ପ୍ରଭାବୀ ହୋଇପାରେ କାଲିର ଭାରତ ବନ୍ଦ ଡାକରା: ଚାଷୀଙ୍କୁ ମିଳୁଛି ଚାରିଆଡୁ ସମର୍ଥନ; ସପକ୍ଷରେ ବାହାରିଲେ କଂଗ୍ରେସ ସମେତ ବହୁ ରାଜନୈତିକ ଦଳ

ଓଡ଼ିଶାରେ ବି ଜୋରଦାର ପ୍ରସ୍ତୁତି

290

କନକ ବ୍ୟୁରୋ: ଆସନ୍ତାକାଲି ଚାଷୀଙ୍କ ଭାରତ ବନ୍ଦ ଡାକରା ବଳ ଗୋଟାଇବାରେ ଲାଗିଛି । କଂଗ୍ରେସ, ଟିଆରଏସ, ଆରଜେଡି, ଟିଏମସି, ଆମ ଆଦମୀ ଭଳି ଦଳ ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତିି । ଏପଟେ କେନ୍ଦ୍ର ସରକାରଙ୍କ ସହ ଆଲୋଚନାରୁ କୌଣସି ନିଷ୍କର୍ସ ବାହରି ପାରିନାହିଁ । ପ୍ରଥମ ଥର ପାଇଁ ଚାଷୀଙ୍କ ଆନ୍ଦୋଳନ ଆଗରେ ମୋଦି ସରକାର ଚାପଗ୍ରସ୍ତ ହୋଇଥିବା ପରି ମନେ ହେଉଛି । ସେପଟେ ଭାରତ ବନ୍ଦ ପାଇଁ ଓଡିଶାରେ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ କୃଷକ ସଂଗଠନ ।

ଚାଷୀ, କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଟଳ ଥିବା ବେଳେ ମୋଦି ସରକାରଙ୍କ ଅକଲଗୁଡୁମ୍୍ ହୋଇଯାଇଛି । ଆଉ ଏହାରି ଭିତରେ ଭାରତ ବନ୍ଦ ଡାକରାକୁ ବିରୋଧୀ ଦଳଗୁଡ଼ିକର ସମର୍ଥନ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । କଂଗ୍ରେସ, ଆପ୍, ଟିଆରଏସ୍, ଆର୍ଜେଡି, ଟିଏମସି, ଖୋଲାଖୋଲି ଚାଷୀଙ୍କ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

-ଚାଷୀ ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ, ଦଳୀୟ କାର୍ଯ୍ୟାଳୟ ଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରିବ
-ଭାରତ ବନ୍ଦକୁ ସଫଳ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
-ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପ୍ରତିବାଦ କରିବ ତୃଣମଳ କଂଗ୍ରେସ
– ସେହିପରି ସିପିଆଇ, ସିପିଆଇଏମ୍ ଭଳି ବାମଦଳ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି

ଦିଲ୍ଲୀରେ ଚାଷୀ କରୁଥିବା ଆନ୍ଦୋଳନକୁ ଓଡ଼ିଶା ଚାଷୀ ମଧ୍ୟ ସମର୍ଥନ କରିଛନ୍ତି । ଆନ୍ଦୋଳନକୁ ସମର୍ଥନ କରି ପଶ୍ଚିମ ଓଡ଼ିଶାର ବିିଭିନ୍ନ ସ୍ଥାନରେ ଚାଷୀଙ୍କ ପ୍ରତିବାଦ ଜାରି ରହିଛି । ଏପଟେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ତାରିଖରେ ୩୦ ଜିଲ୍ଲାର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ତେବେ ଚାଷୀ ଆନ୍ଦୋଳନ ରାଜ୍ୟ କିମ୍ବା ଦେଶରେ ସୀମିତ ରହିନାହିଁ । ବିଦେଶରୁ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ ମିଳିଛି ।

-ଭାରତର ଚାଷୀ ଆନ୍ଦୋଳନ ସପକ୍ଷରେ ବାହାରିଛନ୍ତି ବ୍ରିଟେନ୍ର ୩୬ ଜଣ ସାଂସଦ
-ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କ ଆଲୋଚନା କରିବାକୁ ଇଂଲଣ୍ଡର ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି
-ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି
-କାନାଡ଼ା ପ୍ରଧାନମନ୍ତ୍ରୀ ମଧ୍ୟ ଚାଷୀ ଆନ୍ଦୋଳନ ସପକ୍ଷରେ ମନ୍ତବ୍ୟ ରଖିଛନ୍ତି

ବଡ଼ କଥା ହେଉଛି ମୋଦି ସରକାରଙ୍କ ସହ ବିଶେଷ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ଚାଷୀ । ସିଧାସଳଖ ହଁ କିମ୍ବା ନାଁରେ ଉତର ରଖିବାକୁ କେନ୍ଦ୍ର ସରକାରକୁ କହିଛନ୍ତି ଚାଷୀ ନେତା । ଆଉ ଏଥିରେ ୬ଟି ପ୍ରମୁଖ ଦାବି ରଖାଯାଇଛି ।

-କୃଷି ସମ୍ପର୍କିତ ୩ଟି ଯାକ ଆଇନକୁ ପ୍ରତ୍ୟାହାର କରାଯାଉ
-ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କ ଆଇନଗତ ଅଧିକାର ହେଉ
-ରାଜ୍ୟସ୍ତରରେ ହେଉଥିବା ସବୁ ଉତ୍ପାଦନ ବିକ୍ରି ଚାଷୀଙ୍କ ଅଧିକାର ହେଉ
-ଚାଷୀ କାର୍ଯ୍ୟରେ ବ୍ୟବହାର ପାଇଁ ଡିଜେଲ ଦର ୫୦% କମ କରାଯାଉ
-ଚାଷୀ ଆନ୍ଦୋଳନ ପାଇଁ ଗିରଫ ଚାଷୀ ଓ ଚାଷୀ ନେତାଙ୍କୁ ମୁକ୍ତ କରାଯାଉ
-ଚାଷୀ ଆନ୍ଦୋଳନକୁ ସମର୍ଥନରେ ଜେଲରେ ଥିବା ବୁଦ୍ଧିଜୀବୀଙ୍କୁ ମୁକ୍ତ କରାଯାଉ