ଭୋକରେ ରଖିଲା ଭାରତ ବନ୍ଦ ? ୧୨ ଘଣ୍ଟିଆ ବନ୍ଦ କାହା ପାଇଁ ପୁଷମାସ, କାହା ପାଇଁ ହେଲା ସର୍ବନାଶ…!

1,131

କନକ ବ୍ୟୁରୋ: ଭାରତ ବନ୍ଦ କରି କିଏ ପାଉଛି ଫାଇଦା ? ରାଜନୈତିକ ଦଳ ନା ସାଧାରଣ ଲୋକେ ? ୧୨ ଘଣ୍ଟା ଧରି ଜନଜୀବନ ଠପ କରି କି ଲାଭ ମିଳୁଛି? କିଏ କ୍ଷତି ସହୁଛି ? ଆଜି ଭାରତ ବନ୍ଦ ବେଳେ ବହୁତ ଲୋକ ହନ୍ତସନ୍ତ ହେବା ପରେ ଆନ୍ଦୋଳନକାରୀଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି ହଇରାଣ ହୋଇଥିବା ସାଧାରଣ ଲୋକେ ।

ତେବେ ବନ୍ଦ ପାଇଁ ଅନେକ ସ୍ଥାନରେ ଲୋକେ ଦହଗଞ୍ଜ ହୋଇଛନ୍ତି । ଦୋକାନ ବଜାର, ଗାଡିମଟର ଚଳାଚଳ ବନ୍ଦ ରହିଥିବାରୁ କିଛି ଲୋକ ଉପାସ ରହିଛନ୍ତି । ଯେଉଁମାନେ ରାସ୍ତା କଡରେ ବସି ବେପାର କରନ୍ତି କିମ୍ବା ବୁଲି ବୁଲି ଜିନିଷ ବିକ୍ରି କରି ନିଜ ପରିବାର ପେଟ ପୋଷନ୍ତି ସେମାନେ ଆଜି ଭୋକିଲା ଅଛନ୍ତି । ବନ୍ଦ କାରଣରୁ ଗାଡି ମଟର ଚାଲୁ ନଥିବାରୁ ଆଉ ଲୋକଙ୍କ ଗହଳି କମ ଥିବାରୁ ବେପାର ନହେବା ଭୟରେ ସେହି ସବୁ ଛୋଟ ବ୍ୟବସାୟୀମାନେ ଆଜି ଦୋକାନ ଖୋଲି ନାହାନ୍ତି । ଆନ୍ଦୋଳନକାରୀଙ୍କ ଡରରେ କିଛି ବ୍ୟବସାୟୀ ନିଜ ଠେଲା ଦୋକାନ ବନ୍ଦ କରି ସେହି ଠାରେ ହିଁ ଶୋଇଯାଇଛନ୍ତି । ତେବେ ଖଣ୍ଡଗିରି ଛକରେ ଗୋଲାପ ଫୁଲ ବିକ୍ରି କରୁଥିବା ଦୁଇ ଜଣ କୁନି ପିଲା ଛନ୍ଦକପଟବିହୀନ ଛଳଛଳ ଆଖିରେ କହିଛନ୍ତି କି ‘ଆଜି କେହି ଫୁଲ ନେଲେ ନି… ବିକ୍ରି ହୋଇନି ବୋଲି ଆମେ ଏଯାଏଁ କିଛି ଖାଇନୁ, ପଇସା ଥିଲେ ତ ଖାଇବୁ… ଦୋକାନ ବି ତ ବନ୍ଦ, ତେଣୁ ଉପାସ ଅଛୁ‘

ସେପଟେ ରାଜଧାନୀର ଯେଉଁଯେଉଁ ସ୍ଥାନରେ ପ୍ରବଳ ବ୍ୟବସାୟ ହୁଏ ସେଠି ଆଜି ଖାଁ ଖାଁ ରାଜୁତି କରିଛି । ଗୁପଚୁପ ଦୋକାନ କୁହନ୍ତୁ, ସିଝା ମକା ଦୋକାନ ଅବା ଅନ୍ୟ ଫାଷ୍ଟଫୁଡ ଦୋକାନ ଆଗରେ ଲୋକଙ୍କ ଗହଳି ଲାଗୁଥିବା ବେଳେ ଆଜି ଦିନରେ କୌଣସି ବ୍ୟବସାୟ ହୋଇନଥିବାରୁ କେମିତି ଘର ପରିବାର ଚଳିବ ସେ ଚିନ୍ତାରେ ଅନେକ ବ୍ୟବସାୟୀ ।

କାହା ପାଇଁ ବନ୍ଦ ପାଳନ?

ବନ୍ଦ ପାଇଁ ଦୂର ଦୂରାନ୍ତରରୁ ଆସିଥିବା ଲୋକଟେ ନିଜ ଘରକୁ ଫେରି ପାରୁନି । ବିମାନବନ୍ଦରରେ, ଷ୍ଟେସନ ପ୍ଲାଟଫର୍ମରେ ଲୋକେ ହନ୍ତସନ୍ତ ହୋଇଛନ୍ତି । ଗାଁରେ ହେଉ କିମ୍ବା ସହରରେ ହେଉ କାହାର ଯଦି କିଛି ଅସୁବିଧା ହେଲା ତେବେ ଅନେକ ଲୋକ ଘଟଣାସ୍ଥଳରେ ପହଞ୍ଚି ପାରୁନାହାନ୍ତି । କାରଣ ଗାଡି ଚଳାଚଳ ବନ୍ଦ ରହିଛି । ତେବେ ଯେଉଁ ଲୋକଙ୍କ ସମସ୍ୟା ଦୂର ପାଇଁ, ବେକାରୀ ସମସ୍ୟା ଦୂର ପାଇଁ କରାଯାଉଛି ତାହା ସାଧାରଣ ଲୋକଟିଏ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ତେଣୁ ନ୍ୱେନ୍ଦର ଅର୍ଥ କଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

ବନ୍ଦରୁ ବଡ ଫାଇଦା

ଅନ୍ୟପଟେ ଯଦି ଦେଖିବା ବନ୍ଦର ବଡ ଫାଇଦା ଉଠାଇଛନ୍ତି କିଛି ଅସାଧୁ ବେପାରୀ । ପେଟ୍ରାଲ ପମ୍ପ ବନ୍ଦ ଥିବାରୁ ସେମାନେ ଚଢା ଦରରେ ତେଲ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ରାସ୍ତା କଡରେ ବୋତଲରେ ପେଟ୍ରୋଲ ଡିଜେଲ ଭରି ଶହେ, ଦେଢଶହ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ ।

ଟ୍ରାଫିକ ପୋଷ୍ଟ ଫାଙ୍କା ଫାଙ୍କା !

ବନ୍ଦ ପ୍ରଭାରୁ ରାସ୍ତାରେ ଗାଡି ମଟର ଯିବା ଆସିବା ଏତେ ବେଶି ହେଉନଥିଲା । ତେଣୁ ସହରର ମୁଖ୍ୟ ଟ୍ରାଫିକ ପୋଷ୍ଟ ଗୁଡିକରେ ଆଜି କୌଣସି କର୍ମଚାରୀ ନଥିଲେ । ଯଦିଓ ସେମାନେ ପୋଷ୍ଟରେ ନରହି କିଛି ଦୂରରେ ବାଇକ ଉପରେ ବସି ରାସ୍ତା ଉପରେ ନଜର ରଖିଥିଲେ । ମାତ୍ର ଟ୍ରାଫିକ ପୋଷ୍ଟ ଫାଙ୍କା ଥିବାରୁ ମନଇଚ୍ଛା ଗାଡି ଚଳାଉଥିଲେ ଲୋକେ ।

ବିନା ହେଲମେଟରେ ବୁଲିଲେ…

ସେପଟେ ଟ୍ରାଫିକ ଟେନସନ ନଥିବାରୁ ବିନା ହେଲମେଟରେ ବଲୁଥିଲେ ବାଇକ ଚାଳକ । ଟ୍ରାଫିକ ପୋଷ୍ଟରେ କର୍ମଚାରୀ ନଥିବାରୁ ମନଇଚ୍ଛା ବିନା ହେଲମେଟରେ ଖୁଲମଖୁଲା ବୁଲୁଥିଲେ ଲୋକେ । ତେବେ ବନ୍ଦ ପାଇଁ କିଛି ଚାଳକ ଆଜି ଟ୍ରାଫିକ ନିୟମକୁ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି ।