ଭାରତ ବନ୍ଦର ପ୍ରଭାବ : ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ରେଳ ଓ ରାସ୍ତାରୋକ ଯୋଗୁଁ ଲୋକେ ହଇରାଣ, ସତସଙ୍ଗବିହାରରେ ପୋଲିସ ଗାଡିକୁ ଅଟକାଇଲେ ଆନ୍ଦୋଳନକାରୀ

Advertisment
ଭାରତ ବନ୍ଦର ପ୍ରଭାବ : ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ରେଳ ଓ ରାସ୍ତାରୋକ ଯୋଗୁଁ ଲୋକେ ହଇରାଣ, ସତସଙ୍ଗବିହାରରେ ପୋଲିସ ଗାଡିକୁ ଅଟକାଇଲେ ଆନ୍ଦୋଳନକାରୀ

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ନ ୩ଟା ଯାଏଁ ଚାଲିବ । କଂଗ୍ରେସର ଏହି ବନ୍ଦ ଡାକରାକୁ ୧୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ବିଶେଷକରି ସିପିଆଇ, ସିପିଏମ୍, ଜନତା ଦଳ ସେକ୍ୟୁଲାର, ମହାରାଷ୍ଟ୍ର ନବନିର୍ମାଣ ସେନା, ଆରଜେଡି, ଏନ୍ସିପି, ବିଏସ୍ପି, ଡିଏମ୍କେ ଭଳି ଦଳ କଂଗ୍ରେସର ଏହି ବନ୍ଦକୁ ସମର୍ଥନ କରିଛନ୍ତି । ଏହା ବ୍ୟତିତ କିଛି ପରିବହନ ସଂସ୍ଥା ମଧ୍ୟ ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।

publive-image

ଅନ୍ୟପଟେ ବନ୍ଦପାଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖାଯିବା ସହ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ବନ୍ଦର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି ।

publive-image

ବନ୍ଦ ଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଗୁଡିକ ଟ୍ରେନ୍‌ ଅଟକାଇଛନ୍ତି। ଫଳରେ ବିଭିନ୍ନ ଷ୍ଟେସନରେ ଟ୍ରେନ୍‌ଗୁଡ଼ିକ ଅଟକି ରହିଛି।

publive-image

ବିଭିନ୍ନ ସ୍ଥାନରେ ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି କଂଗ୍ରେସ କର୍ମୀ । କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ କଂଗ୍ରେସ ନେତା ମହମ୍ମଦ ମୁକିମ୍‌ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରେଳରୋକ କରିଛନ୍ତି। ବିକ୍ଷୋଭକାରୀମାନଙ୍କ ରେଳରୋକ ଯୋଗୁଁ କଟକ ଷ୍ଟେସନରେ ହାୱଡ଼ା-ଚେନ୍ନାଇ ସୁପରଫାଷ୍ଟ୍‌ ଏକ୍ସପ୍ରେସ ଟ୍ରେନ୍‌ ଅଟକିଛି।

publive-image

ସେହିଭଳି ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କଳାହାଣ୍ଡି, ଅନୁଗୋଳ, ନାଲୋକ ନଗର ଓ ସୋରରେ ମଧ୍ୟ ରାସ୍ତାରୋକ କରିଛନ୍ତି କଂଗ୍ରେସ କର୍ମୀ ।

publive-image

ବନ୍ଦ ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସ୍କୁଲ୍ଗୁଡ଼ିକ ବନ୍ଦ ନିର୍ଦ୍ଦେଶ ଦେଇସାରିଛନ୍ତି। ବସ୍, ଅଟୋ ଚଳାଚଳ ମଧ୍ୟ ବନ୍ଦ ରହୁଥିବାରୁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି । ବନ୍ଦ ପାଳନକାରୀମାନେ ଟ୍ରେନ୍ ଲାଇନ୍ରେ ପିକେଟିଂ କରୁଥିବାରୁ ବିଭିନ୍ନ ସ୍ଥାନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ପେଟ୍ରୋଲ ଟାଙ୍କିଗୁଡ଼ିକ ବନ୍ଦ ରହିଛି।

publive-image

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି ଭାରତ ବନ୍ଦର ପ୍ରଭାବ । ଶତସଙ୍ଗ ବିହାରରେ ଆନ୍ଦୋଳନକାରୀମାନେ ପୁଲିସ୍ ଭ୍ୟାନକୁ ବି ଛାଡି ନଥିଲେ । କଂଗ୍ରେସ କର୍ମୀମାନେ ରାସ୍ତାରେ ପୁଲିସ ଗାଡିକୁ ବି ଯିବାକୁ ଛାଡିନଥିଲେ ।

publive-image

ବାଣୀବିହାର ଛକରେ ପିକେଟିଂ କରିଛନ୍ତି କଂଗ୍ରେସ କର୍ମୀ । ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବସ୍ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଅନେକ ଯାତ୍ରୀ ଫସି ରହିଛନ୍ତି।

publive-image

ସେହିପରି ବଲାଙ୍ଗୀର ଷ୍ଟେସନରେ ଠାରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ରେଳରୋକ କରିଥିବାରୁ ବଲାଙ୍ଗିର ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ ଅଟକି ରହିଛି ।

publive-image

ଭୁବନେଶ୍ୱରରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରେଳରୋକ କରିଥିବା ବେଳେ ଭଦ୍ରକରେ ମଧ୍ୟ ଏକ ଟ୍ରେନ୍‌କୁ କଂଗ୍ରେସ କର୍ମୀମାନେ ଅଟକାଇଛନ୍ତି।

publive-image

ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ବାଣୀବିହାର ଛକ ଠାରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନୁଗୁଳରେ ମଧ୍ୟ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରୁଥିବାରୁ ଜାତୀୟ ରାଜପଥ ଉପରେ ହଜାର ହଜାର ସଂଖଢରେ ଗାଡ଼ି ମୋଟର ଅଟକି ରହିଛି।

publive-image

ଭାରତ ବନ୍ଦକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ,“ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଛି। ଓଡ଼ିଶାବାସୀ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।” ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି।

publive-image

ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ଏବଂ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିଥିବା ଏହି ବଡ଼ ସୁଯୋଗକୁ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି। ଏହି ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ନେତାମାନେ ଲାଗି ପଡ଼ିଛନ୍ତି। ବିଧାନସଭା ଅଧିବେଶନ ଚାଲିଥିଲେ ବି କଂଗ୍ରେସ ସଭ୍ୟମାନେ ଗୃହକୁ ନ ଯାଇ ବିଭିନ୍ନ ସ୍ଥାନରେ ପିକେଟିଂରେ ସାମିଲ୍‌ ହୋଇଛନ୍ତି। ତେବେ ବନ୍ଦ ବେଳେ ଆମ୍ବୁଲାନ୍ସ, ମେଡିସିନ୍‌ ଷ୍ଟୋର୍‌ ଛାଡ଼ି ବସ୍‌, ଅଟୋ ଚଳାଚଳ ସହିତ ଦୋକାନବଜାର ବନ୍ଦ ରହିଛି। ଆଜି ସରକାର ସ୍କୁଲ ଛୁଟି ଘୋଷଣା କରିଥିବାରୁ କୌଣସି ସ୍କୁଲ ବସ ଗଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe