ଦେଶରେ କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ: ହଜାରେ ଲେଖାଏଁ ସ୍ୱେଚ୍ଛାସେବୀଙ୍କ ଉପରେ ଚାଲିଛି ପରୀକ୍ଷା; ଆଇସିଏମଆର ଡିଜି କହିଲେ, ବିଶ୍ୱରେ ଟିକା ଯିଏ ବି ପ୍ରସ୍ତୁତ କରୁ, ଉତ୍ପାଦନ ବଢେଇବ ଭାରତ

ବିଶ୍ୱକୁ ୬୦ ପ୍ରତିଶତ ଟିକା ଯୋଗାଉଛି ଭାରତ

5,450

କନକ ବ୍ୟୁରୋ: ଭାରତରେ ଆରମ୍ଭ ହୋଇଛି କୋଭିଡ୍-୧୯ ଭ୍ୟାକସିନର ମାନବ ପରୀକ୍ଷଣ । ଡିସିଜିଆଇରୁ ଅନୁମତି ପାଇଥିବା ଦୁଇଟି ଯାକ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ସ୍ୱେଛାସେବୀଙ୍କ ଦେହରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଛନ୍ତି । ଏନେଇ ଆଇସିଏମଆର ନିର୍ଦ୍ଦେଶକ ଡ. ବଳରାମ ଭାଗର୍ଭ କହିଛନ୍ତି, ଡିସିଜିଆଇରୁ ଅନୁମତି ପାଇଥିବା ଭାରତ ବାୟୋଟେକ୍ ଇଂଟରନ୍ୟାସନାଲ ଲିମିଟେଡ ଓ ଜାଇଡସ୍ କାଡିଲା ହେଲଥ୍ କେୟାର ଲିମିଟେଡ୍ ପ୍ରତ୍ୟକ ହଜାରେ ଲେଖାଏଁ ସ୍ୱେଛାସେବୀଙ୍କ ଉପରେ ଏହାର ପରୀକ୍ଷା କରୁଛନ୍ତି । ମହାମାରୀ କରୋନା ବିଶ୍ୱର ୫ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି । ତେଣୁ ଏହାକୁ ରୋକିବା ପାଇଁ ଭ୍ୟାକସିନ ଆଣିବା ଜରୁରି । ଭାରତ- ବାଇଓଟେକର କୋଭାକସିନ ଓ ଜାଇଡସ୍ କାଡିଲାର କୋଭ୍-ଡି ଭ୍ୟାକସିନର ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଅଫ୍ ଇଣ୍ଡିଆ ।

ସେପଟେ ଟିକା ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇସିଏମଆର ଡିଜି । କହିଛନ୍ତି, ବିଶ୍ୱରେ ଟିକା ଯିଏ ବି ପ୍ରସ୍ତୁତ କରୁ, ଉତ୍ପାଦନ ବଢେଇବ ଭାରତ । ବିଶ୍ୱର ଯେକୌଣସି ସ୍ଥାନରେ ଯେଉଁ ଭାକସିନ ତିଆରି ହେଉଛି, ସର୍ବଶେଷରେ ଭାରତ ଦ୍ୱାରା ହିଁ ଏହାର ଉତ୍ପାଦନ ବଢା ଯାଇଥାଏ । କାରଣ ଭାରତ ହେଉଛି ଭାକସିନ ଉତ୍ପାଦନରେ ବିଶ୍ୱରେ ଅଗ୍ରଣୀ ଦେଶ । ଆମେରିକାରେ ବ୍ୟବହାର ହେଉଥିବା ୬୦ ପ୍ରତିଶତ ଭାକସିନ ଭାରତ ହିଁ ପ୍ରସ୍ତୁତ କରିଥାଏ ।