ଟେଷ୍ଟ ନକରି ବି କରୋନା ପଜିଟିଭ: ହଠାତ ଘରେ ଆସି କୋଭିଡ ପଜିଟିଭ ନୋଟିସ ମାରିବାକୁ ପହଚିଂଗଲେ ଅଙ୍ଗନବାଡି କର୍ମୀ

ତହସିଲଦାରଙ୍କ ଭୁଲ ସୂଚନା ଯୋଗୁ ଅପ୍ରୀତିକର ପରିସ୍ଥିତିରେ ପଡିଲେ ଜଗନ୍ନାଥପ୍ରସାଦର ସାମ୍ବାଦିକ ଚନ୍ଦ୍ରକେତୁ ରାଉତ

1,329

କନକ ବ୍ୟୁରୋ: ଭଂଜନଗର ଜଗନ୍ନାଥ ପ୍ରସାଦ ଅଂଚଳରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଖବର । ଟେଷ୍ଟ ନକରି କରୋନା ପଜିଟିଭ ଆସିଥିବା ନେଇ ଅଭିଯୋଗ ହୋଇଛି । ଚନ୍ଦ୍ରକେତୁ ରାଉତ ନାମକ ଜଣେ ବ୍ୟକ୍ତି, ଯିଏ କି ପେଶାରେ ଜଣେ ସାମ୍ବାଦିକ । କରୋନା ପରୀକ୍ଷା ନକରି ତାଙ୍କର କରୋନା ପଜିଟିଭ ଆସିଥିବା ନେଇ ତାଙ୍କ ଘରକୁ କିଛି ସରକାରୀ କର୍ମୀ ପହଂଚି ତାଙ୍କର କରୋନା ପଜିଟିଭ ଆସିଥିବା ଜଣାଇଥିଲେ । ଏପରିକି ତାଙ୍କୁ ଘରୋଇ ସଂଗରୋଧରେ ରହିବା ପାଇଁ ଏକ ନିର୍ଦ୍ଦେଶନାମା ଫର୍ମ ନେଇ ତାଙ୍କ ଘରେ ପହଂଚିଥିଲେ । ଏନେଇ ବିଡ଼ିଓ, ସିଡ଼ିପିଓ ଓ ତହସିଲଦାରଙ୍କୁ ଏଘଟଣା ସମ୍ପର୍କରେ ଫୋନ ଯୋଗେ ପଚାରିଥିଲେ ଚନ୍ଦ୍ରକେତୁ ।

ତେବେ ସେ ସେଭଳି କିଛି ପରାମର୍ଶ ଦେଇନଥିବା କହିଥିଲେ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ସେଠାରୁ ଫେରିଆସିବା ପାଇଁ ମଧ୍ୟ କୁହାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ତାଙ୍କ ଦେହରେ କିଛି କରୋନା ଲକ୍ଷଣ ନଥିଲା । ଆଉ ସେ ମଧ୍ୟ କେଉଁଠି କରୋନା ପରିକ୍ଷୀ କରାଇନଥିଲେ । ସରକାରୀ ସ୍ତରରେ ତାଙ୍କର କରୋନା ପଜିଟିଭ ଆସିବା ତାଙ୍କୁ ସବୁଠାରୁ ଚକିତ କରିଛି । କରୋନାକୁ ନେଇ ସରକାରୀ ସ୍ତରରେ ଅନେକ ସଚେତନ କରାଯାଉଛି । ହେଲେ ବେଳେ ବେଳେ ସରକାରୀ ସ୍ତରରେ ଏପରି ଭୁଲ ତଥ୍ୟ ଲୋକଙ୍କୁ ବିଭ୍ରାନ୍ତ କରୁଛି ।

ଏସବୁ ଘଟଣା ଘଟିବା ପରେ ତାଙ୍କ ଘରକୁ କେହି ଆସୁନଥିବା ବେଳେ ତାଙ୍କ ସହ ମଧ୍ୟ କଥା ହେବା ପାଇଁ ରାଜି ହୋଇନଥିଲେ । ଫଳରେ ଚନ୍ଦ୍ରକେତୁ ନିଜେ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ଦେଖାକରି ଏନେଇ ପଚାରି ଥିଲେ । କିଛି ସନ୍ତୋଷଜନକ ଉତର ନପାଇବା ପରେ ଶେଷରେ ନିରାଶ ହୋଇ ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି ଚନ୍ଦ୍ରକେତୁ ରାଉତ ।