ସଂଗରୋଧ କେନ୍ଦ୍ରକୁ ନେଇ ଶିକ୍ଷକଙ୍କ ଉପରେ ଗାଁ ଲୋକଙ୍କ ରୋଷ: ଭଂଜନଗରରେ ଗଛରେ ବାନ୍ଧି ଶିକ୍ଷକଙ୍କୁ ନିସ୍ତୁକ ମାଡ; ଖବର ପାଇ ଉଦ୍ଧାର କଲା ସ୍ଥାନୀୟ ବିଡିଓ ଏବଂ ପୋଲିସ

ଗ୍ରାମବାସୀଙ୍କ ବିରୋଧରେ ମାମଲା

1,278

କନକ ବ୍ୟୁରୋ: କ୍ୱାରେଂଟିନ ସେଂଟର ବା ସଙ୍ଗରୋଧ କେନ୍ଦ୍ରକୁ ନେଇ ଶିକ୍ଷକଙ୍କୁ ବାନ୍ଧି ପକାଇଲେ ଗାଁ ଲୋକ । ଗଛରେ ବାନ୍ଧିବା ସହ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ମହାମାରୀ କରୋନାର ସଂକ୍ରମଣକୁ ରୋକିବା ପାଇଁ ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ଏଭଳି ଅଭାବନୀୟ ଖବର ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ । ଯେତେବେଳେ ସୁରତ ଫେରନ୍ତା ଯୁବକଙ୍କୁ କାହିଁକି ଗାଁ ପାଖ ସଂଗରୋଧ କେନ୍ଦ୍ରରେ ରଖିଲେ ବୋଲି ପ୍ରଶ୍ନ କରି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପରେ ଏଭଳି ଅମାନବୀୟ ଆକ୍ରମଣ କରିଛନ୍ତି ଗାଁ ଲେକ ।

ପୁରା ଘଟଣା ଥିଲା କିଛି ଏହିଭଳି । ସୁରତ ଫେରନ୍ତା ୬ ଜଣ ଯୁବକଙ୍କୁ ଗାଁ ଭିତରେ ପ୍ରବେଶ କରୁଥିବା ଦେଖି ଅଟକାଇଥିଲେ ସରପଂଚ । ସେମାନଙ୍କୁ ନେଇ ସରକାରୀ ସଂଗରୋଧ କେନ୍ଦ୍ରରେ ରଖାଇଥିଲେ । ସରପଂଚଙ୍କଠାରୁ ଲିଖିତ ଚିଠି ପାଇଁ ଏଥିପାଇଁ ବନ୍ଦୋବସ୍ତ କରିଥିଲେ ଗାଁର ଶିକ୍ଷକ । ହେଲେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ସୁରତ ଫେରନ୍ତାଙ୍କ ସଂପର୍କୀୟ ସଙ୍ଗରୋଧ କେନ୍ଦ୍ରରେ ଯାଇ ଘରେ ରନ୍ଧା ଖାଦ୍ୟ ଦେବା ସହ ମିଳାମିଶା କରୁଥିବାରୁ କରୋନା ସଂକ୍ରମଣ ଭୟରେ ଗାଁ ଲୋକ ଏହି ସରକାରୀ ସ୍କୁଲରେ ତାଲା ପକାଇ ଦେଇଥିଲେ ।

ସ୍କୁଲର ପ୍ରଧାନ ଶିକ୍ଷକ ଆସି ଦେଖିଲା ବେଳକୁ ସ୍କୁଲରେ ଅଲଗା ତାଲା ପଡିଥିଲା । ଶିକ୍ଷକ ଜଣକ ଏନେଇ ପଚରାଉଚରା କରିବାରୁ ଉତକ୍ଷିପ୍ତ ହୋଇପଡିଥିଲେ ଗାଁର କିଛି ଯୁବକ । କାହାକୁ ପଚାରି ଗାଁରେ ଏହି ସଂଗରୋଧ କେନ୍ଦ୍ର ଖୋଲାଗଲା ଓ ଏମାନଙ୍କୁ କାହିଁକି ଏଠାରେ ରଖାଗଲା କହି ଶିକ୍ଷକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇଁ ସରପଂଚଙ୍କ ସହ ସ୍ଥାନୀୟ ବିଡିଓ ଏବଂ ପୋଲିସ ପହଂଚି ଶିକ୍ଷକଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ଶିକ୍ଷକଙ୍କ ପ କ୍ଷରୁ ଥାନାରେ ମାମଲା ହୋଇଥିବାବେଳେ ଚାପ ପକାଇ କେସ ରଫାଦଫା କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ଶିକ୍ଷକ ଜଣକ ।