କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛି ଅସ୍ତ୍ର । ୬-୧୨ ବର୍ଷର ପିଲାମାନଙ୍କ ଠାରେ କୋଭାକ୍ସିନର ଦ୍ୱିତୀୟ ଖୋରାକ ପରୀକ୍ଷଣ । ସେପ୍ଟେମ୍ବରରେ ବଜାରକୁ ଆସିବା ନେଇ ସମ୍ଭାବନା

137

କନକ ବ୍ୟୁରୋ : କରୋନା ସଂକ୍ରମଣର ତୃତୀୟ ଲହର ଆସୁଥିବା ନେଇ କେନ୍ଦ୍ର ସରକାର ଚେତାବନୀ ଦେଇ ସାରିଛନ୍ତି । ଏହାରି ଭିତରେ ଛୋଟ ପିଲାମାନଙ୍କ ଟିକା ଦେବା ନେଇ ପ୍ରସ୍ତୁତ ଜୋରଦାର କରିଛନ୍ତି ଟିକା ନିର୍ମାତା କମ୍ପାନୀ ମାନେ । ଏହି କ୍ରମରେ ଭାରତ ବାୟୋଟେକ ଜୁନ ମାସରୁ ଛୋଟ ପିଲାମାନଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଆରମ୍ଭ କରିଛି । ଏହାରି ମଧ୍ୟରେ ସୂଚନା ମିଳିଛି କି, କୋଭାକ୍ସିନ ଟିକା ପରୀକ୍ଷଣରେ ସାମିଲ ହୋଇଥିବା ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଖୋରାକ ଦିଆଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂତ୍ର ମାଧ୍ୟମରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ଏମ୍ସରେ ପରୀକ୍ଷଣରେ ସାମିଲ ହୋଇଥିବା ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଖୋରାକ ଦିଆଯାଇଛି । ଏହାସହ ଆଗାମୀ ସପ୍ତାହରେ ପରୀକ୍ଷଣରେ ସାମିଲ ଥିବା ୨-୬ ବର୍ଷର ପିଲାଙ୍କୁ ଦ୍ୱିତୀୟ ଖୋରାକ ଦିଆଯିବ । ଅନ୍ୟପଟେ ଚଳିତମାସ ଶେଷ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଆସିପାରେ ବୋଲି ଆଶା କରାଯାଉଛି । କହିରଖୁ କି କରୋନାର ସାମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ମେ ୧୨ ତାରିଖରେ ଉପଦେଷ୍ଟା ବିଶେଷଜ୍ଞ କମିଟି ପିଲାମାନଙ୍କ ଉପରେ କୋଭାକ୍ସିନ ଟିକାକୁ ପରୀକ୍ଷଣ ନେଇ ସୁପାରିଶ କରିଥିଲା । ଏହାପରେ ଡିସିଜିଆଇ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା ।

ଏହି ପରୀକ୍ଷଣ ଦେଶର ମୋଟ ୫୨୫ ଜଣ ପିଲାଙ୍କ ଠାରେ କରାଯାଉଛି । ଏଥିରେ ପ୍ରତି ୧୭୫ ଜଣ ପିଲାଙ୍କୁ ନେଇ ଗୋଟିଏ ଲେଖାଏଁ ଗ୍ରୁପ କରାଯାଇଛି । ପ୍ରଥମ ଗ୍ରୁପରେ ୬-୧୨, ଦ୍ୱିତୀୟ ଗ୍ରୁପରେ ୧୨-୧୮ ଓ ତୃତୀୟ ଗ୍ରୁପରେ ୨-୬ ବର୍ଷର ପିଲାଙ୍କୁ ସାମିଲ କରାଯାଇଛି ।
ଏହି ପିଲାମାନଙ୍କୁ ୨୮ ଦିନ ଅନ୍ତରରେ ଟିକାର ଗୋଟିଏ ଗୋଟିଏ ମାତ୍ରା ଦିଆଯାଉଛି । ଫଳା ଫଳ ଆସିବା ପରେ ପିଲାମାନଙ୍କ ଉପରେ ଏହି ଟିକା ବ୍ୟବହାର ହେବା ନେଇ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିବ । କିଛିଦିନ ପୂର୍ବରୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଥିଲେ କି ସେପ୍ଟେମ୍ବର ମାସ ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ ଟିକା ଆଶିପାରେ ବୋଲି କହିଥିଲେ ।