ସଂରକ୍ଷଣ ବିରୋଧରେ ଆଜି ଭାରତ ବନ୍ଦ ! ବିହାର ଆରାରେ ହିଂସା, ୧୪୪ଧାରା ଜାରି, ରାଜ୍ୟର କିଛି ସ୍ଥାନରେ ଦେଖାଦେଇଛି ବନ୍ଦର ପ୍ରଭାବ

46

କନକ ବ୍ୟୁରୋ: ଦଳିତଙ୍କୁ ନେଇ ବଡ ରାଜନୀତି । ଗତକାଲି କଂଗ୍ରେସ ଉପବାସ କରିବା ପରେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି କେତେକ ସଂଗଠନ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତିଭିତିକ ସଂରକ୍ଷଣକୁ ବିରୋଧ କରି ଆଜି ବିଭିନ୍ନ ଗୋଷ୍ଠିଙ୍କ ପକ୍ଷରୁ ବନ୍ଦ୍ ଡାକରା ଦିଆଯାଇଛି । ବନ୍ଦକୁ ଦୃଷ୍ଟିରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିିତିକୁ ବଜାୟ ରଖିବାକୁ ରାଜ୍ୟମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛି । କେତେକ ରାଜ୍ୟରେ ସ୍ଥିତିକୁ ନଜରରେ ରଖି ୧୪୪ ଧାରା ଲାଗୁ କରାଯାଇଛି । ଏହା ସହିତ ଇଂଟରନେଟ୍ ସରବରାହ ବନ୍ଦ ରଖାଯାଇଛି । ଜିଲ୍ଳା ମାଜିଷ୍ଟ୍ରେଟ୍ ଏବଂ ଏସପି ସେମାନଙ୍କ ନିଜନିଜ ଅଂଚଳରେ ଆଇନଶୃଙ୍ଖଳା ସ୍ଥିତି ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ଗାଇଡଲାଇନରେ କୁହାଯାଇଛି । ବନ୍ଦ ଡାକରା ପଛରେ ଶତାଧିକ ସାଧାରଣ ବର୍ଗ ଓ ଓବିିସି ବର୍ଗର ହାତ ଥିବା କୁହାଯାଉଛି ।

ବିହାରର ଆରାର ହିଂସା । ସଂରକ୍ଷଣ ବିରୋଧୀ ଓ ସମର୍ଥକ ମୁହାଁମୁହିଁ । ବନ୍ଦ ବେଳେ ଗୁଳିମାଡ । କେତେକ ସ୍ଥାନରେ ୧୪୪ ଧାରା ଜାରି । ଏହା ସହିତ ପାଟଣା ପାସେଞ୍ଜରକୁ ଅଟକାଇଥିଲେ ଶତାଧିକ ଯୁବକ । ଆନ୍ଦୋଳନକାରୀ ଯୁବକମାନେ ରେଳ ଧାରଣା ଉପରେ ବସି ସଂରକ୍ଷଣ ବିରୋଧରେ ନାରାବାଜି କରିବା ସହ ରେଳ ରୋକ କରିଥିଲେ । ସେହିପରି ଭୋଜପୁରରେ ସଂରକ୍ଷଣ ବିରୋଧୀ ଯୁବକମାନେ ରାସ୍ତା ଉପରେ ବିକ୍ଷୋଭ କରିବା ସହ ରାସ୍ତାରୋକ କରିଛନ୍ତି । ସେପଟେ ଉତରପ୍ରଦେଶରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ସେପଟେ ରାଜ୍ୟରେ ଭାରତ ବନ୍ଦର ପ୍ରଭାବ ସେଭଳି ଦେଖିବାକୁ ମିଳିନାହିଁ । ଭୁବନେଶ୍ୱରରେ ଜନଜୀବନ ସ୍ୱାଭାବିକ ରହିଛି । ଗାଡି ଚଳାଚଳ ବି ସାମାନ୍ୟ ଭାବେ ଚାଲିଛି । ସଂରକ୍ଷଣ ପ୍ରତିବାଦରେ ଆଜି କିଛି ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରର ପ୍ରଦର୍ଶନ କରୁଥିବାବେଳେ କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୋଲିସ । ସଂରକ୍ଷଣକୁ ଆନ୍ଦୋଳନକାରୀମାନେ ତୀବ୍ର ବିରୋଧ କରିଛନ୍ତି । ସେପଟେ ବନ୍ଦ ଯୋଗୁଁ ବିପୁୟୁଟିର ପରୀକ୍ଷାକୁ ବାତିଲା କରାଯାଇଛି । ପରୀକ୍ଷା ତାରିଖ ସ୍ଥିର କରାଯାଇନାହିଁ ।

ସେହିପରି ନବରଙ୍ଗପୁରରେ ବନ୍ଦର ପ୍ରଭାବ ଦେଖାଦେଇଛି । ସ୍ଥାନେ ସ୍ଥାନେ ପିକେଟିଂ କରାଯିବା ସହ ସ୍କୁଲ୍ କଲେଜ୍ ବନ୍ଦ କରାଯାଇଛି । ସମ୍ବଲପୁର, କୁଚିଣ୍ଡା. କଳାହାଣ୍ଡିର ଜୟପାଟଣା, କେନ୍ଦୁଝର, ବାରିପଦାରେ ବନ୍ଦର ପ୍ରଭାବ କିଛି ମାତ୍ରାରେ ଦେଖିବାକୁ ମିଳିଛି । ସଂରକ୍ଷଣ ବିରୋଧୀ ଯୁବକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।