କନକ ଟ୍ରେଣ୍ଡିଂ :ରାହୁଲଙ୍କ ଯାତ୍ରା ମାନଚିତ୍ରରୁ କାହିଁକି ବାଦ ପଡିଲା ଏହି ରାଜ୍ୟଗୁଡ଼ିକ, ଜାଣନ୍ତୁ କଂଗ୍ରେସର ରଣନୀତି

605

କନକ ଟ୍ରେଣ୍ଡିଂ : ରାହୁଲ ଭାରତଯୋଡ ଯାତ୍ରାରେ ଅଛନ୍ତି, କଂଗ୍ରେସ ନେତାଙ୍କ ବୟାନ ଓ ସାମାଜିକ ଗଣମାଧ୍ୟମରେ ପଦଯାତ୍ରା ପ୍ରଚାର ଏକ ସ୍ୱତ ଆନ୍ଦୋଳନର ପରି ଉପସ୍ଥାପିତ କରାଯାଉଛି । ଉତ୍ସାହୀ ଜନସମାଗମ ମଧ୍ୟରେ ରାହୁଲ ଆକର୍ଷଣର କେନ୍ଦ୍ର ବିନ୍ଦୁ ଲାଗୁଛନ୍ତି । ଏସବୁ ସତ୍ତ୍ବେ ଯାତ୍ରାକୁ ନେଇ ରାଜନୈତିକ ବିଶ୍ଲେଷଣ ଏକ ଭିନ୍ନ ଚିତ୍ର ଉପସ୍ଥାପିତ କରୁଛି । ରାହୁଲଙ୍କ ପଦଯାତ୍ରାର ମାନଚିତ୍ରକୁ ନେଇ ବଡ ପ୍ରଶ୍ନ ଉଠିଛି । ପ୍ରଶ୍ନ ହେଉଛି, ଲୋକସଭା ନିର୍ବାଚନ ଦୃଷ୍ଟିରୁ ଗୁରୁତ୍ବପୂପୂର୍ଣ୍ଣ ରାଜ୍ୟଗୁଡିକୁ କାହିଁକି ଏତେ ବଡ ଯାତ୍ରାରୁ ବାହାରେ ରଖାଯାଇଛି । ରାଜନୈତିକ ବିଶ୍ଳେଷକ ଏହାକୁ ନେଇ ଖାସ ଟିପଣୀ ଦିଅନ୍ତି । ରାଜନୈତିକ ବିଶ୍ଳେଷକଙ୍କ ମତରେ ରାହୁଲ ବ୍ୟାକଡୋର ପଲିଟିକ୍ସ କରିବାର ରଣନୀତି ବନାଇଛନ୍ତି । ଯାହା ଆଜିର ଦିନରେ ବିଜେପିକୁ ମାତ ଦେବାକୁ କଂଗ୍ରେସର ରଣନୀତି ବୋଲି କୁହାଯାଇପାରେ । ରାହୁଲଙ୍କ ପଦଯାତ୍ରା କରୁଛନ୍ତି ସତ କିନ୍ତୁ ଏହାକୁ ଯେଉଁ ଭଳି ପରିଚାଳିତ କରାଯାଉଛି ସେଥିରୁ ଲାଗୁଛି ପଦଯାତ୍ରା ଫ୍ରଣ୍ଟଫୁଟ ବଦଳରେ ବ୍ୟାକଡୋର ପଲିଟିକ୍ସ ଆଡକୁ ମୁହାଁଉଛି । ରାହୁଲଙ୍କ ଉଦେଶ୍ୟ ନୁହେଁ କେବଳ କଂଗ୍ରେସକୁ ସଂଗଠିତ କରିବା, ବିଜେପି ବିରୋଧୀଙ୍କ ମେଳି ତିଆରି କରିବା ମଧ୍ୟ ତାଙ୍କ ଉଦେଶ୍ୟ ରହିଛି ।

ରାହୁଲଙ୍କ ଯାତ୍ରା ମାନଚିତ୍ରରୁ କାହିଁ ବାହାରେ ଏହି ରାଜ୍ୟଗୁଡିକ..

ରାହୁଲଙ୍କ ଭାରତ ଯୋଡଯାତ୍ରା ତାମିଲନାଡୁ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର,, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିଆଣା, ଦିଲ୍ଲୀ , ପଞ୍ଜାବ ,ଚଣ୍ଡିଗଡ ଓ ଜାମ୍ମୁ ଓ କାଶ୍ମିର ଦେଇ ଯିବ । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବାକୁ ଥିବା ହିମାଚଳ ପ୍ରଦେଶ ଓ ଗୁଜରାଟକୁ ଏହି ଯାତ୍ରା ରୋଡମ୍ୟାପରେ ସାମିଲ କରାଯାଇ ନାହିଁ । କୁହାଯାଉଛି ଯେଉଁ ସମୟରେ ରାହୁଲଙ୍କ ଯାତ୍ରା ଗୁଜରାଟ ଦେଇ ଯାଉଥିବ ସେ ସମୟରେ ଏହି ୨ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା । ଉତ୍ତରପ୍ରଦେଶରେ କେବଳ ବୁଲନ୍ଦସହରରେ ଯାତ୍ରା କାର୍ୟ୍ୟକ୍ରମ ସୀମିତ ରହିଥିବା ବେଳେ ପଶ୍ଚିମବଙ୍ଗ ଓ ବିହାର ହୋଇ ଯିବନି ରାହୁଲଙ୍କ ପଦଯାତ୍ରା । ସେହିପରି ହିମାଚଳ ପ୍ରଦେଶ ଓ ଛତିଶଗଡରେ ଆଗକୁ ନିର୍ବାଚନ ହେବାକୁ ଥିଲେ ମଧ୍ୟ ଯାତ୍ରାମ୍ୟାପରୁ ଏହି ଦୁଇଟି ରାଜ୍ୟ ବାଦ ପଡିଛି । ତେବେ ରାଜ୍ୟସ୍ଥାନରେ କେବଳ ୫୦୦ କିଲୋମିଟର ଯାତ୍ରା ଥିବା ବେଳେ ଅଧିକାଂଶ ହିନ୍ଦିଭାଷୀ ରାଜ୍ୟ ଓ ଉତ୍ତରପୂର୍ବ ରାଜ୍ୟ ଭାରତଯୋଡ ଯାତ୍ରାରେ ସାମିଲ କରାଯାଇ ନାହିଁ । ତେବେ ଭାରତ ଯୋଡ ଯାତ୍ରା ପୂର୍ବରୁ ଉଠୁଥିବା ଏହି ପ୍ରଶ୍ନର ଅତି ସରଳ ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ଭାରତର ଯୋଡ ଯାତ୍ରାର ପରିକଳ୍ପନା କଲା ବେଳେ ଦେଶର ଗୋଟିଏ କୋଣ ଦକ୍ଷିଣରେ କନ୍ୟାରୁମାରୀରୁ ଉତ୍ତରରେ ଜାମ୍ମୁ କାଶ୍ମୀର ପର୍ୟ୍ୟନ୍ତ ଯାତ୍ରା ପାଇଁ ଆମେ ଚିନ୍ତା କରିଥିଲୁ । ତେଣୁ ରୁଟମ୍ୟାପ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ପଦଯାତ୍ରା ପାଇଁ ସମ୍ଭବ । କାରଣ ଗୋଟିଏ ଯାତ୍ରାରେ ୧୦ ହଜାର କିଲୋମିଟର ଚାଲିବା ସମ୍ଭବ ନୁହେଁ । ଏହା ସହ ରାଜନୈତିକ ଦୃଷ୍ଟିରୁ ଉତ୍ତର ପ୍ରଦେଶରେ କମ୍ ଦିନ ଯାତ୍ରା ରହିବା ବିଷୟରେ ରାହୁଲ କହିଛନ୍ତି, ଉତ୍ତରପ୍ରଦେଶ ପାଇଁ କଣ ରଣନୀତି ଆବଶ୍ୟକ ତାହା ଆମେ ଜାଣିଛୁ, ତାହା ଆମେ କରୁଛୁ । ଅନ୍ୟପଟେ କଂଗ୍ରେସ ରାଜନୀତିର ବିଶ୍ଲେଷକ କୁହନ୍ତି ରାହୁଲଙ୍କ ଯାତ୍ରାର ରୂପରେଖ ସ୍ପଷ୍ଟ କରୁଛି ଯେ ସେ କଂଗ୍ରେସର ବର୍ତ୍ତମାନ ସ୍ଥିତି ଆକଳନ କରି ଯାତ୍ରା ରଣନୀତି ବନାଇଛନ୍ତି । ସେ ରାଜନୀତି ଟିକା ଟିପ୍ପଣୀ ବିଶ୍ଳେଷଣ ଅପେକ୍ଷା, କଂଗ୍ରେସ କେଉଁଠି କିପରି ସୁଯୋଗ ହାତେଇ ପାରିବ, ତା ଉପରେ ଗୁରୁତ୍ବ ଦେଇଛନ୍ତି । ମୋଦି ସରକାର ବିରୋଧୀ ମେଣ୍ଟ ମୂଳଦୁଆର ଏହା ଏକ ପ୍ରାକ ପ୍ରସ୍ତୁତି ବୋଲି ରାଜନୈତିକ ବିଶେଷଜ୍ଞ ମତ ଦିଅନ୍ତି । ରାହୁଲ ମଧ୍ୟ ସମସ୍ତ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଆଣିବା ଉପରେ ଗୁରୁତ୍ବ ଦେଇଛନ୍ତି ।

ରାହୁଲଙ୍କ ପଦଯାତ୍ରାର ଖବର ଉଠିବା ଦିନରୁ ତାଙ୍କ ଆନ୍ଦୋଳନାତ୍ମକ ରାଜନୀତିକୁ ନେଇ ଦଳ ଛାଡିଥିବା କଂଗ୍ରେସ ଜି -୨୩ କିଛି ନେତାଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୁଲାମ ନବି ଭାରତ ଯୋଡ ପୂର୍ବରୁ କଂଗ୍ରେସ ଯୋଡ ଉପରେ ରାହୁଲ ଗୁରୁତ୍ବ ଦିଅନ୍ତୁ ବୋଲି କଟାକ୍ଷ କରିଥିଲେ । ଅନ୍ୟ ନେତାଙ୍କ ମନ୍ତବ୍ୟ ରହିଥିଲା ରାହୁଲ ଏନଜିଓ ରାଜନୀତି କରୁଛନ୍ତି , ସେ ଫୁଲ ଟାଇମ୍ ପଲିଟିସିଆନ ନୁହଁନ୍ତି । ତେବେ ଏସବୁ ସତ୍ତ୍ବେ ଆଜି ବି କଂଗ୍ରେସ ରାହୁଲଙ୍କୁ ରାଜନୀତିର ଚେସ ପାଲିରେ ସେ ରାଜା ହିସାବରେ ଦେଖେ ଯେଉଁଠି ସାରା ବିରୋଧୀଙ୍କ ଭିତରେ ସେ ଏକୁଟିଆ ନେତା ଯେ ମୋଦିଙ୍କ ବିରୋଧରେ ଛିଡା ହୋଇଛନ୍ତି । ଲୋକଙ୍କ ସ୍ବାର୍ଥ ସହ ଜଡିତ ପ୍ରସଙ୍ଗ ଉଠାଉଛନ୍ତି  । ଏହା ସହ ଦେଶର ଆଜିର ଦିନରେ ଯେଉଁବଳି ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି ଓ ସାଧାରଣ ଲୋକଙ୍କ ସମସ୍ୟା ଯେପରି ବଢିଛି ପଦଯାତ୍ରାକୁ ଛାଡି ଅନ୍ୟ କୌଣସି ଉପାୟ ବିପକ୍ଷ ପାଖରେ ନାହିଁ ବୋଲି କଂଗ୍ରେସ ନେତା ଭଲ ଭାବେ ଅନୁଧ୍ୟାନ କରିଥିବା କୁହନ୍ତି ।

ପଦଯାତ୍ରା ରାହୁଲଙ୍କୁ ଜନନେତା ବନାଇବାର ପ୍ରୟାସ କି?
ରାହୁଲଙ୍କ ପଦଯାତ୍ରା ଉଦେଶ୍ୟ ସେ ଲୋକଙ୍କ ପାଖକୁ ଯିବେ, ଦେଶର ସାଂପ୍ରତିକ ପରିସ୍ଥିତି ଅବଗତ କରାଇବେ । ତେବେ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ଓ ବିଜେପି ବିରୋଧରେ ଜନମତ ତିଆରି କରିବାରେ ପଦଯାତ୍ରା ଯେତିକି ସଫଳ ହେବ, ଏହା ସେତିକି ରାହୁଲ ଓ କଂଗ୍ରେସକୁ ଶକ୍ତିଶାଳୀ କରିବ । ଭବିଷ୍ୟତରେ ଏହାହିଁ କଂଗ୍ରେସ ପାଇଁ ପ୍ରସ୍ତୁତ କରିବ ରାଜନୈତିକ ରଣକ୍ଷେତ୍ର ।

ଭାରତ ଯୋଡଯାତ୍ରା ମାଧ୍ୟମରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ଇମେଜ ବଲିଡିଙ୍ଗ କରିବାରୁ ଚେଷ୍ଟା କରୁଛି। କଂଗ୍ରେସ ପକ୍ଷରୁ ଅତି ସ୍ପଷ୍ଟ ଭାବେ କୁହାଯାଇଛି , ଯାତ୍ରା ସମୟରେ ରାହୁଲ ହୋଟେଲରେ ରହିବେ ନାହିଁ, କଣ୍ଟେନରରେ ରହିବେ, ସାଧାରଣ ରାସ୍ତାରେ ଯାତ୍ରା କରିବେ । ଦଳର ନେତାଙ୍କ ସହିତ ରହିବେ, ସେମାନଙ୍କ ସହ ଭୋଜନ କରିବେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ରାହୁଲ ଭାରତ ଯୋଡଯାତ୍ରା ମାଧ୍ୟମରେ ସାଧାରଣ ଲୋକଙ୍କ ସହ ଯୋଡିହେବାକୁ ଚାହୁଁଛନ୍ତି। ସେଥିପାଇଁ ଚମକ ଦମକ ବାହାରେ ନିରାଡମ୍ବର ଓ ସରଳ ଭାବେ ଯାତ୍ରାର ଯୋଜନା କରାଯାଇ ରାହୁଲଙ୍କୁ ଜଣେ ଜନ ନେତା ଭାବେ ଉପସ୍ଥାପିତ କରିବାକୁ କଂଗ୍ରେସ ଉଦ୍ୟମ କରୁଛି। ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ଏହାକୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ପ୍ରାକ ପ୍ରସ୍ତୁତି ଭାବରେ ବିବେଚନା କରନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ଏକ ଜନନେତା ଭାବେ କଂଗ୍ରେସର ରଣନୀତି ଭାବରେ ଦେଖନ୍ତି । ତେବେ ନିର୍ବାଚନ ରାଜନୀତିର କଠିନ ରାସ୍ତାରେ ବିଜୟ ଲକ୍ଷ୍ୟସ୍ଥଳ ଜନମାନସର ହୃଦୟରେ ମଧ୍ୟ ଦେଇ ଯାଏ ତାହା ରାହୁଲ ବୋଧ ହୁଏ ବୁଝିବାକୁ ଚେଷ୍ଟା କରୁଛନ୍ତି । ସେଥି ପାଇଁ ମହାସମଦ୍ରରୁ ପର୍ବତ ଶିଖର ଯାତ୍ରା ତାଙ୍କର ଆବେଗତାକୁ ଦର୍ଶାଉଛି ।

ପଦଯାତ୍ରାର ସବୁଠୁ ବଡ ଆହ୍ବାନ

ଭାରତ ଛାଡ ଆନ୍ଦୋଳନର ୮୦ ବର୍ଷ ପରେ କଂଗ୍ରେସ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି। କଂଗ୍ରେସର ଭାରତ ଛାଡ ଆନ୍ଦୋଳନର ଲକ୍ଷ୍ୟ ଥିଲା ଦେଶର ସ୍ୱାଧୀନତା। ବର୍ତ୍ତମାନର ଯାତ୍ରାର ଉଦେଶ୍ୟ ଜାତୀୟ ଏକତା ତିଆରି କରିବା ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି । ଯାତ୍ରା ଲମ୍ବା, ତେଣୁ ଚ୍ୟାଲେଞ୍ଜ ମଧ୍ୟ ବଡ ଆସିବ । କଂଗ୍ରେସ ସହିତ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବୁଝିବାକୁ ହେବ ଯେ ପ୍ରାଇମ ଟାଇମ ଅପେକ୍ଷା ସୋସିଆଲ ମିଡିଆରେ ବେଶୀ ସତର୍କ ରହିବାକୁ ପଡିବ। ନିକଟରେ ଦରବୃଦ୍ଧି ବିରୋଧରେ ରାଲିରେ ରାହୁଲଙ୍କ ଅଟା, ମଇଦା ଏବଂ ଲିଟର ବିବୃତ୍ତି ସୋସିଆଲ ମିଡିଆରେ ବେଶ ଟ୍ରୋଲ ହୋଇଥିଲା । ପାଟିରୁ ଖସିଥିଲା, ଭୁଲ ମଧ୍ୟ ସୁଧାରିଥିଲେ ରାହୁଲ । ହେଲେ ତାଙ୍କ ବିବୃତିକୁ ଯେଉଁ ଭାବରେ ଉପସ୍ଥାପିତ କରାଗଲା ତାହା କଂଗ୍ରେସ ପାଇଁ ସଚେତନ ରହିବାର ବିଷୟବସ୍ତୁ । କାରଣ ରାହୁଲଙ୍କ ଜାଣ ଅଜାଣତରେ, ତାଙ୍କର ସାମାନ୍ୟ ଭୁଲ ମଧ୍ୟ ତାଙ୍କ ପାଇଁ ବିପରିତ ପରିସ୍ଥିତି ସୃଷ୍ଟି କରିପାରେ ଓ ତାଙ୍କ ରାଜନୈତିକ ବିରୋଧୀଙ୍କ ପାଇଁ ନୂଆ ପ୍ରସଙ୍ଗ ତିଆରି କରିବାର ସୁଯୋଗ ତିଆରି କରିପାରେ ।