ସ୍କୁଲ ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ । ସୁପାରିସ କଲା ଏନସିଇଆରଟି ପ୍ୟାନେଲ୍

95

କନକ ବ୍ୟୁରୋ: ଦେଶର ନାଁ ଇଣ୍ଡିଆ ନା’ ଭାରତ, ଏହାକୁ ନେଇ ଦେଶବ୍ୟାପୀ ବିତର୍କ ଚାଲିଥିବା ବେଳେ ବଡ଼ ନିଷ୍ପତି ନେଇଛି ଏନସିଇଆରଟି । ଏଣିକି ପିଲାମାନଙ୍କୁ ଦେଶର ନାମ ଇଣ୍ଡିଆ ନୁହେଁ ଭାରତ ପଢ଼ାଯିବ । ଏନସିଇଆରଟି ବହିରେ ଦେଶର ନାମ କେବଳ ଭାରତ ଲେଖାଯିବ । ଏ ନେଇ ଶିକ୍ଷା ମନ୍ତ୍ରାଳୟକୁ ସୁପାରିସ୍ କରିଛି ଏନସିଇଆରଟିର ୭ ଜଣିଆ କମିଟି । ସର୍ବସମ୍ମତିକ୍ରମେ ଏପରି ଐତିହାସିକ ନିଷ୍ପତି ନିଆଯାଇଛି । ଏନସିଇଆରଟି ବହିରେ ଦେଶର ନାମ ଯେଉଁଠି ଇଣ୍ଡିଆ ଲେଖା ହୋଇଛି ତାକୁ ଭାରତ କରିବା ପାଇଁ ସୁପାରିସ୍ କରାଯାଇଛି ।

ଏନସିଇଆରଟି ଅଧ୍ୟକ୍ଷ ସି.ଆଇ ଆଇଜାକ୍ କହିଛନ୍ତି…

  • ଭାରତ ହେଉଛି ପୁରାତନ ନାମ
  • ୭ ହଜାର ବର୍ଷ ପୁରୁଣା ‘ବିଷ୍ଣୁ ପୁରାଣ’ରେ ଏହି ନାଁ ଉଲ୍ଲେଖ ରହିଛି
  • ‘ଇଣ୍ଡିଆ’ର ପ୍ରଚଳନ ଇଷ୍ଟ ଇଣ୍ଡିଆ କଂପାନୀ ଆସିବା ପରେ ହୋଇଥିଲା
  • ଭାରତର ଇତିହାସକୁ ଇଂରେଜମାନେ ୩ ଭାଗରେ ବିଭକ୍ତ କରିଥିଲେ
  • ପୁରାତନ, ମଧ୍ୟଯୁଗୀୟ ଓ ଆଧୁନିକ ଇତିହାସ
  • ଯାହା ଭାରତକୁ ଭିନ୍ନ ଭାବେ ଉପସ୍ଥାପନ କରିଆସିଛି
  • ବିଜ୍ଞାନ କ୍ଷେତ୍ରରେ ଅବଦାନ ଓ ଅନ୍ୟାନ୍ୟ ସଫଳତା ସଂପର୍କରେ ଉଲ୍ଲେଖ ନାହିଁ
  • ପୁରାତନ ଇତିହାସ ବଦଳରେ ପାଠ୍ୟକ୍ରମରେ ଏଣିକି ସ୍ଥାନ ପାଇବ ଶାସ୍ତ୍ରୀୟ ଇତିହାସ
  • ହିନ୍ଦୁ ଯୋଦ୍ଧାଙ୍କ ବିଜୟ ଗାଥାକୁ ଗୁରୁତ୍ୱ ଦେବା ପାଇଁ ଦିଆଯାଇଛି ପ୍ରସ୍ତାବ

ଇଣ୍ଡିଆ ବଦଳରେ ଭାରତ ଏବଂ ଇତିହାସର ପରିବର୍ତନ ନେଇ ଉଦ୍ୟମ ହେଉଥିବା ଅଭିଯୋଗ କରୁଛନ୍ତି ବିରୋଧୀ ଦଳ । ହେଲେ ଏହା ସପକ୍ଷରେ ଯୁକ୍ତି ବାଢି ଆସୁଛି ବିଜେପି । ସୂଚନାଯୋଗ୍ୟ ଯେ, ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖିଥିଲେ କେନ୍ଦ୍ର ସରକାର । ସରକାରୀ ଭାବେ ପ୍ରଥମ ଥର ଏପରି ହୋଇଥିଲା । ସେହିପରି ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନାମଫଳକରେ ମଧ୍ୟ ଭାରତ ଲେଖାଯାଇଥିଲା । ସ୍କୁଲ ବହିରେ ଦେଶର ନାଁ ଭାରତ ଲେଖିବାକୁ ଏନସିଇଆରଟିର ସୁପାରିସ୍ ପରେ ନାମ ବଦଳାଇବା ପ୍ରକ୍ର୍ରିୟା ତ୍ୱରାନ୍ୱିତ ହେବ ବୋଲି ଆକଳନ କରାଯାଉଛି ।