କନକ ବ୍ୟୁରୋ : ତିନିଟି ବିବାଦୀୟ କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପୁଣି ତାତିଛନ୍ତି । ସରକାର ସେମାନଙ୍କ ଦାବିକୁ ଗୁରୁତ୍ବ ଦେଉନଥିବାରୁ ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି । ଦାବି ହାସଲ କରିବା ଲାଗି ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ପାଇଁ ସେମାନେ ଆହ୍ବାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର ଦାବି ଏବଂ ଗତ ମାସ ହରିୟାଣାରେ କୃଷକଙ୍କ ଉପରେ ପୁଲିସର ବର୍ବର ଆକ୍ରମଣ ବିରାଧରେ କୃଷକ ସଂଗଠନଗୁଡ଼ିକ ଉତ୍ତର ପ୍ରଦେଶର ମୁଜାଫରନଗରରରେ ମହାପଞ୍ଚାୟତ କରିଛନ୍ତି। ଏହି ମହାସମାବେଶରେ ଲକ୍ଷାଧିକ କୃଷକ ଯୋଗଦେଇ ମୋଦୀ ସରକାର ବିରୋଧରେ ରଣହୁଂକାର ଦେଇଛନ୍ତି । ଚାଷୀ ଆନ୍ଦୋଳନ ଆରମ୍ଭ ହେବା ଦିନଠାରୁ ଆଜି ସୁଦ୍ଧା ଯେତେ ସମାବେଶ ହେଉଛି ଏହାଥିଲା ସବୁଠୁ ବଡ଼ ବୋଲି କୃଷକମାନେ କହିଛନ୍ତି।
ଏହି ଅବସରରେ କୃଷକ ନେତା ରାକେଶ ଟିକାୟତ କହିଥିଲେ ଯେ କେନ୍ଦ୍ର ସରକାର ଘରୋଇ କଂପାନୀମାନଙ୍କ ହାତରେ ଦେଶକୁ ବିକ୍ରି କରିବାକୁ ବସିଛି । କିନ୍ତୁ ଚାଷୀମାନେ ଏହା କରାଇଦେବେ ନାହିଁ। ଦେଶକୁ ରକ୍ଷା କରିବା ଲାଗି ସେମାନେ ସଂଗ୍ରାମ ଜାରି ରଖିବେ । ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ସାରା ଦେଶରେ ଏଭଳି ସଭା ସମାବେଶ କରାଯିବ । ଜାନୁଆରୀ ୨୨ ତାରିଖ ପରେ କେନ୍ଦ୍ର ସରକାର ଆଉ ଚାଷୀମାନଙ୍କ ସହିତ ଆଲୋଚନା କରୁନାହିଁ । ଗତ ୯ ମାସ ମଧ୍ୟରେ ୬୦୦ ଆନ୍ଦୋଳନକାରୀ ପ୍ରାଣ ହରାଇଲେଣି । କିନ୍ତୁ ସେମାନଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ଲାଗି ସରକାରଙ୍କ ପାଖରେ ସମୟ ନାହିଁ ।
ସେ କହିଲେ ଯେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟ ନିର୍ବାଚନରେ ସେମାନେ ବିଜେପିକୁ ବିରୋଧ କରିବେ । ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କୃଷକମାନେ ଯୋଗୀ ଆଦିତ୍ୟନାଥ ସରକାର ବିରୋଧରେ ପ୍ରଚାର କରିବେ। ରାଜ୍ୟର ପ୍ରତି ଗ୍ରାମରେ କୃଷକମାନଙ୍କ ବାର୍ତ୍ତା ପହଞ୍ଚାଯିବ । ୪୦ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି, ଆନ୍ଦୋଳନ ପ୍ରତି ସବୁ ଜାତି, ଧର୍ମ, ରାଜ୍ୟ, ବର୍ଗ, କ୍ଷୁଦ୍ର ବ୍ୟବସାୟୀ ଏବଂ ସମାଜର ସବୁ ବର୍ଗର ଲୋକଙ୍କର ସମର୍ଥନ ରହିଛି। ସେ ଆହୁରି କହିଥିଲେ ଯେ ଦାବି ହାସଲ ନ ହେବା ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/kisan__1630835685.webp)