ସାରା ଦେଶରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ : ଜାଣନ୍ତୁ କେଉଁ ସହରରେ କିପରି ରହିଛି ପରିସ୍ଥିତି

62

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁଁ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ବିରୋଧୀମାନେ କେନ୍ଦ୍ରରେ ଶାସନ କରୁଥିବା ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଉଛନ୍ତି । କେବଳ କଂଗ୍ରେସ ନୁହେଁ ସାରା ଦେଶରେ ମୋଟ ୨୧ ଦଳ ବନ୍ଦରେ ସାମିଲ ହୋଇଥିବା ଜଣାପଡିଛି । ତେବେ ଜାଣନ୍ତୁ ବନ୍ଦ ପ୍ରଭାବ ସାରା ଦେଶରେ କିପରି ଭାବରେ ପଡିଛି।
ବିହାର- ବିହାରରେ ଭାରତ ବନ୍ଦର ପ୍ରଭାବ ସକାଳୁ ହିଁ ପଡିବାର ଦେଖାଯାଇଥିଲା । ଦରଭଙ୍ଗାରେ ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରୋକ କରିବା ସହ ଅନେକ ରେଳ ଅଟକାଇ ରଖିଛନ୍ତି । ଏହାସହ ଜହାନାବାଦରେ ରେଳ ଲାଇନ ଉପରେ ହିଁ ଶୋଇରହିଥଛନ୍ତି । ଜାତୀୟ ରାଜପଥ ୩୧ରେ ମଧ୍ୟ ବ୍ୟାପକ ଆନ୍ଦୋଳନ ହେଉଥିବା ଦେଖିବାକୁ ମିଳିଛି ।

 

କର୍ଣ୍ଣାଟକ- କର୍ଣ୍ଣାଟକରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ଅନେକ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତା ରୋକ କରିବା ସହ ସ୍କୁଲ ଓ କଲେଜ ବନ୍ଦ ରଖିଛନ୍ତି । ଏହାସହ ମାଙ୍ଗାଲୋରରେ ପଥରମାଡ ହୋଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ବରଂ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ।
ଗୁଜୁରାଟ- ପ୍ରଧାନମନ୍ତ୍ରୀଙ୍କ ଗୃହ ରାଜ୍ୟ ଗୁଜୁରାଟରେ ମଧ୍ୟ ଆନ୍ଦୋଳନ ଜୋରଦାର କରାଯାଇଛି । ସକାଳୁ ସକାଳୁ ହିଁ ସେଠାରେ ବିକ୍ଷୋଭକାରୀମାନେ ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ରାସ୍ତା ରୋକ କରିଛନ୍ତି । ତେବେ ସେଠାରେ ସରକାର ସ୍କୁଲ ବନ୍ଦ ରଖିଥିବା ଜଣାପଡିଛି ।

 

କେରଳ-ତେବେ କେରଳରେ ମଧ୍ୟ ବନ୍ଦ ପ୍ରଭାବ ଦେଖାଯାଇଛି । ସକାଳ ୬ ରୁ ହିଁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଦେଇଥିଲେ । କେରଳରେ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି । ନିକଟରେ ବନ୍ୟା ହୋଇଥିବା ବେଳେ ଆଜି ପୁଣି ଭାରତ ବନ୍ଦରେ ଅନେକ ଲୋକ ଅସୁବିଧାର ସମୁଖୀନ ହୋଇଥିବା ସୂଚନା ମିଳିଛି ।
ଓଡିଶା- ଓଡିଶାରେ ବନ୍ଦର ପ୍ରଭାବ ବ୍ୟାପକ ଭାବରେ ଦେଖାଦେଇଛି । ବିରୋଧୀ କଂଗ୍ରେସ ରାଜରାସ୍ତାକୁ ବନ୍ଦ କରି ରଖିଛି । ଏହାସହ ରେଳରୋକ ମଧ୍ୟ କରାଯାଇଛି । ଏଠାରେ ଶାସନ କରୁଥିବା ବିଜେଡି ବନ୍ଦକୁ ସମର୍ଥନ କରିନାହିଁ । ତେବେ ଏଠାରେ ମଧ୍ୟ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି ।
ମହାରାଷ୍ଟ୍ର- ମହାରାଷ୍ଟ୍ରରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଛନ୍ତି । ତେବେ ସେଠାରେ ଗୋଟିଏ ଗୋଟିଏ ସ୍ଥାନରେ ପଥର ଫୋପଡାଯାଇଥିବା ସୂଚନା ମିଳିଛି ।