୩ଟି ରାଜ୍ୟକୁ ଯୋଡିବ ‘ଭାରତ ମାଳା’ ଯୋଜନାରେ ତିଆରି ହେବାକୁ ଥିବା ନୂଆ ରାସ୍ତା । ଛତିଶଗଡରୁ ଆସି ଓଡିଶା ଦେଇ ଆନ୍ଧ୍ରପ୍ରଦେଶ ଯିବ ଏକ୍ସପ୍ରେସ ହାଇୱେ । 

325

କନକ ବ୍ୟୁରୋ : ନିଯୁକ୍ତି ଠାରୁ ବ୍ୟବସାୟ, ଦୋକାନ ଠାରୁ ହୋଟେଲ ପର୍ଯ୍ୟନ୍ତ ସବୁ କିଛିର ସୁବିଧା ପାଇଁ ଗୋଟିଏ ରାସ୍ତା ଉପରେ ନିର୍ଭର କରିବେ ୩ଟି  ରାଜ୍ୟ । ଏପରିକି ଯାନ ବାହାନ ଚଳାଚଳର ମୁଖ୍ୟ କରିଡ଼ର ସାଜିବ ଏହି ରାସ୍ତା  । ରାୟପୁର ଠାରୁ ବିଶାଖାପାଟଣାକୁ ସଂଯୋଗ ପାଇଁ ନିର୍ମାଣ ହେବ ୬ ଟିକିଆ ସ୍ୱତନ୍ତ୍ର ଏକ୍ସପ୍ରେସ ହାଇୱେ ।

ବଦଳିବ ଅବିଭକ୍ତ କୋରାପୁଟ ଜିଲ୍ଳାର ଭାଗ୍ୟ । ଅର୍ଥନୀତିର ନୂଆ ମାଧ୍ୟମ ସାଜିବ ନୂଆ ରାସ୍ତା । ସରିଲା ରୋଡ଼ ମ୍ୟାପ୍ । ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ଆଗକୁ ଆରମ୍ଭ ହେବ କାମ । ଆଉ ବଦଳିଯିବ ଅବଭକ୍ତ କୋରାପୁଟ ଜିଲ୍ଲାର ଚିତ୍ର । କେନ୍ଦ୍ର ସରକାରଙ୍କ ଭାରତ ମାଳା ଯୋଜନାରେ ତିଆରି ହେବ ୪୬୫ କିଲୋମିଟର ଏକ୍ସପ୍ରେସ ହାଇୱେ । ଯାହା ୩ ରାଜ୍ୟକୁ ଯୋଡ଼ିବ । ଗାଁଠୁ ସହରର ଦୂରତା କମିବ ଆଉ ବଦଳିଯିବ ଅର୍ଥନୀତି । ଛତିଶଗଡ ଠାରୁ ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶ ଯାଏଁ ଲମ୍ବିବ । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ତିଆରି ହେବ ରାସ୍ତା । କୁହାଯାଉଛି, ଗ୍ରାମାଂଚଳ ଅର୍ଥନୀତିର ବିକାଶ କରିବା ସାଙ୍ଗକୁ କଳକାରଖାନା, ଡାକ୍ତରଖାନା, ପର୍ଯ୍ୟଟନ ସ୍ଥଳୀ ଓ ଶିକ୍ଷାର ବିକାଶ କରିବାରେ ବେଶ ସହାୟକ ହେବ ଏକ୍ସପ୍ରେସ ହାଇୱେ । ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିବାଦ ନକରି ବିକାଶକୁ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି କୋରାପୁଟ ଜିଲ୍ଳାପାଳ ।

ନୂଆ ରାସ୍ତାର ଶୁଭାରମ୍ଭ ନହେଉଣୁ ବିରୋଧାଭାସ ଦେଖିବାକୁ ମିଳିଲାଣି । ନବରଙ୍ଗପୁର ଜିଲ୍ଲା ୬ଟି ବ୍ଳକର ପ୍ରାୟ ୨୫୩ ହେକ୍ଟର ଜମି ଓ କୋରାପୁଟ ଜଲ୍ଳାର ୪ ଟି ବ୍ଳକର ପ୍ରାୟ ୧୦୯ ହେକ୍ଟର ଜମିରେ ଏକ୍ସପ୍ରେସ ହାଇୱେ ଯିବ । ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଉଥିବା ବେଳେ ଲୋକେ ଜମି ଦେବାକୁ ରାଜି ହେଉନାହାନ୍ତି । କାରଣ ସରକାରୀ କ୍ଷତିପୂରଣ ବଜାର ଦର ଠାରୁ କମ ରହିଛି । ଏକର ପିଛା ୧୦ ଲକ୍ଷ ଟଙ୍କା, ରହିବା ପାଇଁ ଘର ଓ ୩ ଏକର ଚାଷ ଜମି ଯୋଗାଇବା ପାଇଁ ଦାବି କରୁଛନ୍ତି ଜମିହରା ବାସିନ୍ଦା । ଏହାସହ ରାସ୍ତା ନିର୍ମାଣ ହେଲେ କେତେକ ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହେବ, ସେମାନଙ୍କ ଜୀବନ ଜୀବିକାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।