ଭାରତ ବନ୍ଦର ଓଡ଼ିଶାରେ ଆଂଶିକ ପ୍ରଭାବ, ଶାନ୍ତିପୂର୍ଣ୍ଣ ରହିଲା ବନ୍ଦ ପାଳନ । ଗାଡ଼ି ମଟର ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ, ବନ୍ଦରେ ବି ଚାଲିଲା ବେପାର ।

153

କନକ ବ୍ୟୁରୋ : ଭାରତ ବନ୍ଦ ଶାନ୍ତିରେ ଶେଷ । ୧୪ଦଫା ଦାବିରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବରେ ସାରା ରାଜ୍ୟରେ ଜୀବନ ଯାତ୍ରା ଠପ୍ ହୋଇଯାଇଛି । ଦୋକାନ ବଜାର ଏବଂ ଗାଡି ମୋଟର ଚଳାଚଳ ବନ୍ଦ ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜିର ଏହି ବନ୍ଦ ସଫଳ ହୋଇଥିବା କଥା କଂଗ୍ରେସ କହିଥିବା ବେଳେ ବିଜେପି କହିଛି ବନ୍ଦ ନାଁରେ ଭୟର ବାତାବରଣ ସୃଷ୍ଟି କରାଯାଇଛି । ଆଉ ଏସବୁ ଭିତରେ ଲୋକସେବା ଭବନକୁ କର୍ମଚାରୀମାନେ ସାଇକେଲରେ ଏବଂ ଚାଲି ଚାଲି ଆସିଥିବା ଦେଖିବାକୁ ମିଳିଥିଲା । ସବୁଠୁ ଅଧିକ ଅସୁବିଧା ଭୋଗିଥିଲେ ଜେଇଇ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ।

ଅଖ ବନ୍ଦ, ଚକ ବନ୍ଦ, ରାସ୍ତାଘାଟ ଶୂନଶାନ, ଜୀବନ ଯାତ୍ରା ଠପ୍ । ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାର ଇଏ ହେଉଛି ରାଜ୍ୟରେ ପ୍ରଭାବ । ବିଭିନ୍ନ ଜିଲ୍ଳାରେ ରେଳରୋକ । ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବାରୁ ଟ୍ରେନ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଜାତୀୟ ରାଜପଥ ଅବରୋଧ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଥିଲେ । ଅନେକ ଜିଲ୍ଳାରେ ସରକାରୀ ଓ ବେସରକାରୀ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଥିଲା ବିକ୍ଷୋଭ ।

ବଲାଙ୍ଗୀର, ଗଜପତି, ଭଦ୍ରକ, ଦେବଗଡ, ଯାଜପୁର, ଯୋଡା, ନବରଙ୍ଗପୁର, ପାରାଦୀପ, ସୋରୋ ବିଭିନ୍ନ ସ୍ଥାନରେ ପଡିଥିଲା ବନ୍ଦର ପ୍ରଭାବ । ନାଗରିକତା ଆଇନ ପ୍ରତ୍ୟାହାର, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନିଯୁକ୍ତି ସମେତ ୧୪ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କରାଯାଇଥିଲା ଭାରତ ବନ୍ଦ ପାଳନ । ଭୁବନେଶ୍ୱରରେ ଗାଡି ମଟର ଚଳାଚଳ ବନ୍ଦ ରହିଥିଲା । ଆଚାର୍ଯ୍ୟବିହାର ଛକରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କୁ ଗୋଡାଇଥିଲା ପୁଲିସ । ଜେଇଇ ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ ।

ଅନ୍ୟପଟେ ଲୋକସେବା ଭବନକୁ କର୍ମଚାରୀମାନେ ବାଇକ, ସାଇକେଲରେ ଆସିଥିଲେ । ମନ୍ତ୍ରୀ ରଘୁନନ୍ଦନ ଦାସ ଓ ପ୍ରଫୁଲ ମଲ୍ଲିକ ବାଇକରେ ଆସିଥିଲେ । ସଚିବ ମାନେ ମଧ୍ୟ ଆସିଥିଲେ ସ୍ୱତନ୍ତ୍ର ସୁରକ୍ଷାରେ । କିଛି ସରକାରୀ ଅଧିକାରୀ ଚାଲିଚାଲି ଆସିଥିବା ଦେଖିବାକୁ ମିଳିଥିଲା ।

ଭାରତ ବନ୍ଦ ପ୍ରଭାବରେ ଅଧିକ ପରିମାଣର ଟଙ୍କା ନେଇ ବିମାନବନ୍ଦରରୁ ଲୋକମାନଙ୍କୁ କିଛି ପିଲା ନିଜ ବାଇକରେ ନେବା ଆଣିବା କରୁଥିଲେ । କଟକରେ ବାଦାମବାଡିରୁ ବସ ଗଡିନଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବନ୍ଦ ବେଳେ ରାଉରକେଲାରୁ ଆସିଥିଲା ଏକ ରୋଚକ ଦୃଶ୍ୟ । ୨୦ ଟଙ୍କା ନେଇ ଏକ ଉଠାଣିଆ ଛୋଟ ଗଳି ରାସ୍ତା ଦେଇ ଗାଡି ବାହାର କରିବା ପାଇଁ ଆରୋହୀ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ କିଛି ଯୁବକ ।