କନକ ବ୍ୟୁରୋ: ବିଏମଡବ୍ଲୁ କମ୍ପାନୀ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଗ୍ରାହକ । ବିଏମଡବ୍ଲୁ ଜାହରେ ଏଡିସନର କାର ବୁକ୍ କରି କାରର ପୁରା ପେମେଣ୍ଟ କମ୍ପାନୀକୁ ଦେଲେ । ଯେତେବେଳେ ଗାଡ଼ି ରେଜିଷ୍ଟ୍ରେସନ କରିବାକୁ ସୋରୁମ୍ କର୍ତ୍ତୃପକ୍ଷ ଆରଟିଓ ଫର୍ମରେ ଦସ୍ତଖତ କରିବାକୁ କହିଥିଲେ ସେତେବେଳେ ଅନ୍ୟ ଏକ ମଡେଲର ଗାଡି ଦେଖି ଚକିତ ହୋଇଯାଇଥିଲେ ଗ୍ରାହକ । କମ୍ପାନୀ ଗ୍ରାହକଙ୍କ ଠାରୁ ପାଖାପାଖି ୨ଲକ୍ଷ ଟଙ୍କା ଠକେଇ କରିଥିବା ଜାଣିବାକୁ ପାଇଥିଲେ ଗ୍ରାହକ । ଏଭଳି ଠକାମୀର ଶିକାର ହୋଇଛନ୍ତି ଭଞ୍ଜନଗର ଥାନା ଛେଦଭୂମି ଗାଁର ଶଙ୍କର୍ଷଣ ଆଚାର୍ଯ୍ୟ ।
ଗତ ସେପ୍ଟମ୍ବର ମାସରେ ବିଏମଡବ୍ଲୁ କାର କିଣିବା ପାଇଁ କଟକରେ ଥିବା ଏକ ଘରୋଇ କମ୍ପାନୀ ସହିତ ସାକ୍ଷାତ କରିଥିଲେ । ଗ୍ରାହକ ଜଣଙ୍କର ଜାହରେ ଏଡିସନର ବିଏମଡବ୍ଲୁ କାର କିଣିବା ପାଇଁ ନିଷ୍ପତି ନେଇଥିଲେ । କର୍ତୃପକ୍ଷ କାରଟିର ସମ୍ପୁର୍ଣ୍ଣ ମୂଲ୍ୟ ନିର୍ଦ୍ଧାରଣ କରି ଗ୍ରାହକଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଗ୍ରାହକ ଶଙ୍କରସନ ଆଚାର୍ଯ୍ୟ ଅକ୍ଟୋବର ମାସର ୮୧ ଲକ୍ଷ ୮୨ ହଜାର ୫୯୦ ଟଙ୍କା କମ୍ପାନୀକୁ ଜମା କରିଥିଲେ । ଯେତେବେଳେ ଆରଟିଓ ଫର୍ମ ୨୦ରେ କାର ରେଜିଷ୍ଟ୍ରେସନ ପାଇଁ ସୋରୁମ୍ କର୍ତୃପକ୍ଷ ଗ୍ରାହକଙ୍କୁ ଦେଇଥିଲେ ସେଥିରେ ଲୋୟର ମଡେଲ ସ୍ୟାଡୋ ଏଡିସନ ଥିବା ଦେଖିବାକୁ ପାଇଥିଲେ । ଏହି ମଡେଲର ଦାମ୍ ପାଖାପାଖି ୨ ଲକ୍ଷ ଟଙ୍କା କମ୍ ଥିବାରୁ ଗ୍ରାହକ ଜଣଙ୍କ ସୋରୁମକୁ ଯେଉଁ ଏଡ଼ିସନର ଗାଡ଼ି ବୁକ୍ କରିଥିଲେ ତାହା ଦେବାକୁ କହିଥିଲେ । ନଚେତ୍ ଟଙ୍କା ଫେରାଇବା ପାଇଁ କହିଥିଲେ । କିନ୍ତୁ ଘଟଣାକୁ ୧ ମାସ ବିତିଯାଇଥିଲେ ମଧ୍ୟ ସୋରୁମ୍ କର୍ତୃପକ୍ଷ ସେହି ଏଡ଼ିସନର କାର ଦେଉନଥିବା ସେ ଅଭିଯୋଗ କରିଛନ୍ତି ।