ବିନା ଅନୁମତିରେ କରିଥିଲେ ରାସ୍ତା, ଆରଟିଓ ରାସ୍ତାକୁ ବନ୍ଦ କରିଦେଲେ ଜମି ମାଲିକ  ।

377

କନକ ବ୍ୟୁରୋ : ଆରଟିଓ ଅଫିସକୁ ରାସ୍ତା ବନ୍ଦ । ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନବନିର୍ମିତ କୋଠା ଓ କିଛି ସରକାରୀ କାର୍ଯ୍ୟାଳୟର ମୁଖ୍ୟ ରାସ୍ତାକୁ ମାଟି ପକାଇ ଅବରୋଧ କରିଛନ୍ତି ଜମି ମାଲିକଙ୍କ ସର୍ମ୍ପକୀୟ ଲୋକ । ପ୍ରଶାସନିକ ଅଧିକାରୀ ଓ ଜମି ମାଲିକ ମୁଁହାମୁଁହି ହୋଇଥିଲେ ବି ବାହାରି ପାରିନାହିଁ ସମାଧାନର ବାଟ ।

ଗଂଜାମ ଭଞ୍ଜନଗର ସହରରେ ନୂତନ ଭାବେ ତିଆରି ହୋଇଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ । ଆରଟିଓ ଅଫିସ ଓ ଏହା ନିକଟରେ ଥିବା ସରକାରୀ ଆଇଟିଆଇ ଓ ଜିଆରସି କଲେଜକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା । ଏହି ରାସ୍ତାର କିଛି ଅଂଶ ଜଣେ ବ୍ୟକ୍ତିଙ୍କ ଜାଗାରେ ହୋଇଥିବାରୁ ରାସ୍ତାରେ ମାଟି ପକାଇ ଅବରୋଧ କରିଛନ୍ତି ଜମି ମାଲିକଙ୍କ ପରିବାର । ଫଳରେ ଆରଟିଓ ଅଫିସ ଓ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଠପ ହୋଇଯାଇଛି ଯୋଗାଯୋଗ ।

ରାସ୍ତା ତିଆରି ହେବା ଆଗରୁ ଜମି ବାବଦରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ଓ ଏସ୍ପିଙ୍କୁ ଲିଖିତ ଭାବେ ଜଣାଇଥିଲେ ଜମି ମାଲିକ । ହେଲେ କେହି ତାଙ୍କ କଥା ନଶୁଣି କଂକ୍ରିଟ ରାସ୍ତା ତିଆରି କରିଛନ୍ତି । ଛେଦାଭୂମି ମୈାଜାର ଖାତ ନଂ ୧୧୪ରେ ଥିବା ପ୍ଳଟରେ ୩୪୬ ମିଟର ଲମ୍ବ ଓ ୪୦ ପୁଂଟର ଚଉଡା ପକା ରାସ୍ତା କରିଛନ୍ତି । ଯାହାକୁ ବିରୋଧ କରିଛନ୍ତି ଜମି ମାଲିକ ପ୍ରତାପ ସିଂ ରାଉତ ।

ବ୍ୟକ୍ତିଗତ ଜମିରେ ରାସ୍ତା ହେବାରେ କୌଣସି ଅସୁବିଧା ନାହିଁ । ଜମି ଅଧିଗ୍ରହଣ କରି ଜମି ମାଲିକଙ୍କୁ କ୍ଷତି ପୂରଣ ଦେଇ ରାସ୍ତା ତିଆରି ହୁଏ । ହେଲେ ଭଂଜନଗରରେ ଜମି ମାଲିକଙ୍କୁ ନଜଣାଇ, ଟଙ୍କାଟିଏ ବି କ୍ଷତିପୂରଣ ନଦେଇ ରାସ୍ତା ତିଆରି କରାଯାଇଛି । ତେଣୁ କ୍ଷତି ପୁରଣ ଦାବିରେ ରାସ୍ତାରୋକ କରିଛନ୍ତି ଜମି ମାଲିକ ପ୍ରତାପ ସିଂ ରାଉତ ।