ଲିଟରେ ପେଟ୍ରୋଲକୁ ଶହେ ଟଙ୍କା ! ନେଲେ ନିଅନ୍ତୁ ନନେଲେ ନାହିଁ… ଭାରତ ବନ୍ଦର ଭରା ଫାଇଦା ଉଠାଇଲେ, ଚଢା ଦରରେ ବିକି ମାଲାମାଲ ହେଲେ ବେପାରୀ

850

କନକ ବ୍ୟୁରୋ: “ପେଟ୍ରୋଲ ଲିଟର ଶହେ ଟଙ୍କା । ନେଲେ ନିଅନ୍ତୁ ନନେଲେ ନାହିଁ… ଶହେରୁ କିନ୍ତୁ ଟଙ୍କାଟେ ବି କମିବନି… ଆପଣ ନେଲେ ଖୁସି ନନେଲେ ବି ଖୁସି, ଶହେ ଟଙ୍କାରେ ନେବାକୁ ଅନେକ ଲୋକ ଅଛନ୍ତି…’’

ଭାରତ ବନ୍ଦ ବେଳେ ରାଜଧାନୀରେ ମାତିଛନ୍ତି ତେଲ ବେପାରୀ । ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ କିଛି ବେପାରୀ ରାସ୍ତା କଡରେ ଡିଜେଲ, ପେଟ୍ରୋଲ ଚଢା ଦରରେ ବିକୁଛନ୍ତି । ଆଉ ଦର ନେଇ ପ୍ରଦିବାଦ କଲେ ଏମିତି କିଛି କଥା କହୁଛନ୍ତି ।

ତେବେ ଗୋଟିଏ ପଟେ ଭାରତ ବନ୍ଦ ପାଇଁ ସାରା ଦେଶ ପ୍ରଭାବିତ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଥିବାରୁ ଆଜି କୌଣସି ବି ଦୋକାନ ବଜାର କି ପେଟ୍ରୋଲ ପମ୍ପ ଖୋଲାଯାଇନି । ଯାହା ଫଳରେ କିଛି ଲୋକେ ଗାଡିରେ ତେଲ ପକାଇବାକୁ ହନ୍ତସନ୍ତ ହୋଇଛନ୍ତି । ଆଉ ଲୋକଙ୍କ ଏହି ହନ୍ତସନ୍ତର ଫାଇଦା ଉଠାଇଛନ୍ତି ଚୋରାରେ ଖୁଲମଖୁଲା ତେଲ ବିକୁଥିବା ବେପାରୀ ।

କେବଳ ରାଜଧାନୀ ରାସ୍ତା କଡରେ ନୁହେଁ ବରଂ କିଛି ଲୋକ ପେଟ୍ରୋଲ ପମ୍ପ ଆଗରେ ବୋତଲରେ ତେଲ ଭରି ବିକ୍ରି କରୁଛନ୍ତି । ଲିଟର ପିଛା ଶହେ କହୁଥିଲେ ବି ଉକ୍ତ ବୋତଲରେ ଥିବା ପେଟ୍ରୋଲ ଏକ ଲିଟର ଭଳି ଦେଖାଯାଉ ନାହିଁ । ସେ ଯାହା ବି ହେଉନା କାହିଁକି ବନ୍ଦର ମୋକା ନେଇ ରାଜଧାନୀରେ ମାତିଛନ୍ତି ତେଲ ବେପାରୀ ।

ଗାଡିରେ ତେଲ ଆବଶ୍ୟକତା ଥିବାରୁ କେଉଁଠି କେଉଁଠି ଲୋକେ ଦେଢ ଶହ ଟଙ୍କା ବି ଦେଇଛନ୍ତି । ତେବେ ଆଜି ଭାରତ ବନ୍ଦ ଥିବାରୁ ଗତକାଲି ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା । ତେଣୁ କିଛି ଲୋକ ନିଜ ଗାଡିରେ ପେଟ୍ରୋଲ କିମ୍ବା ଡିଜେଲ ଭରି ନଥିଲେ । ମାତ୍ର ଆଜି ହଠାତ କିଛି ଗୁରୁତ୍ୱପୂର୍ଣ୍ଣ କାମରେ ଘରୁ ଗାଡି କାଢିବାକୁ ପଡିବାରୁ ବାଧ୍ୟ ହୋଇ ଚଢା ଦରରେ ତେଲ କିଣିବାକୁ ପଡୁଛି ବୋଲି ସମସ୍ୟା ଭୋଗୁଥିବା କିଛି ଲୋକ କହିଛନ୍ତି । ସେପଟେ ପାଟ୍ରୋଲିଂ କରୁଥିବା ପୋଲିସ ନଜରରେ ଚଢା ଦରରେ ବିକୁଥିବା ବେପାରୀମାନେ ପଡୁଛନ୍ତି କି ନାହିଁ ବୋଲି କ୍ଷୁବ୍ଧ ହୋଇ କିଛି ଲୋକେ କହିଛନ୍ତି । ତେବେ କେବଳ ଆଜି ନୁହେଁ

ସବୁ ବନ୍ଦ ପାଳନ ବେଳେ ପେଟ୍ରୋଲ ଡିଜେଲର ଚଢା ଦରରେ ବିକ୍ରି ନେଇ ଏମିତି କିଛି ଅଭିଯୋଗ ଆସେ ଆଉ ଲୋକ ବି ଚଢା ଦର ଦେଇ ଗାଡିରେ ତେଲ ପକାନ୍ତି ।