ବିକ୍ରମ ଜଗିଛନ୍ତି ବଜେଡ଼ି ଗଡ଼ ! ୩ ଦଶନ୍ଧି ପରେ ଗଡ଼ ଫେରି ପାଇବାକୁ କଂଗ୍ରେସର କସରତ, ଉଭୟଙ୍କୁ ଟକ୍କର ଦେବାକୁ ଦମ୍ ଲଗାଉଛି ବିଜେପି ।

771

କନକ ବ୍ୟୁରୋ: ଦୀର୍ଘ ବର୍ଷ ଧରି ବିଜେଡିର ଗଡ଼ କୁହାଉଥିବା ଭଞ୍ଜନଗର ପାଇଁ ଏଥର ବଳକଷାକଷି । ଇତିହାସ କହେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ନିର୍ବାଚନମଣ୍ଡଳୀ ହେଉଛି ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ । ଇତିହାସରେ ଏହି ନିର୍ବାଚନମଣ୍ଡଳୀର ବହୁ ନେତା ରାଜ୍ୟ ସ୍ତରରେ ନେତୃତ୍ବ ନେଇଛନ୍ତି। କିନ୍ତୁ ବିଜେଡିର ବିକଳ୍ପ ସାଜି ବର୍ତ୍ତମାନ ସୁଦ୍ଧା କେହି ଶଙ୍ଖ ଧ୍ୱନିକୁ ଅଟକାଇ ପାରିନାହାନ୍ତି ।

ଦୀର୍ଘ ୫ ଥର ବିଧାୟକ ଶିରିପା ପିନ୍ଧିଥିବା ବର୍ତ୍ତମାନର ଶାସକ ଦଳର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗରରେକୁ ନିଜ କବଜାରେ ରଖିଛନ୍ତି । ୧୯୯୫ ମସିହାରେ କଂଗ୍ରେସ ଓ ଜନତା ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା ଓ ଯୁବ ନେତା ବିକ୍ରମ କେଶରୀ ଆରୁଖ ସେ ସମୟରେ ବିଜୟ ଲାଭ କରିଥିଲେ । ଏଥିରେ କଂଗ୍ରେସର ବର୍ଷିୟାନ ନେତା ସୋମନାଥ ରଥଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା। ସେହିଭଳି ୨୦୦୦ ମସିହାରୁ ୨୦୧୪ ମଧ୍ୟରେ ବିକ୍ରମ ଆରୁଖଙ୍କ କ୍ଷମତା ଉପରେ କୌଣସି ବିରୋଧୀ ଦଳ ପ୍ରଭାବ ପକାଇପାରି ନାହାନ୍ତି । ଯାହାକି ଆରୁଖଙ୍କୁ ପୁର୍ନବାର ବିଧାୟକ ଟିକେଟ୍ ଦେବାକୁ ବାଟ ଖୋଲିଦେଇଛି । କାରଣ ବିକ୍ରମଙ୍କ ବକଳ୍ପ କେହି ନଥିବା ଶୁଣିବାକୁ ମିଳୁଛି ।

ସେପଟେ ଏକଦା କଂଗ୍ରେସ ଗଡ଼ କୁହାଯାଉଥିବା ଏହି ନିର୍ବାଚନ ମଣ୍ଡଳୀକୁ ଫେରି ପାଇବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ନୂଆ ହାଇକମାଣ୍ଡ ଓ ନୂଆ ପିସିସି ସଭାପତିଙ୍କ ଗୁରୁମନ୍ତ୍ରଣା ଆଗାମୀ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ସଂଜୀବନୀ ପାଲଟିବ ବୋଲି ଆଶାବାଦୀ ଅଛନ୍ତି କଂଗ୍ରେସ । ତେଣୁ କଂଗ୍ରେସରୁ ସ୍ବର୍ଗତ ସୋମନାଥ ରଥଙ୍କ ପୁତ୍ର ନୃସିହ ରଥ, ସଞ୍ଜୟ ତ୍ରିପାଠୀ, ପ୍ରଶାନ୍ତ କୁମାର ବିଶୋୟୀ ଓ ଦେବୀ ବିଷୋୟୀ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛନ୍ତି ।

ଏସବୁ ବାଦ୍ ବିଜେପି ମୋଦୀ ମନ୍ତ୍ରକୁ ଆୟୁଧ କରି ଏହି ଆସନ ଦଖଲ କରିବା ପାଇଁ ବଳ କଷୁଛି । ସେଥିଲାଗି ବିଜେପି ଦଳରୁ ଓକିଲ ସଂଘ ସଭାପତି ପ୍ରଦ୍ୟୁମ୍ନ ନାୟକ, ନିକଟରେ ପଦ୍ମ ପୋଖରୀକୁ ଲମ୍ପ ଦେଇଥିବା ପୂର୍ବତନ କଂଗ୍ରେସ ନେତା ବିନାୟକ ତ୍ରିପାଠୀ, କୃଷକ ମୋର୍ଚ୍ଚା ଉପସଭାପତି ପ୍ରଦୀପ କୁମାର ସାହୁ, ଦଳର ପୁରୁଣା ନେତା ବିଜେପି ସାଧାରଣ ସମ୍ପଦକ ନୀଳମାଧବ ପାତ୍ର ଓ ମୁରଲୀ ପଣ୍ଡା ପ୍ରମୁଖ ଦାବିଦାର ଥିବା ଗେରୁଆ ମହଲରେ ଚର୍ଚ୍ଚା ହେଉଛି ।