କନକ ବ୍ୟୁରୋ:  ଘରନଥିବା ପରିବାର ମୁଣ୍ଡ ଉପରେ ରହିବ ପକ୍କା ଛାତ । କୁଡିଆ ଘରୁ ବାହାରି ଛାତ ଘରେ ରହିବେ ଦୁଃଖୀ ମଣିଷ । ଏଥିପାଇଁ ସରକାରୀ ଯୋଜନାରେ ଅନୁଦାନ ମିଳିନାହିଁ, ବରଂ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପକ୍କା ଘର ତିଆରି କରାଯାଉଛି । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଢିଅରିଳା ଗାଁରେ ବାସହରାଙ୍କ ଭରସା ପାଲଟିଛନ୍ତି ସେହି ଗାଁର ପୁଅ ଭରତ ବାଇ । ମାନବ ସେବା ହିଁ ମାଧବ ସେବା ବୋଲି ବିଶ୍ୱାସ କରୁଥିବା ଭରତ ବାଇ, ନିଜ ପକେଟ୍ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଅନ୍ୟମାନଙ୍କ ପାଇଁ ତିଆରି କରୁଛନ୍ତି କୋଠା ଘର ।

Advertisment

ଯେଉଁ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଂଚି ପାରେନାହିଁ ତାଙ୍କ ପାଖରେ ଭରତ ବାଇ ଠିଆ ହୁଅନ୍ତି । ତେବେ ଘର ପାଇଥିବା ଗ୍ରାମବାସୀ କୁହନ୍ତି, ସରକାରୀ ଯୋଜନାରେ ଘରଟିଏ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଦଉଡି ଦଉଡି ନୟାନ୍ତ ହେବା ପରେ ବି କେହି ଶୁଣିଲେ ନାହିଁ । କିନ୍ତୁ ଭରତ ବାଇ ସେମାନଙ୍କ ଦୁଃଖ ବୁଝି ପକା ଘର ଯୋଗାଇ ଦେଇଛନ୍ତି ।

ଭରତ ବାଇଙ୍କ ଘର ଢିଅରିଳା ଗାଁରେ, କିନ୍ତୁ ସେ ରାଉରକେଲାରେ ରୁହନ୍ତି । ସେଠାରେ ତାଙ୍କର ଏକ ଲୁଗା ଦୋକାନ ରହିଛି । ସେଥିରୁ ଯାହା ରୋଜଗାର ହୁଏ ତାକୁ ସମାଜ ସେବାରେ ଖର୍ଚ କରନ୍ତି । ତାଙ୍କ କହିବା ଅନୁସାରେ, ନିଜ ପାଇଁ ଘର, ଗାଡି କରିବା ଅପେକ୍ଷା ଦୁଃଖିରଙ୍କିକୁ ସହାଯ୍ୟ କରିବାରେ ଖୁବ୍ ଆତ୍ମସନ୍ତୋଷ ମିଳେ ।