ହରତାଳ ପାଇଁ ହନ୍ତସନ୍ତ । ରାଜନୈତିକ ଦଳ ପାଇଲେ କଣ ? ମୃତ୍ୟୁ ପରେ ନ୍ୟାୟ ଦେବାକୁ ନୁହେଁ, ରାଜନୀତି କରିବାକୁ ବନ୍ଦ ପାଳନ ?

55

କନକ ବ୍ୟୁରୋ: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ଆଜି ୧୨ ଘଂଟିଆ ଓଡ଼ିଶା ବନ୍ଦ ପାଳନ କରୁଛି । ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରି ଉଭୟ କଂଗ୍ରେସ ଏବଂ ବିଜେପି ଆଜି ସକାଳ ୬ଟାରୁ ୧୨ ଘଂଟିଆ ଓଡିଶା ବନ୍ଦ ଡାକରା ଦେଇଛି । ତେବେ ଏହି ପରିପ୍ରେକ୍ଷୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ଏହାକୁ କେନ୍ଦ୍ର କରି ରାଜଧାନୀରେ ବିଜେପି ଏବଂ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । କଂଗ୍ରେସ ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଯେଉଁଥିପାଇଁ ଆଜି ଭୋରୁ ଭୋରୁ କଂଗ୍ରେସକର୍ମୀମାନେ ରେଳରୋକ୍ କରିବା ଆରମ୍ଭ କରିଦେଇଛନ୍ତି । ତେବେ ସମ୍ବଲପୁର, ମାଷ୍ଟରକ୍ୟାଂଟିନ, ଜୟପୁର, ବାଲେଶ୍ୱର ଆଦି ସ୍ଥାନରେ ରେଳରୋକ କରିଛି କଂଗ୍ରେସ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ବସ ଚଳାଚଳ ମଧ୍ୟ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ପୁରୀ, ଭୁବନେଶ୍ୱର, କଟକ ଭଳି ସ୍ଥାନକୁ ବସ ଚଳାଚଳ ପୂରା ପୂରି ବନ୍ଦ ହୋଇଯାଇଛି । ଫଳରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଛି । କାରଣ ଗତକାଲି ଅପରାହ୍ନରେ ବନ୍ଦ ଡାକରା କରାଯାଇଥିଲା, ଯେଉଁ କାରଣରୁ ଅନେକ ଲୋକେ ଏସଂପର୍କରେ ଜଣା ନଥିଲା । ଖାଲି ଯେ ଗାଡି ଚଳାଚଳ ବ୍ୟାହାତ ହୋଇଛି ତାହା ନୁହେଁ ବରଂ ବିରୋଧୀଙ୍କ ଏହି ବନ୍ଦ ଡାକରା କାରଣରୁ ଦୋକାନବଜାରଗୁଡିକ ମଧ୍ୟ ବନ୍ଦ ରହିଛି । ବାଲେଶ୍ୱର, ଜୟପୁର , ଭବାନୀ ପାଟଣା, କଟକ , ସମ୍ବଲପୁର ଆଦି ସ୍ଥାନରେ ଉଭୟ ବିଜେପି ଏବଂ କଂଗ୍ରେସ କର୍ମମାନେ ଟାୟାର ଜାଳି ରାସ୍ତା ରୋକ କରିଥିବା ସାମ୍ନାକୁ ଆସିଛି । ସେହିଭଳି କଟକରେ ଦୁଇ ଦଳର କର୍ମୀ ମାନେ ପିକେଟିଂ କରିବା ସହ ବୁଲି ବୁଲି ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା । ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି । ଏବଂ କେତେକ ସ୍ଥାନରେ ଭଙ୍ଗାରୁଜା ହୋଇଛି । ତେବେ କେତେକ ସ୍ଥାନକୁ ଛାଡିଲେ ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ବନ୍ଦ ପାଳନ ହୋଇଛି ।

ଜଗତସିଂହପୁରରେ ବନ୍ଦ ପାଳନ ବେଲେ ବିଜେପିର ଦେଖିବାକୁ ମିଳିଛି ବ୍ୟାପକ ଭଙ୍ଗାରୁଜା । ଆନ୍ଦୋଳନକାରୀ ବିଜେପି କର୍ମୀ ଡିଆରଡିଏ କାର୍ଯ୍ୟାଳୟରେ ପଶି ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି । ସେପଟେ, ବନ୍ଦ ପାଳନ ପାଇଁ ଦୋକାନ, ବଜାର, ସ୍କୁଲ-କଲେଜ୍ ବନ୍ଦ କରିବା ପାଇଁ ଏଥିରେ କୁହାଯାଇଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ ଦିଆଯାଇଛି । ଦୁଇ ଦଳର ବନ୍ଦ ପାଳନ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏପରିକି କୌଣସି ସ୍କୁଲ, କଲେଜରେ ପରୀକ୍ଷା ଥିଲେ ତାହା ପରେ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଥାଉ କି, ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଜଣେ ଛାତ୍ରୀଙ୍କୁ ପଟାଙ୍ଗୀ ଡାକ୍ତରଖାନାକୁ ଅଣାଯାଇଥିଲା । ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଥିଲେ । ଅଭିଯୋଗ ହେଲା-କୁନ୍ଦୁଲି ହାଟପଦାରୁ ଫେରିବା ରାସ୍ତାରେ ଛାତ୍ରୀ ଜଣଙ୍କୁ ଯବାନ ପୋଷକଧାରୀ ୪ଜଣ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଆଉ ସେଠାରେ ପକାଇ ଦେଇ ସେଠାରୁ ଫେରାର ହୋଇଯାଇଛନ୍ତି । ପଟାଙ୍ଗୀରେ ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ଜଣଙ୍କୁ କୋରାପୁଟ୍ ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କୋରାପୁଟ ମେଡ଼ିକାଲରେ ସୁସ୍ଥ ହେବା ପରେ ୨୭ ତାରିଖରେ ଛାତ୍ରୀ ଜଣଙ୍କୁ ଘରକୁ ନିଆଯଯାଇଥିଲା । ବାରମ୍ବାର ଅସୁସ୍ଥ ହେବାରୁ ତାଙ୍କୁ ନଭେମ୍ବର ୧୯ ତାରିଖରେ ତାଙ୍କୁ କଟକ ବଡ ମେଡ଼ିକାଲକୁ ନିଆଯାଇଥିଲା ।  ୨୮ ତାରିଖରେ ସେ କଟକରୁ କୋରାପୁଟ୍ ଫେରିଥିଲେ । ଆଉ ପାଖାପାଖି ଦୁଇ ମାସ ପରେ ବେକରେ ଦୁଉଡି ଦେଇ ଆତ୍ମହତ୍ୟା କରିଛନ୍ତି ।