କୋଭାକ୍ସିନ୍ ପରେ ନାକରେ ଦିଆଯିବା କରୋନା ଟୀକା ପ୍ରସ୍ତୁତ କରୁଛି ଭାରତ ବାୟୋଟେକ୍ । ଖୁବଶୀଘ୍ର ଆରମ୍ଭ ହେବ ମାନବ ପରୀକ୍ଷଣ ।

141

କନକ ବ୍ୟୁରୋ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କରୋନା ଟିକା ‘କୋଭାକସିନ’ ତିଆରି କରିଥିବା ଭାରତ ବାୟୋଟେକ୍ କମ୍ପାନୀ, ନାକରେ ପକାଇବା ପାଇଁ କରୋନା ଟିକା ପ୍ରସ୍ତୁତ କରୁଛି । ଏହାର ମ୍ୟାନେଜିଂ ଡାଇରେକ୍ଟର ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, ଏହି ଭାକ୍ସିନ ଏବେ ନିର୍ମାଣଧିନ ଅଛି । ଏହି ଭାକ୍ସିନରେ ମାତ୍ର ଗୋଟିଏ ଡୋଜ ଦେବାକୁ ପଡିବ ଏବଂ ତାହା ଶରିରକୁ ନଫୁଟାଇ ନାକରେ ଦିଆଯିବ । ଏଥିପାଇଁ ଭାରତ ବାୟୋଟେକ୍, ଆମେରିକାର ଦୁଇଟି ଭ୍ୟାକ୍ସିନ୍ ନିର୍ମାତା, ୱାସିଂଟନ୍ ସ୍କୁଲ ଅଫ ମେଡିସିନ୍ ଅଫ ଓ ଫ୍ଲୁ-ଜେନ କମ୍ପାନୀ ସହ କାମ କରୁଛି ।

ଏହି ଦୁଇଟି ପ୍ରକଳ୍ପ ମଧ୍ୟରୁ ୱାସିଂଟନ୍ ସ୍କୁଲ ଅଫ ମେଡିସିନ ସହ ମିଳିତ ଭାବେ କରାଯାଉଥିବା ଗବେଷଣାରେ ବଡ ଧରଣର ସଫଳତା ମିଳିଛି । ପଶୁଙ୍କ ଦେହରେ ପରୀକ୍ଷଣର ବେଶ ଭଲ ପ୍ରଭାବ ଦେଖିବାକୁ ମିଳିଛି ଏବଂ ଭଲ ଭାବରେ ରୋଗପ୍ରତିରୋଧକ ଶକ୍ତି ବା ଆଂଟିବଡି ସୃଷ୍ଟି ହୋଇଛି । ଖୁବ୍ ଶୀଘ୍ର ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ବୋଲି ଭାରତ ବାୟୋଟେକ୍ ତରଫରୁ କୁହାଯାଇଛି । ୨୦୨୧ ଅଗଷ୍ଟ- ସେପ୍ଟେମ୍ବର ସୁଦ୍ଧା ଏହି ଭାକ୍ସିନ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି । ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, କୋଭିଡକୁ ରୋକିବା ପାଇଁ ଏହା ସବୁଠାରୁ ବଡ ଅସ୍ତ୍ର ହେବ ।