କେମିିତି ଅଛି ସରକାରୀ ସ୍ମାର୍ଟ ସ୍କୁଲ ଅସଲ ଚିତ୍ର ? ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲର ସତ ଦେଖାଇଲେ ଭଞ୍ଜନଗର ବ୍ଲକ ଶିକ୍ଷାଧିକାରୀ ।

94

କନକ ବ୍ୟୁରୋ: ଚକାଚକ ଶ୍ରେଣୀ ଗୃହ ସାଙ୍ଗକୁ, ଅତ୍ୟାଧୁନିକ ଇ-ଲାଇବ୍ରେରୀ ଓ ଇ-କ୍ଲାସରୁମ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଯୁଗୋପଯୋଗୀ କରିବା ଲାଗି ରାଜ୍ୟ ସରକାର ୫-ଟି ସ୍କୁଲ ରୁପାନ୍ତରିତ କାର୍ଯ୍ୟକ୍ରମ କରାଯାଉଛି । ବିଦ୍ୟାଳୟ ଗୁଡିକର ନବକଳେବର ଜାରି ରଖିଛନ୍ତି ରାଜ୍ୟ ସରକାର । ହେଲେ ତାହା ବାସ୍ତବରେ କେତେ ବିକଶିତ ତା’ ପ୍ରକୃତ ସତ ଖୋଲି ଦେଇଛି ଭଞ୍ଜନଗର ବିଇଓଙ୍କ ଚିଠି ।

ସ୍ମାର୍ଟ ସ୍କୁଲ ନିର୍ମାଣରେ ଚଞ୍ଚକତା ହୋଇଥିବା ଭଞ୍ଜନଗର ବିଡିଓଙ୍କୁ ଚିଠି ଲେଖି ଜଣାଇଛନ୍ତି । ବିଇଓଙ୍କ ଏହି ଚିଠି ଖୋଲିଛି ସ୍ମାର୍ଟ ସ୍କୁଲର ଗୁମର କଥା । ବିଇଓଙ୍କ ଚିଠି ସଂଖ୍ୟା ୩୭୪୯ରେ ଦର୍ଶାଯାଇଛି ଯେ, ସ୍କାର୍ଟ ଶ୍ରେଣୀ ଗୃହରେ ବିଦ୍ୟୁତ ତାର ୱାରିଂ ହୋଇନାହିଁ । ଝରକା ଓ କବାଟ ଲାଗିନାହିଁ । ଫ୍ୟାନ ଓ ଲାଇଟ୍ ସାଙ୍ଗକୁ ପାଣି ଟାଙ୍କି ବ୍ୟବସ୍ଥା ନାହିଁ । ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଚାଲିଛି । ଏହି କାମ କେମିତି ଚାଲିଛି, ତାହା ଜଣାଇବା ପାଇଁ ସ୍କୁଲ ପରିଦର୍ଶନ କରି ରିପୋର୍ଟ ଦେବାକୁ ସମସ୍ତ ବିଇଓଙ୍କୁ ନିର୍ଦେଶ ଦେଇଥିଲେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରିଣୀ ବିନିତା ସେନାପତି । ଡିଇଓଙ୍କ ନିର୍ଦ୍ଦେଶ ପାଳନ କରି ଭଞ୍ଜନଗର ବିଇଓ ଏସ୍.ଧନଞ୍ଜୟ ନିଜ ଅଧୀନରେ ଥିବା ସମସ୍ତ ସ୍ମାର୍ଟ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଡକାଇ ଏକ ବୈଠକ କରିଥିଲେ । ପରେ ସେ ନିଜେ ବିଦ୍ୟାଳୟ ପରିଦର୍ଶନ କରି ଅବ୍ୟବସ୍ଥା ସମ୍ପର୍କରେ ଚିଠି ମାଧ୍ୟମରେ ବିଡ଼ିଓଙ୍କୁ ଜଣାଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।