କନକ ଟ୍ରେଣ୍ଡିଂ :ଭାରତ ଯୋଡ଼ ଯାତ୍ରା । କଂଗ୍ରେସ କାହିଁକି ବାଛିଲା ପଦଯାତ୍ରା ମାର୍ଗ, ଅଧ୍ୟକ୍ଷ ନିର୍ବାଚନ ଛାଡି ପଦଯାତ୍ରାରେ ରାହୁଲ କାହିଁକି

553

କନକ ଟ୍ରେଣ୍ଡିଂ : ପଦଯାତ୍ରାରେ ଦେଶର ଯୁବରାଜ କୁହାଯାଉଥିବା ରାହୁଲ ଗାନ୍ଧୀ । ତେବେ ରାହୁଲ କାହିଁକି ବାଛିଲେ ପଦଯାତ୍ରା ମାର୍ଗ । କଠିନ ପଦଯାତ୍ରା, ରାହୁଲଙ୍କୁ ତାଙ୍କ ବହୁ ଅଭୀପ୍ସିତ ଲକ୍ଷ ସ୍ଥଳରେ ପହଞ୍ଚାଇବକି ? ରାଷ୍ଟ୍ରୀୟ ରାଜନୀତିରେ ଯାତ୍ରାକୁ ନେଇ ଚର୍ଚ୍ଚା ଅନେକ । ପଦଯାତ୍ରାର ଇତିହାସ ଯଦି ଦେଖାଯାଏ  ଏହାର ଲାଭ ସେତେବେଳେ ମିଳିଛି, ଯେତେବେଳେ ଏହା ଜନଆନ୍ଦୋଳନର ରୂପ ନେଇଛି । ଗାନ୍ଧୀଙ୍କ ଦାଣ୍ଡିଯାତ୍ରା  ହେଉ ବା ଆଡଭାନିଙ୍କ ରଥଯାତ୍ରା । ଚନ୍ଦ୍ରଶେଖରଙ୍କ ଭାରତ ଏକତା ଯାତ୍ରା ହେଉ ବା ରାଜୀବ ଗାନ୍ଧୀଙ୍କ ପଦଯାତ୍ରା ଯାହାର  ସଫଳତା ରାଜନୀତିର ଇତିହାସରେ ଲିପିବଦ୍ଧ ହୋଇଛି  । ଜନଆନ୍ଦୋଳନର ସବୁଠୁ ବଡ ଉଦାହରଣ ନିକଟ ଅତୀତରେ ହେଉଛି ଆନ୍ନାହାଜାରେ ଓ କେଜରିୱାଲଙ୍କ ନେତୃତ୍ବରେ ଇଣ୍ଡିଆ ଏଗେନଷ୍ଟ କରପସନର ଜନ ଆନ୍ଦୋଳନ । ଯାହା କଂଗ୍ରେସକୁ ରାଜଧାନୀ ଦିଲ୍ଲୀରେ କ୍ଷମତାଚ୍ୟୁତ କରାଇଥିଲା । କେଜରିବାଲଙ୍କ ନେତୃତ୍ବ ଦିଲ୍ଲୀକୁ ଦୋହଲାଇଥିଲା ଓ ଆଜିର ଦିନରେ ବିଜେପିର ବିକଳ୍ପ ଭାବେ ଆପକୁ ଉପସ୍ଥାପିତ କରିପାରିଲା ।

ପଦଯାତ୍ରା ରାଜନୀତି ଓ କଂଗ୍ରେସ

ତେବେ କଂଗ୍ରେସର ପଦଯାତ୍ରା ରାଜନୀତି କେତେ ସଫଳ ହେବ, ଏହାକୁ ନେଇ ପ୍ରଶ୍ନ ଅନେକ । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ୨୦୧୮ ଆରମ୍ଭ କରିଥିଲେ  ନର୍ମଦା ଯାତ୍ରା । ମଧ୍ୟପ୍ରଦେଶରେ କଂଗ୍ରେସକୁ କ୍ଷମତାକୁ ଫେରିବାରେ ନର୍ମଦାଯାତ୍ରାର ବଡ ଭୂମିକା ନେଇଥିଲା । ସେହିପରି ସଚିନ ପାଇଲଟଙ୍କ ରାଜସ୍ଥାନ ପଦଯାତ୍ରା ବିଜେପିର ବସୁନ୍ଧରା ରାଜେ ସରକାରକୁ ଗାଦିଚ୍ୟୁତ କରାଇଥିଲା ।

ଅଧ୍ୟକ୍ଷ ନିର୍ବାଚନ ଛାଡି ପଦଯାତ୍ରାରେ ରାହୁଲ କାହିଁକି

ଆଗକୁ ନିର୍ବାଚନ ।  ତୃଣମୂଳ ସ୍ତରରେ ସ୍ଥିତି ପରଖିବାକୁ ରାହୁଲ କନ୍ୟାକୁମାରୀରୁ କାଶ୍ମୀର ପର୍ୟ୍ୟନ୍ତ ଯାତ୍ରାରେ ବାହାରିଛନ୍ତି । ୩୫୭୦ କିଲୋମିଟର ପଦଯାତ୍ରା ୧୨ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଯିବ । ତାମିଲନାଡୁରୁ ଆରମ୍ଭ ହୋଇଥିବା ରାହୁଲଙ୍କ ଯାତ୍ରା ଅବଦ୍ଧି ୧୫୦ ଦିନ । କଠିନ ଯାତ୍ରା, କଠିନ ସମୟ ବି ଉଭୟ ରାହୁଲ ଓ କଂଗ୍ରେସ ପାଇଁ । କଂଗ୍ରେସ ଯେ କେବଳ କ୍ଷମତା ରାଜନୀତିରୁ ଦୂରରେ  ଅଛି ତା ନୁହେଁ, ରାଜନୀତିର ସବୁଠୁ ବଡ ଘଡିସନ୍ଧି ମୂହୁର୍ତ୍ତ ଦେଇ ଦଳ ଗତି କରୁଛି । ରାଜନୈତିକ ଅସ୍ଥିତ୍ବ ବଞ୍ଚାଇବାକୁ ଚେଷ୍ଟା କରୁଛି ।

ବାରମ୍ବାର ପରାଜୟ ପରେ ସୁପ୍ତ ପଡିଥିବା କଂଗ୍ରେସ କର୍ମୀ ଡେକାନ ହେରାଲ୍ଡ ଜମି ମାମଲାରେ ଇଡି ଦ୍ବାରା ସୋନିଆଙ୍କୁ ସମନ ବେଳେ ସଂଗଠିତ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ଭାରତ ଯୋଡଯାତ୍ରା ସାଧାରଣ ଲୋକଙ୍କ ସ୍ବାର୍ଥ ସହ ଜଡିତ ଥିବା ଦରବୃଦ୍ଧି, ବେକାରୀ ଓ ସାମାଜିକ ଧୃବୀକରଣ ପ୍ରସଙ୍ଗ ସହ ଜଡିତ ଥିବା ହେତୁ ଏହାକୁ ଜନମତ ନିର୍ବିଶେଷରେ ଅଧିକ ସମର୍ଥନ ମିଳିବ ବୋଲି କଂଗ୍ରେସ ଆଶା ବାନ୍ଧିଛି । ତେବେ ଯାତ୍ରାକୁ କେତେ ସଫଳତା ମିଳିବ ତାର ଆକଳନ ନିର୍ବାଚନ ଫଳାଫଳରୁ ନିର୍ଧାରିତ ହେବ ଏଥିରେ କେହି ଦ୍ବିମତ ହେବାର ନାହିଁ । ରାହୁଲଙ୍କୁ କ୍ଷମତାର ସିଂହାସନ ମିଳିବ କି ଶକ୍ତିଶାଳୀ ବିରୋଧୀର ମାନ୍ୟତା ଏହା ଆଗାମୀ ନିର୍ବାଚନ ଫଳଫଳ ହିଁ ନିର୍ଣ୍ଣୟ କରିବ ।