କନକ ବ୍ୟୁରୋ : ଦୀର୍ଘ ୯ ଦିନର ବରତି ପରେ ଆଜି ପୁଣି ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା । ଦିଲ୍ଲୀର କାଶ୍ମୀର ଗେଟ୍ ନିକଟରେ ଥିବା ହନୁମାନ ମନ୍ଦିରରେ ଦର୍ଶନ ପରେ ରାହୁଲ ଗାନ୍ଧାୀ ଓ ପ୍ରିୟଙ୍କା ଗାନ୍ଧୀ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି । ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ମୌଜପୁର, ଜାଫରାବାଦ, ଗୋକୁଲପୁରୀ ଦେଇ ଏହି ଯାତ୍ରର ଉତ୍ତର ପ୍ରଦେଶରେ ପ୍ରବେଶ କରିବ ।

Advertisment

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରା ୯ ଦିନ ଧରି ବନ୍ଦ ଥିଲା । ଏବେ ଏହି ଯାତ୍ରା ଉତ୍ତର ପ୍ରଦେଶରେ ୧୨୦ କିଲୋମିଟର ଚାଲିବ । ଏହାପରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା ହରିଆଣାରେ ପହଂଚିବ । ଏହି ଯାତ୍ରା ୧୧୦ ଦିନ ମଧ୍ୟରେ ୩ହଜାର କିଲୋମିଟରରୁ ଅଧିକ ମାର୍ଚ୍ଚ କଲାଣି ।

ସେପଟେ କଂଗ୍ରେସ ତରଫରୁ ଦାବି କରାଯାଇଛି କି, ଏହା ଭାରତରେ କୌଣସି ବି ରାଜନେତା କରିଥିବା ପଦଯାତ୍ରା ଠାରୁ ଅଧିକ ଦୀର୍ଘ ପଦଯାତ୍ରା । ଏହାସହ ଦଳର କର୍ମକର୍ତ୍ତାଙ୍କୁ ଏକାଠି କରିବା ଓ ବିଜେପିର ବିଭାଜନକାରୀ ନୀତି ବିରୋଧରେ ଲୋକଙ୍କ ସଚେତନ କରାଇବା ପାଇଁ ଏହି ଯାତ୍ରା ବୋଲି କଂଗ୍ରେସ ନେତାମାନେ ଦାବି କରିଛନ୍ତି ।

ଅନ୍ୟପଟେ ଜାନୁଆରୀ ୨୬ ତାରିଖରେ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଏହି ଯାତ୍ରାର ସମାପ୍ତ ହେବ । ଏହାପରେ କଂଗ୍ରେସ ତରଫରୁ ହାତରେ ହାତ ଯୋଡ ଯାତ୍ରା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ବିଶେଷଭାବେ ମହିଳାମାନେ ଯୋଗଦେବେ ଓ ଏହାର ନେତୃତ୍ୱ ପ୍ରିୟଙ୍କା ଗାନ୍ଧୀ ନେବେ ବୋଲି କୁହାଯାଉଛି ।