କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ଅଭିଯୁକ୍ତଙ୍କୁ ଚାଲିଛି ପଚରାଉଚୁରା । ସିବିଆଇର ସ୍ୱତନ୍ତ୍ର ଅଧିକାରୀ ତିନି ଜଣଙ୍କୁ ପଚରାଉଚୁରା କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତମାନଙ୍କୁ ଚନ୍ଦକା ଥାନାରେ ରଖି ପଚରାଉଚୁରା କରାଯାଉଛି । ଦୁର୍ଘଟଣା ଦିନ କଣ ଘଟିଥିଲା? ସିଗନାଲରେ କେତେବେଳେ ତ୍ରୁଟି ଦେଖାଯାଇଥିଲା? ଏନେଇ ଅଧିକାରୀମାନେ କେତେବେଳେ ଜାଣିଲେ? ସମସ୍ୟାର ସମାଧାନ ପାଇଁ କଣ ପଦକ୍ଷେପ ନେଇଥିଲେ? ଏମିତି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସିବିଆଇ ଅଧିକାରୀ । ଦୁର୍ଘଟଣା ମାମଲାରେ ୩ ଜଣ ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

Advertisment

ଶୁକ୍ରବାର ବାହାନଗା ଟ୍ରେନ ଦୁର୍ଘଟଣାରେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିିନିୟର ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ । ୩ ଅଭିଯୁକ୍ତଙ୍କୁ  ଗିରଫ କରାଯିବା ପରେ ଭୁବନେଶ୍ୱର ସ୍ଥିତି ସିବିଆଇ ଅଫିସକୁ ଅଣାଯାଇଥିଲା । ପରେ ସେମାନଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ଆଉ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ଅରୁଣ କୁମାର ମହାନ୍ତ, ଅମିର ଖାନ, ପପୁ କୁମାର, ତିନି ଜଣଙ୍କୁ ଆଇପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ସିବିଆଇ । ସେହିଭଳି ରେଳବାଇ ଆଇନର ଧାରା ୧୫୩ ମଧ୍ୟ ଲଗାଯାଇଛି । ରାଜ୍ୟ ସରକାରଙ୍କ ସହମତି ଓ ରେଳ ମନ୍ତ୍ରାଳୟର ଅନୁରୋଧ ପରେ ସରକାର ସିବିଆଇ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମାମଲା ରୁଜୁ କରିଥିଲା ସିବିଆଇ । ଦୁର୍ଘଟଣା ନେଇ ତଦନ୍ତ ଜାରି ରହିଛି । ଗତ ମାସ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଛି ।