ଭାରତ ବନ୍ଦର ଓଡିଶା ପ୍ରଭାବ: ବନ୍ଦ ସମର୍ଥନରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ..ଚାଷୀଙ୍କୁ ସମର୍ଥନ କଲା ବିଜେଡି, ବନ୍ଦକୁ ନୁହେଁ

Advertisment
ଭାରତ ବନ୍ଦର ଓଡିଶା ପ୍ରଭାବ: ବନ୍ଦ ସମର୍ଥନରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ..ଚାଷୀଙ୍କୁ ସମର୍ଥନ କଲା ବିଜେଡି, ବନ୍ଦକୁ ନୁହେଁ

କନକ ବ୍ୟୁରୋ: କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ଭାରତ ବନ୍ଦକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ସେମାନେ କୃଷକ ସଂଗଠନଗୁଡ଼ିକ ସହ ମିଳିତ ଭାବେ ବିଭିନ୍ନ ସ୍ଥାନରେ ପିକେଟିଂ କରିବେ। ସକାଳୁ ସକାଳୁ ରାଜ୍ୟର ଷ୍ଟେସନ୍ଗୁଡ଼ିକରେ ଆନ୍ଦୋଳନକାରୀମାନେ ରେଳ ରୋକ କରିବାକୁ ଯୋଜନା କରିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବସ୍ ଚଳାଚଳ ବନ୍ଦ ରଖିବାକୁ ବସ୍ ମାଲିକ ସଂଘ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।
କିନ୍ତୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯିବାର ଥିବାରୁ ପ୍ରଥମାର୍ଦ୍ଧରେ ବସ୍ ଚଳାଚଳ ସ୍ବାଭାବିକ ହେବାର ସମ୍ଭାବନା କମ୍।

ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ପୂର୍ବାହ୍ନରେ ଦୋକାନବଜାର ବନ୍ଦ ରଖିବାକୁ ବହୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି। ଭାରତ ବନ୍ଦ ବେଳେ ଜରୁରୀକାଳୀନ ସେବାଗୁଡ଼ିକୁ ବ୍ୟାହତ କରାଯିବ ନାହିଁ ବନ୍ଦ ପାଳନକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ କୁହାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଦୁଗ୍ଧ ଗାଡ଼ି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଡାକ୍ତରଖାନା, ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ନ ଦେବାକୁ ସବୁ ସଂସ୍ଥା ତାଙ୍କର କର୍ମକର୍ତ୍ତା ଓ କର୍ମୀମାନଙ୍କୁ ପରାମର୍ଶ େଦଇଛନ୍ତି। ଆସନ୍ତାକାଲି ବିବାହ ତିଥି ଥିବାରୁ ସେଥିରେ ସାମିଲ୍ ହେଉଥିବା ଲୋକମାନଙ୍କୁ ବନ୍ଦରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି। ବନ୍ଦକୁ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ରାଜ୍ୟ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜ୍ୟର ସବୁ ପ୍ରମୁଖ ସ୍ଥାନରେ ନଜର ରଖିବା ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଶାନ୍ତିଶୃୃଙ୍ଖଳା ବଜାୟ ରଖିବାକୁ ପୁଲିସ୍ କଡ଼ା ନଜର ରଖିଛି। ଆଜି ବିଳମ୍ବିତ ରାତିରୁ ରାଜ୍ୟର ବିଭିନ୍ନ ବସ୍ଷ୍ଟାଣ୍ଡ୍, ରେଳ ଷ୍ଟେସନ୍ରେ ପୁଲିସ୍ ପଇଁତରା ଆରମ୍ଭ କରିଦେଇଛି।

ସରକାରୀ କାର୍ୟ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇ ନ ଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ବାଭାବିକ ଅବସ୍ଥାକୁ ଫେରି ନ ଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟଗୁଡ଼ିକୁ ବନ୍ଦ ରଖିବା ନିମନ୍ତେ ସରକାରଙ୍କ ଦ୍ବାରା ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ।

୭ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହି ବନ୍ଦକୁ ନୈତିକ ସମର୍ଥନ ଦେଇଛନ୍ତି। କିନ୍ତୁ ସେମାନେ ନିଜ ଆଡ଼ୁ କାର୍ୟ୍ୟ ବନ୍ଦ କରିବେ ନାହିଁ। ତାହା ସତ୍ତ୍ବେ ବନ୍ଦ ପାଳନକାରୀମାନେ ବ୍ୟାଙ୍କଗୁଡ଼ିକ ଆଗରେ ପିକେଟିଂ କରିବାକୁ ଯୋଜନା କରୁଥିବାରୁ ରାଜ୍ୟରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ବନ୍ଦ ପରିପ୍ରେକ୍ଷୀରେ ଓଡ଼ିଶା ସମେତ ସବୁ ରାଜ୍ୟ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବନ୍ଦ ବେଳେ ସୁରକ୍ଷା ବ୍ୟବସ୍ଥା ସହ ଶାନ୍ତି ବଜାୟ ରଖିବାକୁ ରାଜ୍ୟଗୁଡ଼ିକ ଗୁରୁତ୍ବ ଦେବେ। ବନ୍ଦ ବେଳେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବ, ତାହା ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର କୋଣ ଅନୁକୋଣରେ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ହଜାର ହଜାର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇବେ। କୌଣସି ପ୍ରକାର ଗଣ୍ଡଗୋଳ, ହିଂସା ଆଚରଣ ନ ଘଟାଇ ଶାନ୍ତିଶୃଙ୍ଖଳାର ସହ ଭାରତ ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ ଜଣାଇ ବନ୍ଦକୁ ସଫଳ କରିବା ପାଇଁ ଆଜି ଅପରାହ୍ନରେ କଂଗ୍ରେସ ଭବନରେ ୮ଟି ରାଜନୈତିକ ଦଳଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦକୁ ସବୁ ବର୍ଗର ଲୋକ ସମର୍ଥନ ଦେବା ପାଇଁ ନିବେଦନ କରାଯାଇଛି। ବନ୍ଦ ଡାକରାକୁ ସଫଳ କରିବା ତଥା ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ରାଜଧାନୀରେ ସିପିଆଇ, ଅଖିଳ ଭାରତ କୃଷକ ସଭା, ଏଆଇଟିୟୁସି ଓ ବିଜେଏମ୍ୟୁ ପକ୍ଷରୁ ମିଳିତ ଭାବେ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଅଲ୍ ଇଣ୍ଡିଆ ଫର୍ୱାର୍ଡ ବ୍ଲକ୍ ଓ ଏହାର ଗଣସଂଗଠନଗୁଡ଼ିକ ପକ୍ଷରୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ପକ୍ଷରୁ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଓଡ଼ିଶା ନିର୍ମାଣ ଶ୍ରମିକ ଫେଡେରେସନ୍ ଏହି ବନ୍ଦକୁ ସମର୍ଥନ ଜଣାଇ ଏଥିରେ ସାମିଲ୍ ହେବ ବୋଲି ଏକ ପ୍ରେସ୍ ଇସ୍ତାହାରା ଜରିଆରେ ଘୋଷଣା କରିଛି।

ବିଜେଡିର ଆଭିମୁଖ୍ୟ ସମ୍ପର୍କରେ ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଚାଷୀଙ୍କ ଆଶଙ୍କା ଦୂର କରି ସେମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ହେବା ଗୁରୁତ୍ବପୂର୍ଣ୍ଣ। ଆସନ୍ତା ୯ ତାରିଖରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ସମସ୍ୟା ସମାଧାନ ହେବା ନେଇ ବିଜେଡି ଆଶାବାଦୀ। ସ୍ବାମୀନାଥନ୍ କମିଟି ସୁପାରିସ୍ ଅନୁଯାୟୀ ଏମ୍ଏସ୍ପିକୁ ଦୁଇ ଗୁଣ କରିବା ପାଇଁ ବିଜେଡି ସବୁବେଳେ ଦାବି କରିଆସିଛି। ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ସବୁବେଳେ ଠିଆ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe