ପଦରେ ବସାଇବାକୁ ଦାବି କରୁଥିବା ବେଳେ, ପରାଜୟ ଓ ବିପର୍ଯ୍ୟୟର ଧାରା ଭାଙ୍ଗିବାକୁ କଂଗ୍ରେସର ଶକ୍ତିଶାଳୀ ନେତା ସମୁହ ଅଣ ଗାନ୍ଧି ନେତାଙ୍କ ହାତରେ ଦଳର କମାଣ ଦେବାକୁ ଦାବି କରିଛନ୍ତି ।

ବିରୋଧୀ ମେଳିର ନେତା ହେବେ ନା ଦଳରେ ସ୍ଥିତି ସୁଦୃଢ କରିବେ….

ଲୋକସଭା ନିର୍ବାଚନରେ ପ୍ରାୟ ଦେଢ ବର୍ଷ ବାକି ଅଛି । କିନ୍ତୁ ଦେଶରେ ରାଜନୈତିକ ମାହୋଲର ଉଷ୍ଣତା ବେଶ ବାରି ହୋଇ ପଡୁଛି । ବିରୋଧି ମେଳିରେ ନୀତିଶ, ମମତା, କେ ଚନ୍ଦ୍ରଶେଖର ରାଓ, କେଜରିୱାଲ, ଷ୍ଟାଲିନ ଓ ବାମ ଦଳ । ବିରୋଧୀଙ୍କ ଚିନ୍ତନ ପର୍ଯ୍ୟାୟ ଏବେ ଭେଟଘାଟ ପର୍ଯ୍ୟନ୍ତ ଗଲାଣି । ବିରୋଧୀ ନେତାଙ୍କ ଏକାଠି କରିବାରେ ବଡ ଭୂମିକା ରାହୁଲ ନେଉଛନ୍ତି । ଅନ୍ୟପଟେ ବିଜେପି ଆକ୍ରମଣାତ୍ମକ ରାଜନୀତି ବିରୋଧୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ବିଜେପି ଏବେଠୁଁ ରଣ ହୁଙ୍କାର ଦେଲାଣି । ଦଳ ଏଥର ହ୍ୟାଟ୍ରିକ ମାରିବ ବୋଲି କହୁଛି । ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏଭଳିଥିବା ବେଳେ ଭାରତ ଯୋଡ଼ ଯାତ୍ରାକୁ ଏକ ଅଣ ରାଜନୈତିକ ମଞ୍ଚଭାବେ କଂଗ୍ରେସ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି । କିନ୍ତୁ ଦଳର ପ୍ରକୃତ ଉଦେଶ୍ୟ କାହାରିକୁ ଅଛପା ନାହିଁ । ଚର୍ଚ୍ଚା ଏମିତି ବି ହେଉଛି ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ କଂଗ୍ରେସ ରାହୁଲଙ୍କୁ ରିଲଞ୍ଚିଙ୍ଗ କରିବାକୁ ଚେଷ୍ଟା କରୁଛି । ଯାହାକି ରାଜନୀତିର ପଶାପାଲିରେ ରାହୁଲଙ୍କ ସପକ୍ଷରେ କଂଗ୍ରେସର ଏହା ସବୁଠୁ ବଡ ଓ ଶେଷ ବାଜି ବୋଲି ରାଜନୈତିକ ବିଶେଷ୍ଲକମାନେ ମତ ଦିଅନ୍ତି । ରାଜନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି ରାଜନୀତିରେ ରାହୁଲ ୨ ଦଶକ ହେବ ସକ୍ରିୟ ଅଛନ୍ତି ।ହେଲେ ପାୱାର ପଲିଟିକ୍ସରେ ସେ ସେମିତି କିଛି ମ୍ୟାଜିକ ଦେଖାଇ ପାରିନାହାନ୍ତି । ଗତ ଲୋକସଭା ନିର୍ବାଚନର ପରାଜୟର ଶିକା ମଧ୍ୟ ତାଙ୍କମୁଣ୍ଡରେ ଛିଡିଛି । କଂଗ୍ରେସର କ୍ରମାଗତ ବିପର୍ଯ୍ୟୟ ଦଳର ନେତାଙ୍କୁ ପ୍ରଭାବିତ କରିଛି, ନେତା ଦଳ ଛାଡିଛନ୍ତି, ରାହୁଲଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି ।

ଚର୍ଚ୍ଚା ଚାଲିଛି କଂଗ୍ରେସର ଖସୁଥିବା ଜନାଧାର ବୋଧ ହୁଏ ରାହୁଲଙ୍କୁ ଭାରତ ଯୋଡ଼ ଯାତ୍ରାରେ ବାହାରିବାକୁ ବାଧ୍ୟ କରିଛି । ୫ ମାସ ଚାଲିବାକୁ ଥିବା ଏହି ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧୀ କଂଗ୍ରେସ କର୍ମୀଙ୍କ ନିକଟତର ହେବାରୁ ପ୍ରାୟାସ କରିବେ ଓ ଦଳକୁ ସଂଗଠିତ କରିବାକୁ ଚେଷ୍ଚା କରିବେ ।

ଭାରତ ଯୋଡ ଯାତ୍ରା ବନାମ ଭାରତ ବଚାଓ ରାଲି

ତେବେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡଯାତ୍ରା ତାଙ୍କର ପୂର୍ବ ଏକ କାର୍ଯ୍ୟକ୍ରମର ବର୍ଦ୍ଧିତ ସଂସ୍କରଣ ବୋଲି ରାଜନୈତିକ ବିଷ୍ଳେଶକ ମାନେ ମତ ଦେଉଛନ୍ତି । ୨୦୧୯ ପୂର୍ବରୁ ରାହୁଲ ଗାନ୍ଧି ନେତୃତ୍ବରେ ଦେଶରେ କଂଗ୍ରେସ ପ୍ରାୟ ୨୦୦ରୁ ଅଧିକ ରାଲି କରଥିଲା…ରାହୁଲ ବିଭିନ୍ନ ରାଜ୍ୟକୁ ଯାଇଥିଲେ, ସାଧାରଣ ସଭା ମଧ୍ୟ କରିଥିଲେ । ଏସବୁ ରାଲି ଚାଲିଥିଲା ଭାରତ ବଚାଓ ରାଲି ନାଁରେ । ୨୦୧୭ରୁ ଆରମ୍ଭ ହୋଇଥିବା ଭାରତ ବଚାଓ ରାଲି ୨୦୧୯ ନିର୍ବାଚନ ପର୍ୟ୍ୟନ୍ତ ଚାଲିଥିଲା । ଏବେ ରାହୁଲ ଆରମ୍ଭ କରିଛନ୍ତି ଭାରତଯୋଡ଼ ଯାତ୍ରା।

ଭାରତ ବଚାଓ ରାଲି କଂଗ୍ରେସକୁ ୨୦୧୪ ଲୋକସଭାର ନିର୍ବାଚନରେ ୪୪ ଆସନରୁ ୨୦୧୯ ଲୋକସଭା ନିର୍ବାଚନରେ ୫୩ ଆସନରେ ପହଞ୍ଚାଇଥିଲା । ହେଲେ ବିପକ୍ଷର ମାନ୍ୟତା ହରାଇଥିଲା କଂଗ୍ରେସ । ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି ରାଷ୍ଟ୍ରୀୟ ରାଜନୀତି ପରିପ୍ରେକ୍ଷୀରେ ଏହି ପଦଯାତ୍ରା ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସକୁ କଣ ତାର ଜନାଧାର ଫେରାଇପାଇବ ଓ ଏହା ସହ କଣ ଏହି ପଦଯାତ୍ରା ରାହୁଲଙ୍କୁ ରାଷ୍ଟ୍ରୀୟ ରାଜନୀତିର ଏକ ମଜବୁତ ଶୀର୍ଷ ନେତା ହିସାବରେ ଉପସ୍ଥାପତି କରିପାରିବ ?

ବର୍ତ୍ତମାନେ କେରଳ ଓ ତାମିଲନାଡୁରେ ରାହୁଲଙ୍କ ପଦଯାତ୍ରାରେ ଯେଉଁ ଭଳି ପ୍ରଦର୍ଶିତ ହେଉଛି, ସୋସିଆଲ ମିଡିଆରେ ଭିଡିଓକୁ ଦେଖିଲେ ଲାଗୁଛି, ରାହୁଲଙ୍କ ଲିଡରସିପକୁ ନେଇ ଏକ ପବ୍ଲିକ ଅପିଲ ରହିଛି। କିନ୍ତୁ ଯଦି ଆମେ ନିକଟ ଅତୀତରେ ଉତ୍ତର ପ୍ରଦେଶ ନିର୍ବାଚନ ବେଳେ ପ୍ରିୟଙ୍କା ଗାନ୍ଧିଙ୍କ ରାଲି ଚିତ୍ର ମନେପକାଉ, ଚିତ୍ର ଠିକ୍ ଏହିପରି କିଛି ଥିଲା.. ମେ ଲଡକି ହୁଁ , ଲଢ ଶକତି ହୁଁ , ନିର୍ବାଚନୀ ଡାକରା, ପ୍ରିୟଙ୍କା ରାଲିରେ ବେଶ ଭିଡ ଜମାଇଥିଲେ । କିନ୍ତୁ ସତରେ ଏହା କଣ ଭୋଟରେ ପରିବର୍ତ୍ତିତ ହୋଇଥିଲା ? ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସର ଭୋଟ ସେୟାର ରହିଥିଲା ମାତ୍ର ୨ ପ୍ରତିଶତ ।

ତଥାପି ରାହୁଲ ପ୍ରେମୀଙ୍କ ଆଶା ଭାରତ ବଚାଓ ରାଲି ଭଳି ଭାରତଯୋଡ ପଦଯାତ୍ରା କଂଗ୍ରେସ ପାଇଁ ବେଶୀ ଉପଯୋଗୀ ହେବ । ଏ ଯାତ୍ରା ମାଧ୍ୟମରେ କଂଗ୍ରେସ ତାର ପୁରୁଣା କର୍ମୀମାନଙ୍କୁ ଏକାଠି କରିବ ଏହି ଯାତ୍ରା ମାଧ୍ୟମରେ ଦଳ ଲୋକଙ୍କ ପାଖରେ ପହଂଚିବ । ଜନମାନସରେ ଏହା ରାହୁଲଙ୍କ ନେତୃତ୍ବକୁ ନେଇ ଏକ ସକାରାତ୍ମକ ଛବି ଅବତାରଣ କରିବ । ଏହା ସହ ଯେହେତୁ ରାହୁଲ ସାଧାରଣ ଲୋକଙ୍କ ସମସ୍ୟା- ସାମାଜିକ ଧୃବିକରଣ, ଦରଦାମ ବୃଦ୍ଧି, ବେରୋଜଗାରୀ କଥା କହୁଛନ୍ତି, ସେ ଲୋକଙ୍କ ନିକଟରେ ଗ୍ରହଣ ଯୋଗ୍ୟ ହେବେ , ଯାହାର ନିର୍ବାଚନୀ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି ଆଶା କରାଯାଉଛି । ତେବେ ରାଷ୍ଟ୍ରୀୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ ପାଇଁ କଂଗ୍ରେସ ଯେଉଁ ବାଣ ମାରିଛି ତାହା ଖୋଲା ଆକାଶରେ ହଜିଯିବ ନା ଲକ୍ଷ୍ୟ ସ୍ଥଳରେ ବାଜିବ ସେଥିପାଇଁ ରାହୁଲଙ୍କୁ ନିଜ ଦଳ, ବଳ ଓ ବୟାନକୁ ଶାଣିତ ଓ ସୁରକ୍ଷିତ ରଖି କାମ କରିବାକୁ ପଡିବ ।