ଚାଷୀଙ୍କ ପାଇଁ ‘ଭାରତ ବନ୍ଦ’ । ଓଡ଼ିଶାରେ ପଡ଼ିଲା ବନ୍ଦର ଆଂଶିକ ପ୍ରଭାବ ।

111

କନକ ବ୍ୟୁରୋ : ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ ଓ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ରାଜ୍ୟରେ ୭ ରାଜନୈତିକ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଥିଲେ । ସାରା ରାଜ୍ୟରେ ଚାଷୀଙ୍କ ପାଇଁ ସ୍ୱର ଉଠିଥିଲା । କିନ୍ତୁ ଦିଲ୍ଲୀ ଭଳି ସ୍ଥାନରେ ଆନ୍ଦୋଳନ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହୋଇଛି ଏବଂ ଲୋକେ ନାନା ଅସୁବିଧାର ସାମ୍ନା କରିଛନ୍ତି ।

ଘରୁ ବାହାରି ଆସିଛନ୍ତି, ହେଲେ ଗନ୍ତବ୍ୟସ୍ଥଳରେ କେତେବେଳେ ପହଁଚିବେ ତାହା ଜଣାନାହିଁ । ଲୋକଙ୍କ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ଦିଲ୍ଲୀ-ଗୁରୁଗାଓଁ ଜାତୀୟ ରାଜପଥରେ । ଧାଡି ଧାଡି ହୋଇ ଲାଗିଥିଲା ଗାଡିର ଲାଇନ । ସଂଯୁକ୍ତ କିଷାନ ମୋର୍ଚ୍ଚାର ବନ୍ଦ ପାଳନ ଯୋଗୁଁ ନାଁ ଆଗକୁ ଯାଇ ପାରୁଥିଲେ ନା ପଛକୁ ଫେରି ପାରୁଥିଲେ । ଘଂଟା ଘଂଟା ଧରି ଏମିତି ଫସି ରହିଥିଲେ ହଜାର ହଜାର ଲୋକ । ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ଉତ୍ତରପ୍ରଦେଶକୁ ସଂଯୋଗ କରୁଥିବା ଏକାଧିକ ରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।

ଓଡିଶାରେ ବନ୍ଦର ଆଂଶିକ ପ୍ରଭାବ । ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଆନ୍ଦୋଳନକାରୀ ପିକେଟିଂ କରିବା ସହ ରାସ୍ତାରୋକ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ବର୍ଷାରେ ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । ପ୍ରତିବାଦକାରୀ ହାତରେ ଛତା ଧରି ରାସ୍ତାରେ ଆନ୍ଦୋଳନ କରୁଥିବା ଦେଖାଯାଇଥିଲା ।

ବଲାଙ୍ଗୀରରେ ଦେଖିବାକୁ ମିଳିଥିଲା ବନ୍ଦର ପ୍ରଭାବ । ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପସିଥିଲେ ଆନ୍ଦୋଳନକାରୀ । ଧାରଣା ଦେଇଥିଲେ ବିଭିନ୍ନ ଚାଷୀ ସଂଗଠନର ସଦସ୍ୟ । ସେହିପରି ବାଲେଶ୍ୱରରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପ୍ରଥମେ ରେଳୱେ ଷ୍ଟେସନରେ ଟ୍ରେନ୍ ଅଟକାଇଥିଲେ ଆନ୍ଦୋଳନକାରୀ । ତାପରେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ପ୍ରତିବାଦ ଜଣାଇଥିଲେ ।

ଭାରତ ବନ୍ଦର ପ୍ରଭାବ ବାରିପଦା ସହରରେ ମଧ୍ୟ ଦେଖିବାକୁ ମିଳିଛି । ସହରର ଏକ ପେଟ୍ରୋଲ ପମ୍ପ ଖୋଲାଥିଲା । ଏହି ସମୟରେ କିଛି ଆନ୍ଦୋଳନକାରୀ ଗାଡିରେ ଆସି ପେଟ୍ରୋଲ ପମ୍ପକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଦରଦାମ ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ତେବେ ଆନ୍ଦୋଳନ ନକରି ଆଲୋଚନା ପାଇଁ ପୁଣି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।