ଆଜି ଭାରତ ବନ୍ଦ : ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ; ଖୋଲିବ ନାହିଁ ଦୋକାନ ବଜାର, ସ୍ବାଭାବିକ ରହିବ ଗାଡ଼ି ଚଳାଚଳ

ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବ

1,447

କନକ ବ୍ୟୁରୋ : ଆଜି  ‘ଭାରତ ବନ୍ଦ’ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଡାକରା ଦିଆଯାଇଛି । ବନ୍ଦ ସମୟରେ ରାଜ୍ୟରେ କେବଳ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ । ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିବ ବୋଲି ଜଣାପଡ଼ିଛି । ଜିଏସ୍‌ଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ  ଭାରତ ବନ୍ଦ ଡାକରା ଦେଇଛି । ଏହି ବନ୍ଦକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରୁଥିବାରୁ ରାଜ୍ୟରେ ଦୋକାନ ବଜାର ବନ୍ଦ ରହିବ । ବିକ୍ଷୋଭକାରୀମାନେ ଗାଡ଼ି, ରେଳ ଅଟକାଇବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିପାରନ୍ତି । ଏପରିକି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସମ୍ମୁଖରେ ପିକେଟିଂ କରିପାରନ୍ତି । କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏଥିପାଇଁ ଛକ ଛକରେ ଜଗିଛନ୍ତି ପୋଲିସକର୍ମୀ ।

‌ଅପରପକ୍ଷେ ବନ୍ଦ ପାଇଁ ରାଜ୍ୟରେ ବସ୍‌, ଟ୍ରକ୍ ଓ ଅଟୋ ଚଳାଚଳ ପ୍ରଭାବିତ ହେବନି ବୋଲି ବିଭିନ୍ନ ସଂଘ ସ୍ପଷ୍ଟ କରିଛନ୍ତି । ଘରୋଇ ବସ୍‌ ମାଲିକ ସଂଘର ମୁଖପାତ୍ର ‌ଦେବାଶିଷ ନାୟକ କହିଛନ୍ତି ଯେ, ଆମେ ବସ୍‌ ଚଲାଇବୁ । ବ୍ୟବସାୟୀ ସଂଘ ବସ୍‌ ଚଳାଚଳ ଉପରେ ରୋକ୍‌ ଲଗାଇବନି ବୋଲି ଆମକୁ କହିଛି । ତେଣୁ ଆମେ ଧାର୍ଯ୍ୟ ସମୟରେ ବସ୍‌ ଚଳାଇବୁ। ସେହିପରି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ବ୍ୟବସାୟୀ ସଂଗଠନ ଅନୁରୋଧ କରି ନାହାନ୍ତି। ତେଣୁ ବନ୍ଦରେ ବସ୍ ମାଲିକ ସଂଘ ସାମିଲ ହେଉ ନାହାନ୍ତି । ‌ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ସଭାପତି ବିଭୂତି ଦାସ କହିଛନ୍ତି ଯେ, ରାଜ୍ୟରେ ଟ୍ରକ୍ ଚଳାଚଳ ବନ୍ଦ ରହିବନି। ଆମେ ଏହି ବନ୍ଦକୁ ସମର୍ଥନ କରୁନୁ ।

ସେହିପରି ଖୋର୍ଦ୍ଧା ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ପ୍ରଣବ କୁମାର ପରିଜା କହିଛନ୍ତି ଯେ, ଆମର ଜିଏସ୍‌ଟି ସମ୍ବନ୍ଧୀୟ ସମସ୍ୟା ଥିଲେ ବି ଆମେ ଏହାକୁ ଅନ୍ୟ ଉପାୟରେ ସମାଧାନ କରିବୁ । ତେଣୁ ଆମେ ଏହି ଦିନିକିଆ ବନ୍ଦ ଡାକରାରେ ସାମିଲ୍‌ ହେବୁନି । ସବୁଦିନ ପରି ଶୁକ୍ରବାର ମଧ୍ୟ ଟ୍ରକ୍ ଚଳାଚଳ କରିବ। ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି ଯେ, ଲୋକ ବାହାରକୁ ବାହାରିଲେ ଅଟୋ ଚାଲିବ । ଯଦି ସବୁ ସ୍ବାଭାବିକ ହେବ, ତେବେ ଅଟୋ ଚଳାଚଳ ବି ସ୍ବାଭାବିକ ରହିବ ।କ୍ରୁଟ୍‌ ପକ୍ଷରୁ କୁଯାଇଛି ଯେ, ମୋ ବସ୍‌ ଚଳାଚଳ ପ୍ରଭାବିତ ହେବନି । ଧାର୍ଯ୍ୟ ସମୟରେ ଧାର୍ଯ୍ୟ ରୁଟ୍‌ରେ ମୋ ବସ୍‌ ଚାଲିବ । ଯଦି କେଉଁଠି ମୋ ବସ୍‌କୁ ଅଟକାଯାଏ ତେବେ ତା’ପରେ ଯାହା ନିଷ୍ପତ୍ତି ନିଆଯିବ ।