କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ: ଚାଷୀଙ୍କ ଡାକରାକୁ ୧୮ଟି ବିରୋଧୀ ଦଳର ସମର୍ଥନ; ପ୍ରଭାବିତ ହେବ କ୍ଷୀର, ଫଳ, ପନିପରିବା ଯୋଗାଣ

ଜାରି ରହିବ ଆମ୍ବଲାନ୍ସ ଭଳି ଜରୁରୀ ସେବା

248

କନକ ବ୍ୟୁରୋ: ଆଜି ଭାରତ ବନ୍ଦ ପାଳନ କରୁଛନ୍ତି କୃଷକ ସଂଗଠନଗୁଡିକ । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଚଳାଇଥିବା ଆନ୍ଦୋଳନକୁ ଆଉପାଦେ ଆଗକୁ ନେଇଛନ୍ତି ଚାଷୀ । ଆଗାମୀ କାଲି କେନ୍ଦ୍ର ସରକାରଙ୍କ ସହ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଚାପ ପକାଇବାକୁ ଏହି ବନ୍ଦ ପାଳନ କରାଯାଉଛି । ତେବେ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ ବନ୍ଦକୁ ସମର୍ଥନ ଜଣାଇଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ୧୦ଟି ଟ୍ରେଡ ୟୁନିୟନ ସହିତ ଅନ୍ୟାନ୍ୟ ସଂଗଠନ ମଧ୍ୟ ଚାଷୀଙ୍କ ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।

ଚାଷୀ ସଂଗଠନର ବନ୍ଦ ପାଳନ ଫଳରେ ପ୍ରଭାବିତ ହେବ କ୍ଷୀର, ଫଳ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ । ତେବେ ଆମ୍ବୁଲାନ୍ସ, ଅଗ୍ନିସମ, ହସ୍ପିଟାଲ ଚିକିତ୍ସା ଏବଂ ଔଷଧ ଦୋକାନ ଭଳି ଜରୁରୀ ସେବା ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି । ସେହିପରି ବନ୍ଦ ଯୋଗୁଁ ଅଟକିବ ନାହିଁ ବିବାହ ଉତ୍ସବ । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ଅପରାହ୍ନ ୩ଟା ଯାଏଁ ଚକା ଜାମ କରିବାକୁ ନିଷ୍ପତି ହୋଇଛି । ତେଣୁ ଗାଡି, ମୋଟର ଚଳାଚଳ, ଟ୍ରେନ ସେବା ଓ ଟ୍ରକରେ ମାଲ ପରିବହନ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଚାଷୀ ସଂଗଠନଗୁଡିକ ଆହ୍ୱାନ ଦେଇଛନ୍ତି । ସାଧାରଣ ଲୋକେ ଏଥିରେ ସାମିଲ ହୋଇ ବନ୍ଦକୁ ସଫଳ କରିବା ପାଇଁ ଅପିଲ କରିଛନ୍ତି ।