ଆସାମ ଗୌହାଟୀରେ ପଶିପାରିଲାନି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଅଧାରୁ ରୋକିଲା ସ୍ଥାନୀୟ ପ୍ରଶାସନ । କଂଗ୍ରେସକର୍ମୀ ଓ ପୁଲିସ ମୁହାଁମୁହିଁ

383

କନକ ବ୍ୟୁରୋ:  ଆସାମ, ଉତ୍ତର ଗୌହାଟୀରେ କେଉଁଠି କଂଗ୍ରେସକର୍ମୀ ହଟ୍ଟଗୋଳ କରୁଛନ୍ତି ତ ପୁଣି କେଉଁଠି ରାସ୍ତାରେ ଧାରଣା ଦେଇଛନ୍ତି । ବ୍ୟାରିକେଡ ଭାଙ୍ଗି ସହର ଭିତରକୁ ପଶିବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ଆସାମ ସରକାରଙ୍କ ବିରୋଧରେ ଆକ୍ରୋଶିତ ହୋଇପଡିଛନ୍ତି କଂଗ୍ରେସକର୍ମୀ । ମଙ୍ଗଳବାର ଦଳ ରୋଡ ଶୋ ପାଇଁ ଦଳ ବାହାରିଥିବାବେଳେ ସ୍ଥାନୀୟ ପ୍ରଶାସନର ଅନୁମତି ଦେଇନଥିଲା । ତେଣୁ ଜୋରଦାର ବିକ୍ଷୋଭ କରିଛି ଦଳ । ଦଳୀୟକର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ଘଟଣାରେ କିଛି କଂଗ୍ରେସକର୍ମୀ ଆହତ ହୋଇଥିବା ଜଣାପଡିଛି । ସେପଟେ ଭାରତଯୋଡ ନ୍ୟାୟ ଯାତ୍ରା ପ୍ରଚାର ଗାଡିରେ ଛିଡା ହୋଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

ରାହୁଲ କହିଛନ୍ତି ଆସାମ ଓ ମେଘାଳୟକୁ ଏଠାକାର ରାଜ୍ୟ ସରକାର ଚଳାଉନାହାଁନ୍ତି । ଦିଲ୍ଲୀରୁ ନିୟନ୍ତ୍ରଣ କରାଯାଉଛି । ଗୃହମନ୍ତ୍ରୀଙ୍କ ଇସାରାରେ ତାଙ୍କ ଓ ତାଙ୍କ ଦଳକୁ ବିଶ୍ୱବିଦ୍ୟାଳୟକୁ ଯିବାକୁ ରୋକାଯାଉଛି । କଂଗ୍ରେସର ନ୍ୟାୟ ଯାତ୍ରା ଜନତାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଯାହା ପାଇଁ ବିଚଳିତ ହୋଇପଡିଛି ବିଜେପି । ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ଭୁପେନ କୁମାର ବୋରହା । ଆସାମ ସରକାରଙ୍କୁ ରାବଣ ସହ ତୁଳନା କରିବା ସହ ବିଜେପି ସରକାରଙ୍କ ମହିଳା ବିରୋଧୀ, ଦୁର୍ନୀତି ଖୋର କହିଛନ୍ତି ଭୁପେନ କୁମାର ବୋହରା ।

ସୋମବାର ମଧ୍ୟ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ପୁଲିସ ପ୍ରଶାସନ ଅନୁମତି ଦେଇନଥିବା ଅଭିଯୋଗ କରିଛନ୍ତି ରାହୁଲ । ପ୍ରତିବାଦରେ ଆସାମ ନଗାଁରେ ରାସ୍ତା ଉପରେ ବସି ଭଜନ ଗାଇ ପ୍ରତିବାଦ କରିଥିଲେ ରାହୁଲ ଗାନ୍ଧୀ ।