ଶିଶୁଙ୍କ ଦେହରେ ଟିକା ପରୀକ୍ଷା ହେବ ଜୋରଦାର : ଆଜି ଦିଲ୍ଲୀ ଏମ୍ସରେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ ଟିକା ପରୀକ୍ଷା ପାଇଁ ହେବ ସ୍କ୍ରିନିଂ

96

କନକ ବ୍ୟୁରୋ : ପିଲାଙ୍କ ଉପରେ ଦେଶୀ ଟିକା କୋଭାକ୍ସିନର ପରୀକ୍ଷଣକୁ ଜୋରଦାର କରାଯିବ । ଏଥିପାଇଁ ଆଜି ଦିଲ୍ଲୀ ଏମ୍ସରେ ଛୋଟ ପିଲାଙ୍କ ସ୍କ୍ରିନିଂ ହେବ ବୋଲି ଜଣାପଡିଛି । ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେଇଛି ଭାରତ ସରକାରଙ୍କ ଔଷଧ ନିୟନ୍ତ୍ରକ- ଡିଜିସିଆଇ । ବିଶେଷ କରି କରୋନାର ତୃତୀୟ ଲହରରେ ଛୋଟ ପିଲା ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି । ତେଣୁ ସେମାନଙ୍କୁ ତୁରନ୍ତ ଟିକା ଦେବାପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ଶନିବାର ପାଟନା ଏମ୍ସରେ ୭ ଜଣ ଶିଶୁଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି । ଜୁନ୍ ୩ ତାରିଖରେ ଏଠାରେ ପ୍ରଥମେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ କରୋନା ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ୩ ଜଣ ଶିଶୁଙ୍କୁ କୋଭାକ୍ସିନ ଟିକା ଦିଆଯାଇଥିଲା । ୨୧ ଜଣ ପିଲାଙ୍କୁ ଯାଂଚ ପରେ ୧୨ ଜଣଙ୍କଠାରେ ପର୍ଯ୍ୟାପ୍ତ ଆଂଟିବଡି ବା ପ୍ରତିରୋଧ ଶକ୍ତି ତିଆରି ହୋଇଥିବା ଦେଖା ଯାଇଥିଲା । ତେଣୁ ବର୍ତମାନ ସୁଦ୍ଧା ୧୦ ଜଣ ପିଲାଙ୍କୁ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ୨୮ ଦିନ ପରେ ଏମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ।