ହକ ପାଇଁ ଭାରତ ବନ୍ଦ… ପ୍ରଭାବୀ ହୋଇପାରେ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା । ଚାଷୀଙ୍କୁ ମିଳୁଛି ଚାରିଆଡୁ ସମର୍ଥନ । ଓଡ଼ିଶାରେ ବି ଜୋରଦାର ପ୍ରସ୍ତୁତି ।

1,064

କନକ ବ୍ୟୁରୋ: ଡିସେମ୍ବର ୮ ତାରିଖରେ ଚାଷୀଙ୍କ ଭାରତ ବନ୍ଦ ଡାକରା, ବଳ ଗୋଟାଇବାରେ ଲାଗିଛି । କଂଗ୍ରେସ, ଟିଆରଏସ, ଆରଜେଡି, ଟିଏମସି, ସିପିଆଇ ଓ ସିପିଏମ ଭଳି ବାମ ଦଳ ମଧ୍ୟ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ ଆଜି ଆମ ଆଦମୀ ପାର୍ଟି ମଧ୍ୟ ସମର୍ଥନ ଘୋଷଣା କରିଛି । ଏପଟେ ଗତକାଲି ମଧ୍ୟ କେନ୍ଦ୍ର ସରକାରଙ୍କ ସହ ଆଲୋଚନାରେ କୌଣସି ନିଷ୍କର୍ସ ବାହରି ପାରିନାହିଁ । ପ୍ରଥମ ଥର ପାଇଁ ଚାଷୀଙ୍କ ଆନ୍ଦୋଳନ ଆଗରେ ମୋଦି ସରକାର ଚାପଗ୍ରସ୍ତ ହୋଇଥିବା ପରି ମନେ ହେଉଛି । ସେପଟେ ଦିନକ ପରେ ଭାରତ ବନ୍ଦ ପାଇଁ ଓଡିଶାରେ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ କୃଷକ ସଂଗଠନ ।

ହୁଏତ ପ୍ରଥମ ଥର ପାଇଁ ମୋଦି ସରକାରଙ୍କୁ ଏଭଳି ଏକ ଆନ୍ଦୋଳନର ସାମ୍ନା କରିବାକୁ ପଡ଼ିଛି, ଯାହାକୁ ପ୍ରସମିତ କରିବା ପାଇଁ ମୋଦି ସରକାରଙ୍କୁ ନାକେଦମ୍ ହେବାକୁ ପଡିଛି । ଦୀର୍ଘ ୧୧ ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା ଚାଷୀ, ଆନ୍ଦୋଳନରେ ଅଟଳ । ୫-୫ଥର ବୈଠକ ପରେ ବି ଯେତେବେଳେ କୌଣସି ନିଷ୍କର୍ସ ବାହାରି ପାରିନାହିଁ,ଚାଷୀ ଭାରତ ବନ୍ଦର ଡାକରା ଦେଇଛନ୍ତି ।

ଚାଷୀ, କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଟଳ ଥିବା ବେଳେ ମୋଦି ସରକାରଙ୍କ ଅକଲଗୁଡୁମ୍୍ ହୋଇଯାଇଛି । ଆଉ ଏହାରି ଭିତରେ ଭାରତ ବନ୍ଦ ଡାକରାକୁ ବିରୋଧୀ ଦଳଗୁଡ଼ିକର ସମର୍ଥନ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । କଂଗ୍ରେସ, ଆପ୍, ଟିଆରଏସ୍, ଆରଜେଡି, ଟିଏମସି, ଖୋଲାଖୋଲି ଚାଷୀଙ୍କ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

-ଚାଷୀ ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ, ଦଳୀୟ କାର୍ଯ୍ୟାଳୟ ଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରିବ

-ଭାରତ ବନ୍ଦକୁ ସଫଳ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

-ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପ୍ରତିବାଦ କରିବ ତୃଣମଳ କଂଗ୍ରେସ

– ସେହିପରି ସିପିଆଇ, ସିପିଆଇଏମ୍ ଭଳି ବାମଦଳ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି

ଦିଲ୍ଲୀରେ ଚାଷୀ କରୁଥିବା ଆନ୍ଦୋଳନକୁ ଓଡ଼ିଶା ଚାଷୀ ମଧ୍ୟ ସମର୍ଥନ କରିଛନ୍ତି । ଆନ୍ଦୋଳନକୁ ସମର୍ଥନ କରି ପଶ୍ଚିମ ଓଡ଼ିଶାର ବିିଭିନ୍ନ ସ୍ଥାନରେ ଚାଷୀଙ୍କ ପ୍ରତିବାଦ ଜାରି ରହିଛି । ଏପଟେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ତାରିଖରେ ୩୦ ଜିଲ୍ଲାର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଚାଷୀ ଆନ୍ଦୋଳନ ରାଜ୍ୟ କିମ୍ବା ଦେଶରେ ସୀମିତ ରହିନାହିଁ । ବିଦେଶରୁ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ ମିଳିଛି ।

-ଭାରତର ଚାଷୀ ଆନ୍ଦୋଳନ ସପକ୍ଷରେ ବାହାରିଛନ୍ତି ବ୍ରିଟେନର ୩୬ ଜଣ ସାଂସଦ

-ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କ ଆଲୋଚନା କରିବାକୁ ଇଂଲଣ୍ଡର ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି

-ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଚାଷୀଙ୍କ ଆନ୍ଦୋଳନକୁ  ସମର୍ଥନ କରିଛନ୍ତି

-କାନାଡ଼ା ପ୍ରଧାନମନ୍ତ୍ରୀ ମଧ୍ୟ ଚାଷୀ ଆନ୍ଦୋଳନ ସପକ୍ଷରେ ମନ୍ତବ୍ୟ ରଖିଛନ୍ତି

ବଡ଼ କଥା ହେଉଛି ମୋଦି ସରକାରଙ୍କ ସହ ବିଶେଷ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ଚାଷୀ । ସିଧାସଳଖ ହଁ କିମ୍ବା ନାଁରେ ଉତର ରଖିବାକୁ କେନ୍ଦ୍ର ସରକାରକୁ କହିଛନ୍ତି ଚାଷୀ ନେତା । ଆଉ ଏଥିରେ ୬ଟି ପ୍ରମୁଖ ଦାବି ରଖାଯାଇଛି ।

-କୃଷି ସମ୍ପର୍କିତ ୩ଟି ଯାକ ଆଇନକୁ ପ୍ରତ୍ୟାହାର କରାଯାଉ

-ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କ ଆଇନଗତ ଅଧିକାର ହେଉ

-ରାଜ୍ୟସ୍ତରରେ ହେଉଥିବା ସବୁ ଉତ୍ପାଦନ ବିକ୍ରି ଚାଷୀଙ୍କ ଅଧିକାର ହେଉ

-ଚାଷୀ କାର୍ଯ୍ୟରେ ବ୍ୟବହାର ପାଇଁ ଡିଜେଲ ଦର ୫୦% କମ କରାଯାଉ

-ଚାଷୀ ଆନ୍ଦୋଳନ ପାଇଁ ଗିରଫ ଚାଷୀ ଓ ଚାଷୀ ନେତାଙ୍କୁ ମୁକ୍ତ କରାଯାଉ

-ଚାଷୀ ଆନ୍ଦୋଳନକୁ ସମର୍ଥନରେ ଜେଲରେ ଥିବା ବୁଦ୍ଧିଜୀବୀଙ୍କୁ ମୁକ୍ତ କରାଯାଉ