କନକ ବ୍ୟୁରୋ : ଛତିଶଗଡ, ମଧ୍ୟପ୍ରଦେଶ ପରେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏଠାରେ ବି ସମସ୍ତଙ୍କୁ ଚକମା ଦେଇ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରେସରେ ସେ ଶେଷ ଯାଏଁ ଚର୍ଚ୍ଚାରେ ନଥିଲେ । ମଙ୍ଗଳବାର ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭଜନଲାଲଙ୍କୁ ନେତା ବଛାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆଣିଥିଲେ ।
-ଭଜନଲାଲ ଆରଏସଏସ ଓ ଏବିଭିପି ସହ ଦୀର୍ଘଦିନ ଧରି ଜଡିତ ଅଛନ୍ତି
-ପ୍ରଥମ ଥର ଲାଗି ଜୟପୁର ସାଙ୍ଗାନେରରୁ ବିଧାୟକ ହୋଇଛନ୍ତି
- ବିଜେପି ବିଧାୟକଙ୍କ ଟିକେଟ କଟାଯାଇ ଭଜନଲାଲଙ୍କୁ ଟିକେଟ ଦିଆଯାଇଥିଲା
-ରାଜସ୍ଥାନର ବ୍ରାହ୍ମଣ ଚେହେରା ହେଉଛନ୍ତି ଭଜନଲାଲ ଶର୍ମା
ଛତିଶଗଡ ଓ ମଧ୍ୟପ୍ରଦେଶ ଢାଂଚାରେ ରାଜସ୍ଥାନରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ । ଦିଆକୁମାରୀ ଓ ପ୍ରେମଚନ୍ଦ ବୈରୱାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ।
ମୁଖ୍ୟମନ୍ତ୍ରୀ ବାଛିବାର ମୋଦି-ଶାହ ଷ୍ଟାଇଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବଡ ବଡ ନେତାଙ୍କ ନାଁ କି ସେମାନଙ୍କ ଶକ୍ତି ପ୍ରଦର୍ଶନ କିଛି ବି କାମ ଦେଉନାହି ଁ । ନେତା ନୁହେଁ ବରଂ କର୍ମକର୍ତ୍ତା ଭଳି କାମ କଲେ ପଦ ମିଳିବ ବୋଲି ଏକ ବଡ ସନ୍ଦେଶ ଦେଇଛନ୍ତି ମୋଦି-ଶାହ ଯୋଡି ।
ଛତିଶଗଡରେ ବିଷ୍ଣୁ, ମଧ୍ୟପ୍ରଦେଶରେ ମୋହନ ଓ ରାଜସ୍ଥାନରେ ଭଜନଙ୍କୁ ଆଣି ବିଜେପିର ସ୍ଥାନୀୟ ବଡ ନେତାଙ୍କୁ ବଡ ମେସେଜ ଦେଇଛ ିବିଜେପି । ରମଣ ସିଂହ ହୁଅନ୍ତୁ କି ଶିବରାଜ ସିଂହ ଚୌହ୍ୱାନ କି ବସୁନ୍ଧରା ରାଜେ ଏମାନେ ହିଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ଆଗକୁ ଆଣିଛନ୍ତି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବାଛିବାବେଳେ ସଂପୃକ୍ତ ରାଜ୍ୟର ଜାତିଗତ ସମୀକରଣକୁ ବେଶ ଗୁରୁତ୍ୱ ଦିଆଯାଇଛି । ୨୦୨୪ ନିର୍ବାଚନକୁ ଏହା ଫାଇଦା ଦେବ ବୋଲି ବିଜେପି ଆଶା ରଖିଛି । ଏହାଛଡା ନେତା ବାଛିବା ବେଳେ ଗୋଟିଏ ସନ୍ଦେଶ ଦେବାକୁ ଉଦ୍ୟମ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ଚେହେରା ନୁହେଁ ନିର୍ବାଚନ ଜିତିବା ପାଇଁ ମୋଦି-ଶାହ ଯୋଡି ଙ୍କ ନାଁ ହିଁ ଯଥେଷ୍ଟ ।
ବିଜେପି ଶାସିତ ରାଜ୍ୟରେ ନୂଆ ଚେହେରା ଉପରେ ଭରସା କରିଛି ବିଜେପି । ଏ ଯାଏଁ ଓଡିଶାରେ ବି ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିନାହିଁ । ଯଦି ୨୦୨୪ରେ ଦଳ କ୍ଷମତାକୁ ଆସେ, ତାହାହେଲେ ଏଭଳି କିଛି ସରପ୍ରାଇଜ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ କି ବୋଲି ଆଲୋଚନା ଆରମ୍ଭ ହୋଇଛି ।