ସବୁ କାର୍ଯ୍ୟକ୍ରମ ବାତିଲ କରି ନୀତୀଶ ଡାକିଲେ ବୈଠକ । ଆରଜେଡି ସହ ବିବାଦ ପରେ ଇଣ୍ଡିଆ ମେଂଟରୁ ଜେଡିୟୁ ଓହରିବା ନେଇ ବଢ଼ିଲା ଚର୍ଚ୍ଚା

187

କନକ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ହଲଚଲ । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୁଛନ୍ତି ବୈଠକ । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ଦଳୀୟ ନେତାଙ୍କ ସହ ନୀତୀଶ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି । ବୈଠକ ପଛର କାରଣ ଆରଜେଡି ଓ ଜେଡିୟୁ ଭିତର ବିବାଦ ବୋଲି କୁହାଯାଉଛି । ଏକଥାର ମଧ୍ୟ ଚର୍ଚ୍ଚା ହେଉଛି କି ନୀତୀଶ ବିଧାନସଭା ଭଙ୍ଗ ପାଇଁ ସୁପାରିଶ ମଧ୍ୟ କରିପାରନ୍ତି । ସେପଟେ ଆରଜେଡି ଶିବିରରେ ହଇଚଇ ଦେଖାଦେଇଛି । ବୁଧବାର ଏକ କାର୍ଯ୍ୟକ୍ରମରେ ନୀତୀଶ ପରୋକ୍ଷରେ ଆରଜେଡିକୁ ଟାର୍ଗେଟ କରିଥିଲେ । ବିନା ନା ନେଇ ବଂଶବାଦ ପ୍ରସଙ୍ଗ ଉଠାଇଥିଲେ । ଏହା ପରେ ଉଭୟ ଦଳ ମଧ୍ୟରେ ଯେଉଁ ବିବାଦ ଓ ତିକ୍ତତା ଥିଲା ତାହା ବଢ଼ିବାରେ ଲାଗିଛି । ସେପଟେ ବିହାର ରାଜନୀତିରେ କ’ଣ ଚାଲିଛି ତା ଉପରେ ନଜର ରଖିଛି ବିଜେପି । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମଧ୍ୟରେ ବସିଥିବା ବୈଠକରେ ବିହାର ରାଜନୀତି ଘଟଣାକ୍ରମ ଉପରେ ଚର୍ଚ୍ଚା କରାଯାଇଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ନାଁ ଭାରତ ରତ୍ନ ପାଇଁ ଘୋଷଣା କରାଯିବା ପରେ ବିବାଦ ବଢ଼ିଥିଲା । ସେପଟେ ମୋଦୀଙ୍କୁ ନୀତୀଶଙ୍କ ପ୍ରଶଂସାକୁ ଆରଜେଡି ହଜମ କରିପାରିନି ।

ସେପଟେ ସେପଟେ ଚର୍ଚ୍ଚା ବଢ଼ାଇଛି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ । ରୋହିଣି ନିଜ ସୋସିଆଲ ମିଡିଆ ଆକାଉଁଟ ଏକ୍ସରେ ୩ଟି ପୋଷ୍ଟ କରିଥିଲେ । ଯାହା ଜେଡିୟୁକୁ ଇଙ୍ଗିତ କରିଥିଲା ବୋଲି ଚର୍ଚ୍ଚା ହେଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଟାର୍ଗେଟ କରି ରୋହିଣୀ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା ହେବା ପରେ ତୁରନ୍ତ ଏହାକୁ ସେ ଡିଲେଟ କରିଥିଲେ । ରୋହିଣୀ ଲେଖିଥିଲେ କିଛି ଲୋକ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଅନ୍ୟ ଲୋକଙ୍କ ଉପରେ କାଦୁଅ ଫୋପାଡନ୍ତି । ଘଟଣାକୁ ନେଇ ଆରଜେଡିଠୁ ଜେଡିୟୁ ଜବାବ ମାଗିବା ପରେ ରୋହିଣୀ ପୋଷ୍ଟ ଡିଲେଟ କରିଥିବା କୁହାଯାଉଛି । ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନୀତୀଶଙ୍କ ଉପରେ ଲାଲୁ ଚାପ ପକାଉଥିବା ଖବର ବେଶ କିଛି ଦିନ ହେବ ବିହାର ରାଜନୀତିରେ ଜୋର ଧରିଛି । ଯାହା ପରଠୁ ଉଭୟ ଦଳ ମଧ୍ୟରେ କିଛି ଠିକ ନଥିବା କୁହାଯାଉଛି । ପୂର୍ବରୁ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ ଟୁଇଟ କରି ନୀତୀଶ ଓ ତେଜସ୍ୱୀଙ୍କ ମଧ୍ୟରେ କିଛି ଠିକ ନଥିବା କହିଥିଲେ । ଜେଡିୟୁ ଓ ଆରଜେଡି ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବାବେଳେ ରୋହିଣୀଙ୍କ ପୋଷ୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।