ଭାରତ ବନ୍ଦ ପାଇଁ ସବୁ ବନ୍ଦ ! ଗଡିବନି ଘରୋଇ ବସ, ଖୋଲିବନି ଦୋକାନ ବଜାର। ରାଜ୍ୟର କିଛି ଜିଲ୍ଲାରେ ସ୍କୁଲ କଲେଜ ଛୁଟି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଗୁଆ ପରୀକ୍ଷା ବାତିଲ

1,006

କନକ ବ୍ୟୁରୋ: ବନ୍ଦ ଡାକରାକୁ ଓଡିଶାରେ କଂଗ୍ରେସ ସମର୍ଥନ ଘୋଷଣା କରିଛି । ସାରା ରାଜ୍ୟରେ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରଖିବାକୁ ସଂଗଠନ ଡାକରା ଦେଇଛି । ସେପଟେ ଆଜିର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ରାଜ୍ୟରେ ଥିବା କିଛି ବ୍ୟାଙ୍କ ବନ୍ଦ ରହିବ ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଭୁବନେଶ୍ୱରରେ ସୁରକ୍ଷା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ସହ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେବେ । ସକାଳ ୯ଟା ୩୦ ସୁଦ୍ଧା ଲୋକସେବା ଭବନରେ ପହଂଚିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ ।

ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଜିଲ୍ଲାପାଳ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ଏନେଇ ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, ଗଜପତି, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା ଆଦି ଜିଲ୍ଲାର ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଘରୋଇ ସ୍କୁଲ ନିଜଆଡୁ ଛୁଟି ଘୋଷଣା କରିସାରିଛନ୍ତି । ଭୁବନେଶ୍ୱର ଅଂଚଳରେ ମଧ୍ୟ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ ଯାତ୍ରୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୋ ବସ ଚାଲିବ ବୋଲି ପ୍ରଶାସନ ଘୋଷଣା କରିଛି । ଫଳରେ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ପାଇଁ ଯାତାୟତ ସୁବିଧା ହେବ ବୋଲି କୁହାଯାଇଛି ।

ଆଜି ଭାରତ ବନ୍ଦ । ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ମୋଦି ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଂଟିଆ ଭାରତ ବନ୍ଦ୍ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଯୋଜନାକୁ ବିରୋଧ କରି ସାରା ଦେଶରେ ପ୍ରାୟ ୨୫ କୋଟି ଲୋକ ବନ୍ଦ ପାଳନରେ ସାମିଲ ହେବେ ବୋଲି ଆକଳନ କରାଯାଇଛି । ଆଇଏନ୍ଟିୟୁସି, ଏଆଇଟିୟୁସି, ସିଆଇଟିୟୁ ଓ ଟିୟୁସିସି ଭଳି ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ବ୍ୟାଙ୍କ ସଂଘ ବି ବନ୍ଦ ପାଳନରେ ସାମିଲ ହେବ ବୋଲି ଆଗୁଆ ଜଣାଇଦେଇଛନ୍ତି ।