କନକ ବ୍ୟୁରୋ : ପଞ୍ଜାବରେ ବୃହତ ବିଜୟ ପରେ ଆସନ୍ତା ୧୬ ତାରିଖରେ ଶପଥ ନେଇପାରନ୍ତି ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ । ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ଆମନ୍ତ୍ରଣ କରିଛନ୍ତି ଭଗୱନ୍ତ । ମିଳିଥିବା ସୂଚନା ମୁତାବକ କେବଳ ଶପଥଗ୍ରହଣ ଉତ୍ସବରେ ନୁହେଁ ବରଂ ୧୩ ମାର୍ଚ୍ଚରେ ଅମୃତସରରେ ହେବାକୁ ଥିବା ରୋଡ ସୋ’ରେ ମଧ୍ୟ ସାମିଲ ହେବେ କେଜ୍ରିୱାଲ । ଅନ୍ୟପଟେ ଆପର ବିଜୟ ପରେ କେଜ୍ରିୱାଲ କହିଛନ୍ତି ମୋର ଛୋଟ ଭାଇ ଭଗୱନ୍ତ ଶପଥ ନେବେ ।

Advertisment

ଏହାପୂର୍ବରୁ ଆଜି ଦିଲ୍ଲୀ ଯାଇ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି ଭଗୱନ୍ତ । କେଜ୍ରିୱାଲ, ମନୀଷ ସିସୋଦିଆଙ୍କୁ ଭେଟିବା ସହ ଆର୍ଶୀବାଦ ନେଇଛନ୍ତି ଭଗୱନ୍ତ । ଏହାସହ ସେ କହିଛନ୍ତି, ଆମେ ଆମର ବିଧାୟକଙ୍କୁ ଅଜ୍ଞାତବାସରେ ରଖିନାହୁଁ । ସହିଦ ଭଗତ ସିଂଙ୍କ ଗାଁରେ ହିଁ ଶପଥ ନେବେ ବୋଲି ପୂର୍ବରୁ କହିଥିଲେ ଭଗୱନ୍ତ । ତେବେ ଶପଥଗ୍ରହଣ ନେଇ ଆଜି ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇପାରେ । ରାଜ୍ୟପାଳଙ୍କ ଠାରୁ ଅନୁମତି ମିଳିବା ପରେ ଶପଥଗ୍ରହଣ ସମାରୋହ ହେବ ।

ଭଗୱନ୍ତ ମାନ୍ ସହିଦ ଭଗତ ସିଂଙ୍କର ଜଣେ ବଡ ପ୍ରଂଶସକ । ଯେଉଁଥିପାଇଁ ସେ ଭଗତ ସିଂଙ୍କ ଗାଁରେ ଶପଥ ନେବାକୁ ସ୍ଥିର କରିଛନ୍ତି । ଏହାସହ ବିଜୟ ପରେ ଭଗୱନ୍ତ କହିଥିଲେ, ପଞ୍ଜାବବାସୀଙ୍କୁ ଖୋଲା ନିମନ୍ତ୍ରଣ ଦେଉଛି । ପୂର୍ବରୁ ଶପଥ ଗ୍ରହଣ ଉତ୍ସବ ମହଲ ଭିତରେ ହେଉଥିଲା କିନ୍ତୁ ଏବେ ଏହି ସମାରୋହ ସହିଦଙ୍କ ଗାଁରେ ହେବ । ସହିଦଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳୀ ଦେବା ଆମର ନୈତିକ କର୍ତ୍ତବ୍ୟ । କାରଣ ସହିଦଙ୍କ ବଳିଦାନ ପାଇଁ ହିଁ ଆମେ ସ୍ୱାଧୀନତା ପାଇଛୁ । ଏହାସହ ଭଗୱନ୍ତ କହିଛନ୍ତି, ସରକାରୀ କାର୍ଯ୍ୟାଳୟରେ ଏଣିକି ମାତ୍ର ୨ଟି ଚିତ୍ର ରହିବ । ଗୋଟିଏ ସହିଦ ଭଗତ ସିଂଙ୍କର ଏବଂ ଅନ୍ୟଟି ବି.ଆର ଆମ୍ବେଦକରଙ୍କର । ଚଳିତ ନିର୍ବାଚନରେ ପଞ୍ଜାବରେ ବଡ ବଡ ହେଭିୱେଟ ପରାଜିତ ହୋଇଥିବା ବେଳେ ଭଗୱନ୍ତ ମାନ୍ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।